ନୂଆଦିଲ୍ଲୀ : ରୋଷେୟାକୁ ଛାତ ଉପରୁ ଠେଲି ହତ୍ୟା କଲା ମାଲିକ । କାମ କରିବାକୁ ଯାଇ ବାକି ଟଙ୍କା ମାଗିବାରୁ ୫ ମହଲା ଛାତରୁ ଠେଲି ମାଲିକ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ରୋଷେୟା ଜଣକ ଗତ ପାଞ୍ଚ ବର୍ଷ ଧରି ବ୍ୟକ୍ତି ଜଣଙ୍କ ପିଜିରେ ରୋଷେୟା ଭାବେ କାମ କରୁଥିଲେ । ହେଲେ ଟଙ୍କା ନମିଳିବାରୁ ସେଠାରୁ କାମ ଛାଡ଼ି ଗତ ୨ ମାସ ହେଲା ଅନ୍ୟ ଜାଗାରେ ଚାକିରି କରୁଥିଲେ । ପରେ ବାକି ଟଙ୍କା ମାଗିବାରୁ ତାଙ୍କୁ ଦୁର୍ବ୍ୟବହାର କରାଯିବା ସହ ୫ ମହଲା ଛାତ ଉପରୁ ଠେଲିଦେଇଥିବା ଅଭିଯୋଗ ହୋଇଛି ।
ଏପରି ଏକ ଘଟଣା ଘଟିଛି ଗୁରୁଗ୍ରାମର ଡିଏଲ୍ଏସ୍ ଫେଜ୍-୪ରେ । ଘଟଣାକୁ ନେଇ ପୋଲିସ ତଦନ୍ତ କରୁଥିବା ବେଳେ ଛାତ ଉପରୁ ପଡ଼ି ରୋଷେୟାଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି । ପୋଲିସର କହିବା ଅନୁସାରେ ମୃତ ରୋଷେୟାଙ୍କ ନାଁ ଉମେଶ ରାମ । ଉମେଶଙ୍କ ପରିବାର ପକ୍ଷରୁ ଏନେଇ ଥାନାରେ ଏତଲା ଦିଆଯାଇଛି । ପରିବାରର ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ପୋଲିସ ଆହୁରି କହିଛି କି, ରୋଷେୟା ଉମେଶ ୫ ବର୍ଷ ପୂର୍ବରୁ ଏଠାକୁ କାମ କରିବାକୁ ଆସିଥିଲା । ପୂର୍ବରୁ ଏନେଇ କୌଣସି ନିର୍ଯାତନା ଅଭିଯୋଗ ହୋଇନାହିଁ । ରୋଷେୟା ଜଣକ ଚାକିରି ଛାଡ଼ିବା ପରେ ଟଙ୍କା ମାଗିବାରୁ ଏପରି ହୋଇଛି ବୋଲି ପୋଲିସ କହିଛି ।