ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ମୁମ୍ବାଇରେ ଦୁଇଟି ନୂଆ ବନ୍ଦେ ଭାରତ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି । ଏହି ଦୁଇଟି ଟ୍ରେନ୍ ମୁମ୍ବାଇର ସାଇଧାମ ଶିରିଡ଼ି ଏବଂ ମୁମ୍ବାଇରୁ ସୋଲାପୁର ମଧ୍ୟ ଚଳାଚଳ କରିବ । ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ର ପ୍ଲାଟ୍ଫର୍ମ ନମ୍ବର-୧୮ରୁ ପ୍ରଧାନମନ୍ତ୍ରୀ ଦୁଇ ଟ୍ରେନ୍କୁ ସବୁଜ ପତାକା ଦେଖାଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଆଜିର ଦିନ ଭାରତୀୟ ରେଳ, ବିଶେଷ ଭାବେ ମୁମ୍ବାଇ ଏବଂ ମହାରାଷ୍ଟ୍ରର କନେକ୍ଟିଭିଟି ପାଇଁ ଏକ ବଡ଼ ଦିନ । ଏହି ଦୁଇଟି ଟ୍ରେନ୍ ଯୋଗୁଁ ରାଜ୍ୟରେ ପର୍ଯ୍ୟଟନ ଏବଂ ତୀର୍ଥଯାତ୍ରୀ ଅଧିକ ପ୍ରୋତ୍ସାହନ ମିଳିବ । ବନ୍ଦେ ଭାରତ ଟ୍ରେନ୍ ଭାରତର ସ୍ପିଡ୍ ଏବଂ ସ୍କିଲ୍ର ପ୍ରତିବିମ୍ବ ବୋଲି ସେ କହିଥିଲେ । ଏହି ଦୁଇଟି ଟ୍ରେନ୍ର ଶୁଭାରମ୍ଭ ପରେ ମହାରାଷ୍ଟ୍ରରେ ବନ୍ଦେ ଭାରତ ଟ୍ରେନ୍ ସଂଖ୍ୟା ୪ରେ ପହଞ୍ଚିଥିବା ବେଳେ ଦେଶରେ ଏହାର ସଂଖ୍ୟା ୧୦ ହୋଇଛି । ଏହି ବିକାଶ କାର୍ଯ୍ୟର ଉଦ୍ଘାଟନ ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ମନ୍ତ୍ରୀ ନରାୟଣ ରାଣେ, କେନ୍ଦ୍ର ରାଜ୍ୟ ମନ୍ତ୍ରୀ ରାମଦାସ ଅଠାୱଲେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାଭିସ୍ ଉପସ୍ଥିତ ଥିଲେ । ବନ୍ଦେ ଭାରତ ଟ୍ରେନ୍ର ଶୁଭାରମ୍ଭ ପରେ ପ୍ରଧାନମନ୍ତ୍ରୀ ଟ୍ରେନ୍ରେ ମାଗଣା ଯାତ୍ରା କରୁଥିବା ଶିଶୁମାନଙ୍କୁ ଭେଟିଥିଲେ । ଏହି ଅବସରରେ ସେମାନଙ୍କ ସହିତ କଥାବର୍ତ୍ତା ମଧ୍ୟ କରିଥିଲେ ।