ଆଠଗଡ: ପ୍ରେମ ସମ୍ପର୍କକୁ ନେଇ ଆଠଗଡ଼ ଥାନା ଅନ୍ତର୍ଗତ ଜେନାପଦା ଗ୍ରାମରେ ଗୁଳି ମାଡ଼ ହୋଇଛି । ଗୁଳିରେ ୩ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ହରିଡ଼ାପଶି ଗ୍ରାମର ସଦାନନ୍ଦ ଦାସ (୪୦) ଓରଫ ଲିଟୁ ନିଜ ମାମୁଁ ଘର ଜେନାପଦା ଗ୍ରାମରେ ରହି ପାଠ ପଢୁଥିଲେ । ପାଠପଢ଼ା ସରିବା ପରେ ସେ ସେନା ବାହିନୀରେ ଚାକିରୀ କରୁଥିଲେ । ଘରକୁ ଛୁଟିରେ ଆସିଲେ ସେ ଅଧିକାଂଶ ସମୟରେ ମାମୁଁ ଘରକୁ ଯାଇଥାନ୍ତି । ସେହି ସମୟରେ ମାମୁଁ ଘରର ଜଣେ ପଡ଼ୋଶୀ ମହିଳାଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା ।
ସଂପୃକ୍ତ ମହିଳାଙ୍କ ସ୍ୱାମୀ ମଧ୍ୟ ସେନାରେ ଚାକିରୀ କରୁଥିବାରୁ ବାହାରେ ରହନ୍ତି । ଲିଟୁ ଚାକିରୀରୁ ଅବସର ନେବା ପରେ ମାରୁଗୋଠ ଛକରେ ଏକ ସର୍ଭିସିଂ ସେଣ୍ଟର ଖୋଲିଥିଲେ । ଲିଟୁ ସଂପୃକ୍ତ ମହିଳାଙ୍କ ପାଖକୁ ବାରମ୍ବାର ଯିବା ଆସିବା କରିବାରୁ ପରିବାର ପକ୍ଷରୁ ତାଙ୍କୁ ବିରୋଧ କରାଯାଇଥିଲା । ତେଣୁ ଲିଟୁ ସଂପୃକ୍ତ ମହିଳାଙ୍କ କେତେକ ଅଶ୍ଳିଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିବାରୁ ଦୁଇ ପରିବାର ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା । ଆଜି ଲିଟୁ ଜେନାପଦା ଗ୍ରାମକୁ ଯାଇ ଉକ୍ତ ମହିଳାଙ୍କ ସହିତ ମିଳାମିଶା କରିିବାକୁ ଉଦ୍ୟମ କରୁଥିବା ସମୟରେ ତାଙ୍କୁ ମହିଳାଙ୍କ ଶ୍ୱଶୁର ବଂଶୀଧର ନାୟକ (୬୦), ଦିଅର ଜିତେନ୍ଦ୍ର ନାୟକ (୩୨) ଓ ଦାଦା ଶ୍ୱଶୁର ଦୀନବନ୍ଧୁ ନାୟକ (୪୫) ପ୍ରତିରୋଧ କରିବା ସହିତ ମାଡ଼ ମାରିଥିଲେ ।
ଏହି ଘଟଣାରେ ଉତକ୍ଷିପ୍ତ ହୋଇ ଲିଟୁ ଘରକୁ ଆସି ଏକ ବନ୍ଧୁକ ନେଇ ପୁଣି ଜେନାପଦା ଗାଁକୁ ଯାଇଥିଲେ । ସେଠାରେ ସେ ମହିଳାଙ୍କ ପରିବାର ଲୋକଙ୍କ ଉପରକୁ ଆଖିବୁଜା ୭ ରାଉଣ୍ଡ ଗୁଳି ଚଳାଇଥିଲେ । ଫଳରେ ବଂଶୀଧରଙ୍କ ଦେହରେ ୩ଟି, ଦୀନବନ୍ଧୁଙ୍କ ଦେହରେ ୩ଟି ଓ ଜିତେନ୍ଦ୍ରଙ୍କ ଦେହରେ ଗୋଟିଏ ଗୁଳି ବାଜିଥିଲା । ଫଳରେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁଳି ମାଡ଼କରି ଲିଟୁ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଗ୍ରାମବାସୀଙ୍କ ସହାୟତାରେ ୩ ଗୁରୁତରଙ୍କୁ ପ୍ରଥମେ ଆଠଗଡ଼ ଡାକ୍ତରଖାନାକୁ ଅଣାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସା କରୁଥିବା ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାନ୍ତି କଟକ ମୁଖ୍ୟ ଡାକ୍ତରଖାନା ପଠାଇ ଦେଇଛନ୍ତି । ଖବର ପାଇ ଆଠଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଲିଟୁକୁ ପୁଲିସ ଖୋଜୁଥିଲେ ହେଁ ତାଙ୍କୁ ପାଇନାହିଁ ।