କଟକ: ଜଗତପୁରରେ ବୀଭତ୍ସ ହତ୍ୟାକାଣ୍ଡ । ବସ ଟର୍ମିନାଲରୁ ମିଳିଲା ମହିଳାଙ୍କ ମୃତଦେହ । ରାତିରେ ଏହି ହତ୍ୟାକାଣ୍ଡ ହୋଇଥିବା ବେଳେ ଦୁଷ୍କର୍ମ ସହ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ସ୍ୱାମୀ । ମୃତ ମହିଳା ହେଲେ ଜଗତପୁର ଅଞ୍ଚଳର କୁନି ସାହୁ । ଖବରପାଇ ଜଗତପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର କୁନି ସାହୁ ନାମକ ମହିଳା ଗତକାଲି ସନ୍ଧ୍ୟା ସମୟରେ ଘରୁ କୁଆଡେ ବାହାରକୁ ଯାଇଥିଲେ । କିନ୍ତୁ ରାତି ଯାଏଁ ଆଉ ଘରକୁ ଫେରି ନଥିଲେ । ଏହାପରେ ପରିବାର ଲୋକେ ଅନେକ ଖୋଜାଖୋଜି କରିବା ପରେ ନପାଇବାରୁ ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ଅନୁସାରେ ପୋଲିସ ଖୋଜାଖିଜି କରିବା ପରେ ଆଜି ସକାଳୁ ଜଗତପୁର ସ୍ଥିତ ବସ ଟର୍ମିନାଲ ନିକଟରୁ ତାଙ୍କର ମୃତଦେହ ଉଦ୍ଧାର କରିଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ମୃତ କୁନି ସାହୁଙ୍କ ସ୍ୱାମୀ ମଦନ ସାହୁ ଦୁଷ୍କର୍ମ କରାଯାଇ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ।
ମୃତ କୁନି ସାହୁଙ୍କ ସ୍ୱାମୀ ଅଭିଯୋଗ କରି କହିଛନ୍ତି, ” ପ୍ରତିଦିନ ମୋ ସ୍ତ୍ରୀ ରାତି ୯ଟା ସୁଦ୍ଧା କାମ ସାରି ଘରକୁ ଫେରେ । କିନ୍ତୁ ରାତି ୧୦ ଯାଏଁ ଆଉ ଫେରିନଥିଲେ । ପରେ ଅନେକ ଖୋଜାଖୋଜି ପରେ ଥାନାରେ ଏତଲା ଦେଇଥିଲୁ । ଆଜି ମୃତଦେହ ମିଳିଛି । ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିବା ମୁଁ ଭାବୁଛି । ଆମର କାହାସହ ସମ୍ପର୍କ ଖରାପ ନଥିଲା । ତେଣୁ ମୁଁ କାହାରିକୁ ସନ୍ଦେହ କରୁନାହିଁ । ଅନ୍ୟପଟେ ଜଗତପୁର ଥାନା ଏସିପି ଅରୁଣ ସ୍ୱାଇଁଙ୍କ କହିବାନୁସାରେ, “ଏହି ଘଟଣାକୁ ନେଇ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ସାଇଣ୍ଟିଫିକ ଟିମ ଘଟଣା ସ୍ଥଳ ବୁଲି ଅନେକ ତଥ୍ୟ ହାସଲ କରିଛି । ସ୍ତ୍ରୀକୁ ଦୁଷ୍କର୍ମ ପରେ ହତ୍ୟା କରଯାଇଥିବା ନେଇ କୁନିଙ୍କ ସ୍ୱାମୀ ମଦନ ସାହୁ ଅଭିଯୋଗ କରିଛନ୍ତି । ଲୁଗାରେ ଗଳାକୁ ଚିପି ହତ୍ୟା କରାଯାଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ରହସ୍ୟ ଉପରୁ ପରଦା ହଟିବ । ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।