ବେଙ୍ଗାଲୁରୁ: ନାତୁଣୀକୁ ଜେଜେ ବାପାର ଯୌନ ନିର୍ଯାତନା । ବାରମ୍ବାର ପୀଡ଼ିତାଙ୍କୁ ଅଭିଯୁକ୍ତ ବୃଦ୍ଧ(୭୦) ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା । ବୁଧବାର ବେଙ୍ଗାଲୁରୁ ଫାଷ୍ଟଟ୍ରାକ ସେସନ କୋର୍ଟ ଅଭିଯୁକ୍ତ ବୃଦ୍ଧଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ସହ ୧ ଲକ୍ଷ ୩୦ ହଜାର ଟଙ୍କା ଜୋରିମାନା ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଦୀର୍ଘ ୫ବର୍ଷ ଧରି ଅଭିଯୁକ୍ତ ଜଣକ ଏପରି କରିଆସୁଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ପୀଡ଼ିତା ନିଜ ପିତାମାତାଙ୍କ ସହିତ କୁମାରସ୍ୱାମୀ ସହରରେ ରହୁଥିଲେ । ଅଭିଯୁକ୍ତ ଜଣକ ମଧ୍ୟ ତାଙ୍କ ସହ ରହୁଥିଲା । ବୃଦ୍ଧ ଜଣକ ଇଣ୍ଟରନେଟରେ ପର୍ଣ୍ଣ ଭିଡିଓ ଦେଖିବାର ଅଭ୍ୟାସ ରଖିଥିବା ମଧ୍ୟ ଜଣାପଡ଼ିଛି । ଏହାପରେ ସେ ନାତୁଣୀ ସହିତ ଖେଳିବା ବାହାନାରେ ପୀଡ଼ିତାଙ୍କ ଶରୀରକୁ ଆପତ୍ତିଜନକ ଭାବେ ସ୍ପର୍ଶ କରୁଥିବା ଅଭିଯୋଗ ହୋଇଛି । ଯେତେବେଳେ ପୀଡ଼ିତାଙ୍କ ପିତାମାତା କାମ କରିବା ଲାଗି ବାହାରକୁ ଯାଉଥିଲେ, ପ୍ରାୟ ସବୁ ଦିନ ବୃଦ୍ଧ ଜଣକ ପୀଡ଼ିତାଙ୍କୁ ଏପରି ଯୌନ ନିର୍ଯାତନା ଦେଇଆସୁଥିଲା । ଆପତ୍ତିନଜକ ଭିଡିଓ ଦେଖିବା ଲାଗି ବାଧ୍ୟ କରୁଥିବା ମଧ୍ୟ ଜଣାପଡ଼ିଛି ।
ବୃଦ୍ଧ ଜଣକ ପୀଡିତାଙ୍କୁ ତୃତୀୟ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପର୍ଣ୍ଣ ଭିଡିଓ ଦେଖାଉଥିଲା । ଏହାପରେ କେହି ଘରେ ନଥିବା ବେଳେ ଯୌନ ନିର୍ଯାତନା ଦେଉଥିଲା । ଏପରିକି ଏ ସମ୍ପର୍କରେ କାହାକୁ ସୂଚନା ଦେଲେ ଜୀବନରୁ ମାରିଦେବାକୁ ଧମକ ଦେଉଥିଲା । ପୀଡ଼ିତାଙ୍କ ପିତାଙ୍କୁ ମଧ୍ୟ ହତ୍ୟା କରିବାର ଧମକ ଦେଉଥିଲା । ଗତ ୫ବର୍ଷ ଧରି ପୀଡିତା ଜଣକ ନିଜ ଜେଜେ ବାପା ଦ୍ୱାରା ଏପରି ଯୌନ ନିର୍ଯାତନାର ଶିକାର ହୋଇଆସୁଥିଲେ । ମାତ୍ର ଗତ ୨୦୨୦ ମସିହାରେ ଯେତେବେଳେ ପୀଡ଼ିତା ଜଣକ ଅଷ୍ଟମ ଶ୍ରେଣୀରେ ପଢୁଥିଲେ, ସେତେବେଳେ ଏ ସମ୍ପର୍କରେ ସେ ନିଜ ପିତାମାତାଙ୍କୁ ଅବଗତ କରାଇଥିଲେ । ଏ ନେଇ ପୀଡ଼ିତାଙ୍କ ପିତାମାତା ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ । ବୁଧବାର ବେଙ୍ଗାଲୁରୁ ଫାଷ୍ଟଟ୍ରାକ ସେସନ କୋର୍ଟ ଅଭିଯୁକ୍ତ ବୃଦ୍ଧଙ୍କୁ ସଜା ଶୁଣାଇବା ସହିତ ଜୋରିମାନା ଭରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।