26.1 C
Bhubaneswar
Monday, November 25, 2024
Homeଖେଳଆଜି ଭାରତ-ନ୍ୟୁଜିଲାଣ୍ଡ୍ ଦ୍ୱିତୀୟ ଦିନିକିଆ

ଆଜି ଭାରତ-ନ୍ୟୁଜିଲାଣ୍ଡ୍ ଦ୍ୱିତୀୟ ଦିନିକିଆ

ରାୟପୁର: ଚଳିତ ନ୍ୟୁଜିଲାଣ୍ଡ୍ ବିପକ୍ଷ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌କୁ ୧୨ ରନ୍‌ରେ ଜିତି ଘରୋଇ ଭାରତ ୧-୦ରେ ଆଗୁଆ ଥିବା ବେଳେ ଶନିବାର ଏଠାକାର ଶହୀଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ଠାରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ମାଧ୍ୟମରେ ଷ୍ଟାଡିୟମ୍‌ଟି ଅନ୍ତର୍ଜାତୀୟ ଦିନିକିଆରେ ପଦାର୍ପଣ କରିବ । ସେହିପରି ଏହା ଦେଶର ୫୦ତମ ଷ୍ଟାଡିୟମ୍ ଭାବେ କୌଣସି ଅନ୍ତର୍ଜାତୀୟ ଦିନିକିଆ ଆୟୋଜନ କରିବାର ସୁଯୋଗ ପାଇବ । ପ୍ରଥମ ଥର ପାଇଁ ସହରରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବାକୁ ଥିବାରୁ ୬୦ ହଜାର କ୍ଷମତା ବିଶିଷ୍ଟ ଷ୍ଟାଡିୟମ୍ ହାଉସ୍‌ଫୁଲ୍ ହେବା ନିଶ୍ଚିତ । ପ୍ରଥମ ମ୍ୟାଚ୍‌ରେ ଦଳ ୩୫୦ ରନ୍‌ର ଟାର୍ଗେଟ୍ ଦେଇଥିଲେ ମଧ୍ୟ ନ୍ୟୁଜିଲାଣ୍ଡ୍ ଟାର୍ଗେଟ୍ ପାଖାପାଖି ପହଞ୍ଚିଯାଇଥିଲା । ଅବଶ୍ୟ ଭାରତ ଏହି ମ୍ୟାଚ୍‌କୁ ୧୨ ରନ୍‌ରେ ଜିତିନେଇଥିଲା, କିନ୍ତୁ ଏହା ଘରୋଇ ଦଳର ବୋଲରଙ୍କ ଦୁର୍ବଳତାକୁ ପୁଣିଥରେ ପଦାରେ ପକାଇ ଦେଇଥିଲା । ତେଣୁ ଦ୍ୱିତୀୟ ମ୍ୟାଚ୍‌ରେ ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ କୋଚ୍ ରାହୁଲ୍ ଦ୍ରାବିଡ ଦଳର ଏହି ଦୁର୍ବଳତାକୁ ସୁଧାରିନେବା ସକାଶେ ଉଦ୍ୟମ କରିବେ ।

ଅବଶ୍ୟ ଯୁବ ପେସର୍ ମହମ୍ମଦ ସିରାଜ୍ ତାଙ୍କର ଉନ୍ନତ ଫର୍ମ କାଏମ ରଖିଛନ୍ତି । ଗତ ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ଦିନିକିଆ ପରେ ବୁଧବାର ମ୍ୟାଚ୍‌ରେ ସେ କ୍ରମାଗତ ଦ୍ୱିତୀୟ ଥର ପାଇଁ ୪ ୱିକେଟ୍‌ର ସଫଳତା ପାଇଥିଲେ । ତେଣୁ ସେ ପୁଣିଥରେ ବୋଲିଂ ବିଭାଗର ନେତୃତ୍ୱ ନେବେ । ନ୍ୟୁଜିଲାଣ୍ଡ୍ ୩୫୦ ରନ୍‌ର ଟାର୍ଗେଟ୍‌କୁ ହାସଲ କରିବା ସ୍ଥିତିରେ ପହଞ୍ଚିଥିଲେ ମଧ୍ୟ ସିରାଜ୍ ଚମତ୍କାର ପ୍ରଦର୍ଶନ ଭ୍ରମଣକାରୀ ଦଳକୁ ଏହି ସୁଯୋଗ ଦେଇ ନଥିଲା । ଅନ୍ୟପକ୍ଷରେ ବ୍ୟାଟିଂ ବିଭାଗରେ ଯୁବ ଓପନର ଶୁବମାନ ଗିଲ୍‌ଙ୍କ ରେକର୍ଡ ଦ୍ୱିଶତକୀୟ ଇନିଂସ ନ୍ୟୁଜିଲାଣ୍ଡ୍ ଆଗରେ ବଡ଼ ଲକ୍ଷ୍ୟ ଉପସ୍ଥାପନ କରିଥିଲା । ରେକର୍ଡ ଦ୍ୱିଶତକୀୟ ଇନିଂସ ପରେ ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରୁ ବାଦ୍ ପଡ଼ିବା ପରେ ଈଶାନ୍ କିଶନ୍ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ ହେଁ ଗତ ମ୍ୟାଚ୍‌ରେ ମଧ୍ୟକ୍ରମରେ ବିଫଳ ହୋଇଛନ୍ତି । ଲୋକେଶ ରାହୁଲ୍‌ଙ୍କ ସ୍ଥାନରେ ସୁଯୋଗ ପାଇଥିବା କିଶନ୍ ଏହାର ଭରପୂର ଫାଇଦା ଉଠାଇବାକୁ ଦ୍ୱିତୀୟ ମ୍ୟାଚ୍‌ରେ ଉଦ୍ୟମ କରିବେ । ବୋଲିଂ ବିଭାଗରେ ପେସର୍ ଉମରାନ୍ ମଲିକଙ୍କ ସ୍ଥାନରେ ଟିମ୍ ମ୍ୟାନେଜ୍‌ମେଣ୍ଟ୍ ପ୍ରଥମ ମ୍ୟାଚ୍‌ରେ ଶାର୍ଦ୍ଦୁଲ୍ ଠାକୁରଙ୍କ୍‌ୁ ସାମିଲ୍ କରିଥିଲା । କିଛି ରନ୍ କରିବାର ଦକ୍ଷତା ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ଦେଇଥିଲା । କିନ୍ତୁ ନ୍ୟୁଜିଲାଣ୍ଡ୍ ବ୍ୟାଟ୍ସମ୍ୟାନ୍‌ମାନଙ୍କୁ ଉମରାନ୍‌ଙ୍କ ଅତିରିକ୍ତ ପେସ୍ ସମସ୍ୟାରେ ପକାଇବାର ଯଥେଷ୍ଟ ସମ୍ଭାବନା ଥିବାରୁ ଦ୍ୱିତୀୟ ମ୍ୟାଚ୍‌ରେ ସେ ଫେରିପାରନ୍ତି । ତା’ଛଡ଼ା ଉମରାନ୍‌ଙ୍କ ପାଖରେ ମିଡଲ୍ ଓଭର୍‌ରେ ୱିକେଟ୍ ପକାଇବାର ଦକ୍ଷତା ରହିଥିବା ସେ ଏକାଧିକ ବାର ପ୍ରମାଣ କରିଛନ୍ତି ।

ସମ୍ଭାବ୍ୟ ଭାରତୀୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ୍‌, ବିରାଟ କୋହଲି, ଈଶାନ୍ କିଶନ୍ (ୱିକେଟ୍‌କିପର୍‌), ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, ଶାର୍ଦ୍ଦୁଲ୍ ଠାକୁର/ଉମରାନ୍ ମଲିକ, କୁଲଦୀପ ଯାଦବ, ମହମ୍ମଦ ଶମି ଓ ମହମ୍ମଦ ସିରାଜ୍ ।

ସମ୍ଭାବ୍ୟ ନ୍ୟୁଜିଲାଣ୍ଡ୍ ଏକାଦଶ: ଫିନ୍ ଆଲେନ୍‌, ଡେଭନ୍ କୋନ୍‌ୱେ, ହେନ୍‌ରୀ ନିକୋଲ୍ସ, ଡାରିଲ୍ ମିଚେଲ୍‌, ଟମ୍ ଲାଥାମ୍ (ଅଧିନାୟକ/ୱିକେଟ୍‌କିପର୍‌), ଗ୍ଲେନ୍ ଫିଲିପ୍‌ସ, ମାଇକେଲ୍ ବ୍ରେସ୍‌ୱେଲ୍‌, ମିଚେଲ୍ ସାଣ୍ଟନର୍‌, ଇଶ୍ ସୋଢ଼ୀ/ହେନ୍‌ରୀ ଶିପ୍‌ଲି, ଲକି ଫର୍ଗୁସନ୍ ଓ ଡଗ୍ ବ୍ରେସ୍‌ୱେଲ୍‌

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking