ନୂଆଦିଲ୍ଲୀ : ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳର ଡାହାଣହାତୀ ଅଫ୍ସ୍ପିନର୍ ଟଡ୍ ମର୍ଫି ତାଙ୍କ ଡେବ୍ୟୁ ଟେଷ୍ଟ୍ରେ ୫ ୱିକେଟ୍ର ସଫଳତା ହାସଲ କରିଛନ୍ତି । ଭାରତର ୱିକେଟ୍କିପର୍-ବ୍ୟାଟ୍ସମ୍ୟାନ୍ ତଥା ମ୍ୟାଚ୍ର ଅନ୍ୟତମ ଡେବ୍ୟୁଟାଣ୍ଟ୍ ଶ୍ରୀକର ଭରତଙ୍କୁ ଏଲ୍ବିଡବ୍ଲ୍ୟୁ ଆଉଟ୍ କରି ସେ ନିଜ ଦେଶ ପକ୍ଷରୁ ଡେବ୍ୟୁରେ ୫ ୱିକେଟ୍ ନେବାରେ ସର୍ବକନିଷ୍ଠ ବୋଲର୍ ହୋଇଛନ୍ତି । ଏଥିସହ ସେ ସ୍କଟ୍ ବୋଲାଣ୍ଡ୍, ଜୋଶ୍ ହେଜଲଉଡ୍, ପ୍ୟାଟ୍ କମିନ୍ସ ଓ ନାଥନ୍ ଲିଅନ୍ଙ୍କ ସମକକ୍ଷ ହୋଇଛନ୍ତି । ସେହିପରି ୨୨ ବର୍ଷୀୟ ମର୍ଫି ଭାରତରେ ଷଷ୍ଠ ବୋଲର୍ ଭାବେ ଏପରି ସଫଳତା ପାଇଛନ୍ତି । ତାଙ୍କ ପୂର୍ବରୁ ସାଉଥ୍ ଆଫ୍ରିକାର ଲାନ୍ସ କ୍ଲଜନର୍, ଅଷ୍ଟ୍ରେଲିଆର ଜେସନ୍ କ୍ରେଜା, ଇଂଲଣ୍ଡର ଜନ୍ ଲେଭର୍, ନ୍ୟୁଜିଲାଣ୍ଡ୍ର ବ୍ରୁସ୍ ଟେଲର୍ ଓ ପାକିସ୍ତାନର ୟାସର୍ ଆରାଫତ୍ ଭାରତରେ ସମାନ ସଫଳତା ପାଇସାରିଛନ୍ତି ।