34.1 C
Bhubaneswar
Friday, October 18, 2024
Homeରାଜନୀତିବରୀରୁ ପୁଣି ଲଢିବେ ଦେବାଶିଷ ନାୟକ; ନିଜେ ଦେଲେ ସୂଚନା

ବରୀରୁ ପୁଣି ଲଢିବେ ଦେବାଶିଷ ନାୟକ; ନିଜେ ଦେଲେ ସୂଚନା

ଭୁବନେଶ୍ବର: ମୁଁ ଆସନ୍ତା ନିର୍ବାଚନରେ ନିଶ୍ଚିତ ଲଢ଼ିବି। ଆଉ ବରୀରୁ ହିଁ ଲଢ଼ିବି। ବରୀର ପୂର୍ବତନ ବିଧାୟକ ଦେବାଶିଷ ନାଏକ ଆଜି ଏମିତି ଜୋର୍‌ ଦେଇ କହିଛନ୍ତି। ବିଜେଡି କ’ଣ ଆପଣଙ୍କୁ ଟିକେଟ୍‌ ଦେବ ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିବାରୁ ଦେବାଶିଷ ପାଲଟା ପ୍ରଶ୍ନ କରିଥିଲେ, ଆପଣ କେମିତି ଜାଣିଲେ ବିଜେଡି ଟିକେଟ୍ ଦେବନି ବୋଲି?

ବିଆର୍‌ଏସ୍‌ରେ ମିଶିବା ଚର୍ଚ୍ଚାକୁ ଦେବାଶିଷ ଅସ୍ବୀକାର କରିଛନ୍ତି। ଯେଉଁ ଦିନ ଓଡ଼ିଶାର ନେତାମାନେ ବିଆର୍‌ଏସ୍‌ରେ ଯୋଗ ଦେଲେ, ସେହିଦିନ ଦେବାଶିଷ ହାଇଦ୍ରାବାଦରେ ଥିଲେ। ଏପରିକି ବିଆର୍‌ଏସ୍‌ରେ ମିଶିଥିବା ନେତାଙ୍କ ତାଲିକାରେ ତାଙ୍କ ନାମ ବି ଥିଲା। ଆଜି ଭୁବନେଶ୍ବର ଫେରିଲା ପରେ ଗଣମାଧ୍ୟମକୁ ଦେବାଶିଷ କହିଛନ୍ତି ଯେ ବିଏସ୍‌ଆର୍‌ରେ ଯୋଗ ଦେବାର ପ୍ରଶ୍ନ ଉଠୁନି। ସେଥିରେ ଯୋଗ ଦେବା ପାଇଁ କେହି ମୋ ସହ ଯୋଗାଯୋଗ ବି କରିନାହାନ୍ତି। ମୁଁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଯାଇଥିଲି। କିଏ କ’ଣ ଚର୍ଚ୍ଚା କଲା ମୁଁ ଜାଣିନି। ବିଜେଡି ଛା‌ଡ଼ିବେନି ବୋଲି ଜୋର୍‌ ଦେଇ ଦେବାଶିଷ କହିଲେ, ବିଜେଡିକୁ ଆମେ ସବୁ ତିଆରି କରିଥିଲୁ। ମୁଁ ଜଣେ ପ୍ରତିଷ୍ଠାତା ସଦସ୍ୟ। ଘର ଛାଡ଼ି କାହିଁକି କୁଆଡ଼େ ଯିବି? ନବୀନ ବାବୁ ସାଂସଦ ଥିଲା ବେଳେ ମୁଁ ତାଙ୍କ ସହ ସମ୍ପୂର୍ଣ୍ଣ ଭାବେ ରହିଥିଲି। ଆମେ ଦଳ ତିଆରି କରିଥିଲୁ ବୋଲି ଏବେ ନୂଆ ଚେହେରାଙ୍କୁ ଆପଣମାନେ ଦେଖୁଛନ୍ତି। ଯୁବପିଢ଼ି ରାଜନୀତିକୁ ଆସିବା କଥା। ତାହା ସହ ବରିଷ୍ଠ ନେତାମାନଙ୍କ ଅଭିଜ୍ଞତା ବି ଗୁରୁତ୍ବ ବହନ କରେ। ତେଣୁ ସେମାନେ ବି ସମାନ ଭାବେ ଗୁରୁତ୍ବ ପାଇବା ଆବଶ୍ୟକ।

ବିଜେଡି‌ରେ ଆପଣ କଣଠେସା ହୋଇଛନ୍ତି କି ବୋଲି ପ୍ରଶ୍ନର ଉତ୍ତରରେ ଦେବାଶିଷ କହିଥିଲେ, ନା ସେମିତି ନୁହେଁ। ମୁଁ ମୋ କାମରେ ବ୍ୟସ୍ତ ଅଛି। ସୂଚନାଯୋଗ୍ୟ ଯେ ଦେବାଶିଷ ନାଏକ ୨୦୦୦ରୁ ୨୦୧୯ ଯାଏ ବରୀର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୪ରୁ ୨୦୦୮ ଯାଏ ସେ ମନ୍ତ୍ରୀ ଥିଲେ। ୨୦୧୯ରେ ସେ ବିଜେଡି ଟିକେଟ୍‌ ନ ପାଇବାରୁ ନିର୍ବାଚନ ଲଢ଼ି ନଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking