କଟକ: କନେଷ୍ଟବଳ ନିଯୁକ୍ତି ପରୀକ୍ଷାରେ ବୟସ ସୀମା କୋହଳ କରିବା ସଂକ୍ରାନ୍ତ ଏକାଧିକ ଆବେଦନର ଏକତ୍ର ବିଚାର କରି ଆଜି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ଅନ୍ୟାନ୍ୟ କାରଣ ତଥା କୋଭିଡ ଯୋଗୁ ୨୦୧୮ରୁ ୨୦୨୨ପର୍ଯ୍ୟନ୍ତ କନଷ୍ଟେବଳ ନିଯୁକ୍ତି ପରୀକ୍ଷା ହୋଇ ନଥିବାରୁ ପ୍ରାର୍ଥୀମାନଙ୍କ ବୟସ ସୀମା ୪ ବର୍ଷ କୋହଳ କରିବାକୁ ହାଇକୋର୍ଟ ରାଜ୍ୟ ସରକାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ନଗେନ୍ ଭୋଇ, ରଶ୍ମୀରଞ୍ଜନ ବେହେରା, ସତ୍ୟଜିତ ପ୍ରଧାନଙ୍କ ସମେତ ଅନ୍ୟମାନଙ୍କ ଆବେଦନକୁ ବିଚାରକରି ବିଚାରପତି ଆଦିତ୍ୟ ମହାପାତ୍ର ଉପରୋକ୍ତ ଏହି ରାୟ ପ୍ରଦାନ କରିଛନ୍ତି । ଆବେଦନକାରୀମାନେ ୨୦୨୨ ଡିସେମ୍ବର ୩୦ରେ ପ୍ରକାଶିତ ଓଡ଼ିଶା ପୁଲିସର କନେଷ୍ଟବଳ ନିଯୁକ୍ତି ପରୀକ୍ଷା ବିଜ୍ଞାପନକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେମାନେ ପିଟିସନ୍ରେ ଦର୍ଶାଇଥିଲେ ଯେ ୨୦୧୮ ମସିହାରେ କନେଷ୍ଟବଳ ନିଯୁକ୍ତ ହୋଇ ପାରିନଥିଲା ବେଳେ ମହାମାରୀ କୋଭିଡ୍ ଯୋଗୁ ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ କନେଷ୍ଟବଳ ନିଯୁକ୍ତି ପାଇଁ ପରୀକ୍ଷା ହୋଇନଥିଲା ।
ତେବେ ୨୦୨୨ ଡିସେମ୍ବର ୩୦ ତାରିଖରେ ସରାକାରଙ୍କ ପକ୍ଷରୁ କନେଷ୍ଟବଳ ନିଯୁକ୍ତି ପରୀକ୍ଷା ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା । ଏଥିରେ ପ୍ରାର୍ଥୀମାନଙ୍କ ବୟସ ସୀମା ୧୮ରୁ ୩୨ ବର୍ଷ ରଖାଯାଇଥିଲା ବେଳେ ଆବେଦନର ଶେଷ ତାରିଖ ଜାନୁଆରୀ ୨୧ ଥିଲା । ଅନ୍ୟପକ୍ଷରେ ଏହି ପରୀକ୍ଷାଦେବା ଲାଗି ଯେଉଁମାନେ ପ୍ରସ୍ତୁତ ହେଉଥିଲେ ସେମାନଙ୍କ ମଧ୍ୟରୁ ଅନେକ ପ୍ରାର୍ଥୀଙ୍କ ବୟସ ସୀମା ଅତିକ୍ରମ କରିଯାଇଛି । ଫଳରେ ବହୁ ପ୍ରାର୍ଥୀ ଏହି ପରୀକ୍ଷା ଦେବାର ସୁଯୋଗରୁ ବଞ୍ôଚତ ହେବେ । ସାଧାରଣବର୍ଗ, ଅନୁସୂଚିତ ଜାତି, ଅସୁସୂଚିତ ଜନଜାତି ଓ ମହିଳା ବର୍ଗର ଅଶାୟୀ ପ୍ରାର୍ଥୀଙ୍କ ବୟସ ସୀମାକୁ ଅନ୍ୟୁନ୍ୟ ୫ ବର୍ଷ କୋହଳ କରିବାଲାଗିି ଅଦାଲତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନକାରୀମାନେ ପ୍ରାର୍ଥନା କରିଥିଲେ । ଏହି ମାମଲାର ବିଚାର କରି ଜଷ୍ଟିସ ମହାପାତ୍ର ଆବେଦନକାରୀଙ୍କ ବୟସ ସୀମା ୪ ବର୍ଷ କୋହଳ କରିବାକୁ ରାଜ୍ୟ ସରକାରଙ୍କ ଘରୋଇ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ଏହି ଥରକ ପାଇଁ ବୟସ ସମୀ ୪ ବର୍ଷ କୋହଳ କରାଯିବ ବୋଲି ହାଇକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି ।
କୋଭିଡ ପାଇଁ ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ କନଷ୍ଟେବଳ ପରୀକ୍ଷା ହୋଇନଥିବାରୁ ବୟସ ସୀମାରେ କୋହଳ କରିବାକୁ ହାଇକୋର୍ଟ ତାଙ୍କ ଆଦେଶରେ ଉଲ୍ଲେଖ କରିଛନ୍ତି । ଏଥି ସହିତ କନେଷ୍ଟବଳ ନିଯୁକ୍ତି ପରୀକ୍ଷା ପାଇଁ ଆବେଦନର ଶେଷ ତାରିଖ ଚଳିତ ଜାନୁଆରୀ ୨୧ ବଦଳରେ ଫେବୃଆରୀ ୧୦କୁ ବୃଦ୍ଧି କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ବୟସ ସୀମା କୋହଳ ସୁବିଧା ପାଉଥିବା ପ୍ରାର୍ଥମାନେ ଅଫ୍ଲାଇନ୍ କିମ୍ବା ଅନ୍ଲାଇନ୍ରେ ଆବେଦନ କରିପାରିବେ ବୋଲି ହାଇକୋର୍ଟ କହିଛନ୍ତି । ହାଇକୋର୍ଟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଯୋଗୁ କନେଷ୍ଟବଳ ନିଯୁକ୍ତି ପାଇଁ ପରୀକ୍ଷାରେ ବୟସ ସୀମା ଟପିଯାଇଥିବା ଆଶୟୀ ପ୍ରାର୍ôଥମାନଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଏସ୍କେ ସାମଲ, ବୁଦ୍ଧଦେବ ରାଉତରାୟ ଓ ରାଜୀବ ରଥ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନ୍ଜୀବୀ ବିପି ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ ।