ନୂଆଦିଲ୍ଲୀ : ଦୁଇ ମାସର ଶିଶୁକୁ ଲୁହା ଚେଙ୍କ ଦେଲେ କ୍ୱାକ୍ । କାଶ ଓ ଶିଶୁଟିର ଦେହ ଫୁଲିଯିବାକୁ ନେଇ ଏହି ନକଲି ଡାକ୍ତର ଶିଶୁଟିକୁ ଚେଙ୍କ ଦେଇଥିବା ଜଣାପଡ଼ିଛି । ଘଟଣାକୁ ନେଇ ଅଭିଯୋଗ ହେବା ପରେ ସଂପୃକ୍ତ କ୍ୱାକ୍ଙ୍କ ସହ ଶିଶୁଟିର ମା’କୁ ପୋଲିସ ଗିରଫ କରିଛି । ବର୍ତ୍ତମାନ ଶିଶୁଟିକୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାକୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଡାକ୍ତର କହିଛନ୍ତି, ଶିଶୁଟି ଦେହରେ ଲୁହା ଚେଙ୍କ ଲଗାଯାଇଥିଲା । ବର୍ତ୍ତମାନ ସେ ଆଇସିୟୁରେ ରହିଛି । ତାର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି । ଗୁଜରାଟର ପୋରବନ୍ଦର ଜିଲ୍ଲାରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ।
ସୂଚନା ମୁତାବକ ଗୋଟିଏ ସପ୍ତାହ ପୂର୍ବରୁ ଶିଶୁଟି କୌଣସି କାରଣରୁ ଫୁଲିଯିବା ସହ ପ୍ରବଳ କାଶ ହୋଇଥିଲା । ଫଳରେ ଶିଶୁଟିର ବାପା ଓ ମା’ ତାକୁ ପ୍ରାଥମିକ ସ୍ୱସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ହେଲେ ସେଠାରେ ସେମିତି କିଛି ପିଲାଟିକୁ ଉପଶମ ମିଳିନଥିଲା । ତେଣୁ ଶିଶୁଟିକୁ ଅନ୍ୟ ଜଣେ ଚିକିତ୍ସକଙ୍କ ନିକଟକୁ ନେଇଥିଲେ ତାର ମା’ । ସେଠାରେ କ୍ୱାକ୍ ଜଣକ ପିଲାଟିକୁ ଲୁହା ଚେଙ୍କ ଦେଇଥିଲେ । ଯେଉଁଥିପାଇଁ ପିଲାଟି ଗୁରୁତର ହୋଇଥିଲା। ପରେ ପିଲାଟିକୁ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଶିଶୁଟିକୁ ଚେଙ୍କ ଦେବା ଅଭିଯୋଗରେ ପୋଲିସ କ୍ୱାକ୍ ସହ ଶିଶୁଟିର ମା’କୁ ଗିରଫ କରିଛି ।