ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ତିହାର ଜେଲ୍ରେ ବନ୍ଦ ଥିବା ଦିଲ୍ଲୀର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ଜେଲ୍ ଅଧିକାରୀମାନଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ମିଡିଆ ରିପୋର୍ଟ୍ସ ଅନୁସାରେ, ଅଧିକାରୀମାନେ ଜୈନ୍ଙ୍କ ବିରୋଧରେ ଜେଲ୍ ଡିଜିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଜୈନ୍ ସେମାନଙ୍କୁ ଜେଲ୍ରେ ଦୁର୍ବ୍ୟବହାର କରୁଛନ୍ତି ଏବଂ ଜେଲ୍ରୁ ବାହାରିବା ପରେ ପରିଣାମ ଭୋଗିବ ବୋଲି ଧମକ ଦେଉଥିବା ସେମାନେ କହିଛନ୍ତି । ଅଭିଯୋଗରେ ଦର୍ଶାଯାଇଛି ଜେଲ୍ ନିୟମ ଉଲ୍ଲଂଘନ କରିବାରୁ ଡିସେମ୍ବର ୮ ତାରିଖରେ ଜୈନ୍ଙ୍କୁ କାରଣ ଦର୍ଶାଅ ନୋଟିସ୍ ଦେବାକୁ ଯାଇଥିବା ବେଳେ ସେ କହିଥିଲେ ‘ମୁଁ ସବୁ ଜାଣିଛି । ବାହରକୁ ବାହରିବା ପରେ ସମସ୍ତଙ୍କୁ ଦେଖିନେବି ।’ ଜେଲ୍ ଡିଜିଙ୍କୁ ଅଭିଯୋଗ କରିଥିବା ଅଧିକାରୀଙ୍କ ମଧ୍ୟରେ ଜେଲ୍ ନମ୍ବର ୭ର ଅଧୀକ୍ଷକ, ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ୍, ଆସିଷ୍ଟାଣ୍ଟ୍ ସୁପରିଣ୍ଟେଣ୍ଡେଣ୍ଟ୍, ଜେଲ୍ ଏଆଇଜି ଓ ଲ’ ଅଧିକାରୀ ସାମିଲ । ତେବେ ଏ ନେଇ ଆମ୍ ଆଦ୍ମୀ ପାର୍ଟି (ଆପ୍) କିମ୍ବା ଦିଲ୍ଲୀ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।