33.1 C
Bhubaneswar
Saturday, October 5, 2024
Homeଓଡିଶାମାଗଣା ଶିକ୍ଷାରୁ ବଞ୍ଚିତ ଗଞ୍ଜାମର କୋଭିଡ ଅନାଥ

ମାଗଣା ଶିକ୍ଷାରୁ ବଞ୍ଚିତ ଗଞ୍ଜାମର କୋଭିଡ ଅନାଥ

ବ୍ରହ୍ମପୁର :  କୋଭିଡର ଭୟାବହତା ବର୍ତ୍ତମାନ ଯାଏଁ ଲୋକଙ୍କ ମନରୁ ଲିଭିନାହିଁ। ସଂକ୍ରମଣ ଦୂର ହୋଇଯାଇଥିଲେ ମଧ୍ୟ ଏହି ମହାମାରୀର ସ୍ମୃତି ବର୍ତ୍ତମାନ ସୁଦ୍ଧା ତାଜା ରହିଛି। ଅନେକ ପରିବାର କୋଭିଡରେ ଛାରଖାର ହୋଇଯାଇଛି। କିଏ ମା’ଙ୍କୁ ହରାଇଛି ତ ଆଉ କିଏ ବାପା ଛେଉଣ୍ଡ ହୋଇଯାଇଛନ୍ତି। ମୃତକଙ୍କ ପରିବାରବର୍ଗଙ୍କ ପାଇଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ସହାୟତା ଘୋଷଣା କରିଥିଲେ। ଓଡ଼ିଶା ସରକାର ଏହି କ୍ରମରେ ଗ୍ରୀନ ପ୍ୟାସେଜ ନାମରେ ଏକ ଯୋଜନା ଘୋଷଣା କରିଥିଲେ। କିନ୍ତୁ ଗଞ୍ଜାମ ଜିଲାରେ ଏହି ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଗଲା ନାହିଁ। ଫଳରେ ଜଣେ ମଧ୍ୟ ଏହି ଯୋଜନାର ଲାଭ ପାଇପାରିଲେ ନାହିଁ। କୋଭିଡ ପରବର୍ତ୍ତୀ ପରିସ୍ଥିତି ନେଇ ସଚେତନ ଥିଲେ ରାଜ୍ୟ ସରକାର। ସେଥିପାଇଁ କୋଭିଡର ପ୍ରକୋପ ଟିକେ କମିବା ପରେ ଗ୍ରୀନ ପ୍ୟାସେଜ ଯୋଜନା ଘୋଷଣା କରିଥିଲେ। ଯେଉଁ ଶିଶୁମାନେ ମା ଓ ବାପାଙ୍କୁ ହରାଇ ଅନାଥ ହୋଇଯାଇଥିବେ, ସେମାନେ ଏହି ଯୋଜନାର ଲାଭ ପାଇପାରିବେ। ଉଚ୍ଚ ଶିକ୍ଷା ଦିଗରେ ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ ସରକାର। ଗତ ଅଗଷ୍ଟରେ ଏହି ଯୋଜନାରେ ସାମାନ୍ୟ ପରିବର୍ତ୍ତନ କରାଯାଇଥିଲା।

ହିତାଧିକାରୀମାନେ ଉଚ୍ଚ ଶିକ୍ଷା ହାସଲ ପାଇଁ ଏହି ଯୋଜନାରେ ସାମିଲ ହେବାକୁ ଥିବା ବେଳେ ବୟସ ନିର୍ଦ୍ଧାରଣ କରାଯାଇନଥିଲା। କୋଭିଡ ଅନାଥ, ଶିଶୁଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁଙ୍କୁ ଏଥିରେ ସାମିଲ କରିବାକୁ ଯୋଜନାରେ ଉଲ୍ଲେଖ ଥିଲା। ତେବେ ବାର୍ଷିକ ରୋଜଗାର ୮ ଲକ୍ଷ ଟଙ୍କାରୁ କମ ହୋଇଥିବା ଆବଶ୍ୟକ। ଉଚ୍ଚ ଶିକ୍ଷା ଆଶାୟୀମାନେ ଶିଶୁଯତ୍ନ ଅନୁଷ୍ଠାନର ଅନ୍ତେବାସୀ ହୋଇଥିବା ଜରୁରୀ। ସମ୍ପର୍କୀୟଙ୍କ ପାଖରେ ଯଦି ଶିଶୁ ରହୁଥିବେ, ତେବେ ଶିଶୁ ମଙ୍ଗଳ କମିଟି ଓ ତହସିଲ କାର୍ଯ୍ୟାଳୟରୁ ସମ୍ପର୍କୀୟଙ୍କ ରୋଜଗାର ପ୍ରମାଣପତ୍ର ନେବାକୁ ପଡ଼ିବ। ତେବେ ଯୋଜନାରେ ସାମିଲ ହେବା ପାଇଁ ଜିଲା ଶିଶୁ ସୁରକ୍ଷା ୟୁନିଟର ଅଧିକାରୀଙ୍କ ଠାରୁ ମଞ୍ଜୁରୀ ଆଣିବାକୁ ହେବ। ସମସ୍ତ ପ୍ରମାଣପତ୍ର ପରେ ସମ୍ପୃକ୍ତ ଆବେଦନକାରୀଙ୍କୁ ଉଚ୍ଚ ଶିକ୍ଷାରେ ନାମ ଲେଖାଇବା ପାଇଁ ଆବେଦନ ଦେୟ, ନାମଲେଖା ଦେୟ, ପୁନଃ ନାମଲେଖା ଦେୟ, ଟ୍ୟୁସନ ଫି’, ପରୀକ୍ଷା ଦେୟ, ହଷ୍ଟେଲ ଦେୟ, ଲାଇବ୍ରେରୀ ଏବଂ ଅନ୍ୟାନ୍ୟ ଦେୟ ସମ୍ପୂର୍ଣ୍ଣ ଛାଡ଼ ମିଳିବାର ଏହି ଯୋଜନାରେ ପ୍ରାବଧନ ରହିଛି।

ଯୋଜନାର ଅନେକ ସଫଳ ଦିଗ ରହିଥିଲେ ମଧ୍ୟ ଗଞ୍ଜାମ ଜିଲାରେ ବିଫଳ ହୋଇଛି। ଅନ୍ୟପଟେ କୋଭିଡ ଅନାଥଙ୍କ ପାଇଁ ରାଜ୍ୟ ସରକାର ‘ଆଶୀର୍ବାଦ’ ଯୋଜନା ଲାଗୁ କରିଥିଲେ। ଗଞ୍ଜାମ ଜିଲାରୁ ୪ହଜାର ୩ଶହ ହିତାଧିକାରୀ ଏଥିରେ ସାମିଲ ହୋଇଥିଲେ। ସେଥିରୁ ୧୧୮ଜଣ ଉଭୟ ବାପା ମା’ଙ୍କୁ ହରାଇଛନ୍ତି। ତଥାପି ଏହି ଅନାଥଙ୍କ ମଧ୍ୟରୁ କେହି ଜଣେ ହେଲେ ଗ୍ରୀନ ପ୍ୟାସେଜ୍‌ ଯୋଜନାରେ ଆବେଦନ ନକରିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏନେଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ ଷଡ଼ଙ୍ଗୀଙ୍କ ସହ ଯୋଗାଯୋଗ କରାଯାଇଥିଲା। ଗ୍ରୀନ ପ୍ୟାସେଜରେ ମାତ୍ର ଦୁଇଟି ଆବେଦନ ଆସିଥିଲା। ହେଲେ କେହି ଯୋଗ୍ୟ ବିବେଚିତ ହେଲେ ନାହିଁ। ଏଣୁ କେହି ହେଲେ ଏହି ଯୋଜନାରେ ସାମିଲ ହୋଇନାହାନ୍ତି ବୋଲି ସେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking