ଭୁବନେଶ୍ୱର : ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ମା’ ତଥା ବିଶିଷ୍ଟ ସାରସ୍ୱତ ସାଧିକା ଶ୍ରୀମତୀ ନିର୍ମଳପ୍ରଭା ନାୟକଙ୍କର ସୋମବାର ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁରେ ସାହିତ୍ୟ, ରାଜନୀତି ଓ ସମାଜସେବା ସହ ଜଡିତ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ଶ୍ରୀମତୀ ନାୟକ ପାଟକୁରା ଗାନ୍ଧୀ ଭାବେ ପରିଚିତ ରାଜକିଶୋର ନାୟକଙ୍କର ପତ୍ନୀ ଥିଲେ । ବିବାହ ପରେ ନିଜ ଚେଷ୍ଟାରେ ପାଠ ପଢି ସେ ଶିକ୍ଷୟିତ୍ରୀ ଭାବେ ୩୫ବର୍ଷରୁ ଅଧିକ ସମୟ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ । ତାଙ୍କ ଲିଖିତ ‘ସାୟାହ୍ନର ସ୍ମୃତି’ ପୁସ୍ତକ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛି । ଗାନ୍ଧୀ ଆଦର୍ଶରେ ପ୍ରଭାବିତ ହେବା ସହ ଶ୍ରୀମତୀ ନାୟକ ଠାକୁର ନିଗମାନନ୍ଦଙ୍କ ଆଧ୍ୟାତ୍ମିକ ମାର୍ଗରେ ଆକର୍ଷିତା ହୋଇଥିଲେ । ତାଙ୍କର ଦୁଇ ପୁଅ ଓ ତିନି ଝିଅ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ । ନିର୍ମଳପ୍ରଭା କିଛି ଦିନ ଧରି ବାର୍ଦ୍ଧକ୍ୟଜନିତ ସମସ୍ୟା ଭୋଗୁଥିଲେ ଏବଂ ଚାରି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟରୋ ଅବନତି ହେବାରୁ ତାଙ୍କୁ ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା । ଚିକିତ୍ସାଧିନ ଅବସ୍ଥାରେ ସୋମାବର ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।