କଟକ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡ ମାମଲାର ସିବିଆଇ ତଦନ୍ତ ଲାଗି ହୋଇଥିବା ଜନସ୍ୱାର୍ଥ ମାମଲାକୁ ଆଜି ହାଇକୋର୍ଟ ଖାରଜ କରିଦେଇଛନ୍ତି । ଏହି ହତ୍ୟାକାଣ୍ଡର ତଦନ୍ତ ବର୍ତ୍ତମାନ ୧୧ ଦିନ ହେବ ତଦନ୍ତ ଚାଲିଥିବାରୁ ଏଥିପାଇଁ ଏଥିରେ ହସ୍ତକ୍ଷେପ କରିବାର ଆବଶ୍ୟକତା ନାହିଁ ବୋଲି ହାଇକୋର୍ଟ କହିଛନ୍ତି । ମୁଖ୍ୟ ବିଚାରପତି ଡକ୍ଟର ଏସ୍ ମୁରଲୀଧର ଓ ବିଚାରପତ ଏମ୍.ଏସ. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଜନସ୍ୱାର୍ଥ ମାମଲାକୁ ଖାରଜ କରି ଏହାର ଅନ୍ତ ଘଟାଇଛନ୍ତି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଗତ ୬ ତାରିଖରେ ଏହି ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା । ପିଟିସନ୍ରେ ଦର୍ଶାଇଥିଲା ଯେ ଗତ ଜାନୁଆରୀ ୨୯ତାରିଖରେ ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀଦାସ ବ୍ରଜରାଜନଗର ଠାରେ ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯିବା ବେଳେ ସଭାସ୍ଥଳରୁ ମାତ୍ର ୧୦୦ ଦୂରତାରେ କାର ଅଟକାଗଲା ।
ଯେଉଁଥିରେ କର୍ମୀ ବା ସୁରକ୍ଷାକର୍ମୀ (ପିଏସ୍ଓ) ବସିନଥିଲେ । ମନ୍ତ୍ରୀ ନିଜେ କାର ଡୋର ଖୋଲି ବାହାରକୁ ଆସୁଥିଲେ । ସେତେିକି ବେଳେ ତାଙ୍କ ଛାତିରେ ଗୁଳି ବାଜି ରକ୍ତସ୍ରାବ ହୋଇଥିଲା । ତାଙ୍କୁ ବ୍ରଜରାଜନଗର ହସ୍ପିଟାଲ ପରେ ଝାରସୁଗୁଡା ହସ୍ପିଟାଲ ନିଆଯାଇଥିଲା । ସେଠାରେ ତାଙ୍କ ପ୍ରାଣବାୟୁ ଚାଲିଯାଇଥିଲା ବେଳେ ତାଙ୍କୁ ରାଜ୍ୟ ସରକାର ଭୁବନେଶ୍ୱରରୁ ହେଲିକ୍ୟାପ୍ଟର ମଗାଇ ତାଙ୍କୁ ଆପୋଲୋ ହସ୍ପିଟାଲରେ ଅସ୍ତ୍ରୋପ୍ରଚାର କରାଇଥିଲେ ବୋଲି ଅରାବେଦନକାରୀ ପ୍ରଶ୍ନ ଉଠାଇଛନ୍ତି । ପିଏସ୍ଓ ତାଙ୍କ କାରରେ ନବସିବା କିମ୍ବା ଉଦଘାଟନ ସ୍ଥଳୀଠାରୁ ୧୦୦ ମିଟର ଦୂରରୁ କାର ରଖିବା ପାଇଁ ଡ୍ରାଇଭରକୁ କିଏ ନିର୍ଦେଶ ଦେଇଥିଲା । ଟ୍ରାଫିକ ଦାୟିତ୍ୱରେ ଥିବା ଗୋପାଳ ଦାସ ମନ୍ତ୍ରୀଙ୍କ ନିକଟରେ ଆଇଆଇସି ଥିବା ବେଳେ ଏସ୍ଆଇ ଗୋପାଳଙ୍କୁ ସେଠାରେ ରହିବା ପାଇଁ କାହିଁକି ଅନୁମତିମତି ଦିଆଗଲା ବୋଲି ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି ।
ମନ୍ତ୍ରୀଙ୍କ ସ୍ତ୍ରୀ, ପୁଅ, ଝିଅ, ଭାଇ କକା ସମସ୍ତେ ଥିବାବେଳେ ଆଇଆଇସି କାହିଁକି ଏତଲା ଦେଲେ ସେନେଇ ସନ୍ଦେହ ସୃଷ୍ଟି ହୋଇଛି ବୋଲି ଆବେଦନକାରୀ ଅଭିଯୋଗ କରିଛନ୍ତି । ଏହା ଏକ ରାଜନୈତିକ ପୂର୍ବ ଯୋଜନାବଦ୍ଧ, ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଆବେଦନକାରୀ ତାଙ୍କ ପିଟିସନ୍ରେ ଉଲ୍ଲେଖ କରିଛନ୍ତି । ରାଜ୍ୟସରକାର ତରବାରିଆ ଭାବେ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ସହିତ ହାଇକୋର୍ଟର ଅବସର ପ୍ରାପ୍ତ ବିଚାରପତିଙ୍କ ତଦାରଖରେ ମାମଲା ଯାଞ୍ଚ କରିବା ବ୍ୟବସ୍ଥା କରିଛନ୍ତି । ତେବେ ଏଥିପୂର୍ବରୁ ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ହତ୍ୟା ମାମଲାରେ କ୍ରାଇମ ବ୍ରାଞ୍ଚ ତଦନ୍ତ କରିଛି । ମାତ୍ର କିଛି ସୁଫଳ ମିଳି ନାହିଁ । ନବ ଦାସଙ୍କ ଘଟଣାରେ ବର୍ତ୍ତମାନ ସୁଦ୍ଧା ମନ୍ତ୍ରୀଙ୍କୁ ବାଜିଥିବା ଗୁଳି ଚିହ୍ନଟ କରାଯାଇନାହିଁ । ଗୋପାଳ ଓ ତାଙ୍କ ସ୍ତ୍ରୀଙ୍କର ବ୍ରହ୍ମପୁର ମେଡିକାଲ୍ରେ ଲାୟ ଡିଟେକସନ୍ ଟେଷ୍ଟ ସହ ଏମ୍ସର ଡାକ୍ତର ଦଳଙ୍କ ଦ୍ୱରା ପାଗଳାମୀ ପରୀକ୍ଷା କରିବା ପାଇଁ ପିଟିସନ୍ରେ ପ୍ରାର୍ଥନ କରାଯାଇଥିଲା । ଏହି ମାମଲାରେ କେନ୍ଦ୍ର ସରକାର, ମୁଖ୍ୟଶାସନ ସଚିବ, ଗୃହସଚିବ, ନିର୍ଦେଶକ ପୁଲିସ ଓ କ୍ରାଇମ୍ଏ ବ୍ରାଞ୍ଚ ନିର୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଥିଲା । ମାମଲାକୁ ଆଇନଜୀବୀ ଗୋପାଳ ପ୍ରାସାଦ ଜେନା ପରିଚାଳନା କରୁଥିଲା ବେଳେ ହାଇକୋର୍ଟ ମାମଲାର ଅନ୍ତ ଘଟାଇଛନ୍ତି ।