ଗାନ୍ଧୀନଗର: ନାବାଳିକା ଶାଳୀ ଉପରେ ଭିଣୋଇର କୁତ୍ସିତ ନଜର । ଗୁଜୁରାଟ ରାଜକୋଟରେ ଭିଣୋଇ ଶାଳୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡ଼ିତା ନିଜ ଭଉଣୀ ସହିତ ରହୁଥିବା ବେଳେ ଏହାର ଫାଇଦା ଉଠାଇ ଭିଣୋଇ ଶାରୀରିକ ସମ୍ପର୍କ ରଖି ଶାଳୀକୁ ୩ଥର ଗର୍ଭବତୀ କରାଇଥିବା ଅଭିଯୋଗ ହୋଇଛି । ୩ୟ ଥର ପୀଡ଼ିତା ଜଣେ ମୃତ ଶିଶୁକୁ ଜନ୍ମ ଦେବା ପରେ ଅଭିଯୁକ୍ତ ଭିଣୋଇ ବିରୋଧରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ପୀଡ଼ିତା ନିଜ ଭଉଣୀ ସହିତ ରହୁଥିଲେ । ଏହି ସମୟରେ ଭିଣୋଇ ଇକବାଲ ଅହମ୍ମଦ ଶାଳୀକୁ ପ୍ରେମ ଜାଲରେ ଫସାଇ ଉଭୟ ନିଜ ଇଚ୍ଛା ଅନୁସାରେ ଶାରୀରିକ ସମ୍ପର୍କ ରଖିଥିଲେ ।
ଏହାରି ମଧ୍ୟରେ ପୀଡ଼ିତା ୩ଥର ଗର୍ଭବତୀ ହୋଇଥିବା ବେଳେ ତାଙ୍କର ଗର୍ଭପାତ ମଧ୍ୟ କରିଛନ୍ତି । ଏହି ଘଟଣା ପରେ ପୀଡ଼ିତାଙ୍କ ଏକ ଯୁବକ ସହିତ ନିର୍ବନ୍ଧ ହୋଇଥିଲା । ଏହାପରେ ସେ ନିଜ ଭାବି ସ୍ୱାମୀଙ୍କ ସହ ରହୁଥିଲେ । ଏହାରି ମଧ୍ୟରେ ଭାବି ସ୍ୱାମୀ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଏହାପରେ ସେ ଗତ ୨୦୨୦ ମସିହାରେ ଗର୍ଭବତୀ ହୋଇଥିଲେ । ଯେତେବେଳେ ତାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା, ସେତେବେଳେ ପୀଡ଼ିତାଙ୍କ ଭାବି ସ୍ୱାମୀ ତାଙ୍କ ବୟସ ୧୯ ବର୍ଷ କହି ମେଡ଼ିକାଲରେ ଭର୍ତ୍ତି କରାଇଥିଲେ । ସେଠାରେ ସେ ମୃତ ଶିଶୁକୁ ଜନ୍ମ ଦେଇଥିବା ଜଣାପଡ଼ିଛି । ଏହାପରେ ପୀଡ଼ିତାଙ୍କ ପରିବାର ଓ ଭାବି ସ୍ୱାମୀ ମିଶି ଉକ୍ତ ମୃତ ଶିଶୁକୁ ପୋତି ଦେଇଥିଲେ । ଯେତେବେଳେ କୋର୍ଟରେ ଭିଣୋଇଙ୍କ ଦୁଷ୍କର୍ମ ଖବର ବିଚାରଧୀନ ରହିଥିଲା, ସେତେବେଳେ ମୃତ ଶିଶୁ ଓ ଭାବି ସ୍ୱାମୀଙ୍କ ସମ୍ପର୍କରେ ଜଣାପଡ଼ିଛି । ପୋଲିସ ଏବେ ଭାବିସ୍ୱାମୀ ଇମ୍ରାନଙ୍କ ବିରୋଧରେ ମାମଲା ରୁଜୁ କରିଛି ।