ଭୁବନେଶ୍ୱର: ସିଙ୍ଗାପୁରରେ ବିଭିନ୍ନ ନାମୀଦାମୀ ହେଟେଲରେ ଚାକିରି ଦେବାକୁ କହି ୨୦ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଠକାମିର ଶିକାର ହୋଇଥିବା ଏକାଧିକ ବ୍ୟକ୍ତି ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଗ୍ରହଣ କରି ପୁଲିସ ତଦନ୍ତ କରୁଛି ।
ସୁଚନା ମୁତାବକ, ରସୁଲଗଡ଼ ପ୍ଲଟ୍ ନଂ-୧୦୦ରେ ରହୁଥିବା ରବିନ୍ଦ୍ର ପାଢୀ ନାମକ ବ୍ୟକ୍ତି ଲାଇଭ୍ ବାର୍ଡ ନାମକ ଏକ ପ୍ଲେସ୍ମେଣ୍ଟ ସଂସ୍ଥା ଖୋଲିଥିଲେ । ବେକାରୀ ଯୁବକ,ଯୁବତୀମାନଙ୍କୁ ଚାକିରି ଦେବାକୁ ବିଜ୍ଞାପନ ଦେଉଥିଲେ । ଏହି ସମୟରେ ଠକାମିର ଶିକାର ହୋଇଥିବା ବାପିନ ସ୍ୱାଇଁ ଚାକିରି ଖୋଜୁଥିଲେ । ରବିନ୍ଦ୍ର ତାଙ୍କୁ ସିଙ୍ଗାପୁରରେ ଚାକିରି କରାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ସିଙ୍ଗାପୁରରେ ଥିବା ବିଭିନ୍ନ ତାରକା ହୋଟେଲରେ କାମ ଦେବାକୁ କହିବା ସହ ମାସକୁ ୭୦ ହଜାର ଟଙ୍କା ଦରମା ଆକାରରେ ମିଳିବ ବୋଲି ଲେଭ ଦେଖାଇଥିଲେ । ଚାକିରି ପାଇଁ ରବିନ୍ଦ୍ର ତାଙ୍କୁ ୮୦ ହଜାର ଟଙ୍କା ମାଗିଥିଲେ । ବିଦେଶରେ ଚାକିରି ଆଶାରେ ଲୋଭରେ ପଡି ବାପିନି ୮୦ ହଜାର ଟଙ୍କା ଦେଇଥିଲେ । ଟଙ୍କା ନେବା ପରେ ଉଭୟଙ୍କ ମଧ୍ୟ ଏକ କୋର୍ଟ କାଗଜରେ ଏଗ୍ରିମେଣ୍ଟ ହୋଇଥିଲା । ଏକ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଚାକିରି ନଦେଲେ ଟଙ୍କା ଫେରାଇ ଦେବେ ବୋଲି । ବଡ଼ କଥା ହେଲେ ବାପିନି ନିଜ ଗଞ୍ଜାମ ଗ୍ରାମର ଏକାଧିକ ଲୋଙ୍କୁ ଏହି ଚାକିରି ସମ୍ପର୍କରେ କହିଥିଲେ । ଗ୍ରାମ ଲୋକମଧ୍ୟ ଚାକିରି ଲୋଭରେ ରବିନ୍ଦ୍ରଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହିଭଳି ଏକାଧିକ ଲୋକଙ୍କ ଠାରୁ ୮୦ ହଜାର ଟଙ୍କା ଆଦାୟ କରି ନେଇଥିଲେ । ହେଲେ ଦେଇଥିବା ସମୟ ମଧ୍ୟରେ ଚାକିରି ଦେଇନଥିଲେ । ବରଂ ଭିସା କରିବା ଆଳ ଦେଇ ପୁଣି ଟଙ୍କା ଲୁଟି ନେଇଥିଲେ । ଏହିଭଳି ସେ ୨୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଠକିବା ପରେ ଅଫିସ୍ ବନ୍ଦ କରି ଚମ୍ପଟ ମାରିଥିଲେ । ଶେଷରେ ଲୋକେ ତାର ଅଫିସ୍ ଯିବା ପରେ ଠକାମିର ଶିକାର ହୋଇଥିବା ଜାଣି ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।