ଭୁବନେଶ୍ୱର: ରାଜ୍ୟରେ ନୂଆବର୍ଷରୁ ଯାନବାହନ ନିୟନ୍ତ୍ରଣ କ୍ଷେତ୍ରରେ ଲାଗୁ ହୋଇଛି ନୂଆ ନିୟମ । ସେମାବାର ଠାରୁ ରାଜ୍ୟର ସମସ୍ତ ଜାତୀୟ ରାଜପଥ ଟୋଲ୍ ପ୍ଲାଜାରେ ଆରମ୍ଭ ହୋଇଛି ଇ-ଡିଟେକ୍ସନ୍ ବ୍ୟବସ୍ଥା । ଏହି ବ୍ୟବସ୍ଥା ଅଧୀନରେ ଟୋଲ ପ୍ଲାଜା ଅତିକ୍ରମ କରୁଥିବା ଗାଡ଼ିର ଫାଷ୍ଟାଗ୍ ଓ ଗାଡ଼ିର ଛବିକୁ ଆଧାର କରି ଗାଡ଼ିର ପଞ୍ଜୀକରଣ ପ୍ରମାଣପତ୍ର, ଫିଟ୍ନେସ୍ ସାର୍ଟିଫିକେଟ୍, ପରମିଟ୍, ପ୍ରଦୂଷଣ ପ୍ରମାଣପତ୍ର ଆଦି ଯାଞ୍ଚ କରିବ ରାଜ୍ୟ ପରିବହନ କର୍ତ୍ତୃପକ୍ଷର ଇ-ଡିଟେକ୍ସନ ପୋର୍ଟାଲ । ଯେଉଁ ଗାଡ଼ିର ବୈଧ ଡକ୍ୟୁମେଣ୍ଟ ନ ଥିବ, ଏହା ବିରୋଧରେ ଅଟୋମେଟେଡ୍ ଚାଲାଣ କଟିବ।
ଜାତୀୟ ରାଜପଥ ଟୋଲ୍ ଗେଟ୍ରେ ଆରମ୍ଭ ହୋଇଥିବା ଇ-ଡିଟେକ୍ସନ୍ ବ୍ୟବସ୍ଥା ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଖଣି ଓ ଶିଳ୍ପାଞ୍ଚଳରେ ମଧ୍ୟ ଲାଗୁ ହେବ ବୋଲି ଜଣାପଡ଼ିଛି । ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ନିୟମ ଅନୁସାରେ ଗାଡି ନମ୍ବର ଶେଷ ସଂଖ୍ୟା ୧ ଓ ୨ଥିବା ଗାଡ଼ି ଗୁଡିକ ଲାଗି ସେମାବାର ଠାରୁ ଏହି ନିୟମ ଲାଗୁ ହୋଇଛି । ପର୍ଯ୍ୟାୟକ୍ରମେ ଅନ୍ୟ ଗାଡ଼ି ନମ୍ବର ପାଇଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ କଡ଼ାକଡ଼ି ହେବ ବୋଲି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଯୁଗ୍ମ କମିଶନର ଦୀପ୍ତି ରଞ୍ଜନ ପାତ୍ର କହିଛନ୍ତି । ବୈଧ ଡକ୍ୟୁମେଣ୍ଟ ବିନା ଚାଲୁଥିବା ଗାଡ଼ିକୁ ଇ-ଡିଟେକ୍ସନ ଦ୍ୱାରା ଧରାଯିବ । ଡକ୍ୟୁମେଣ୍ଟ ଅପଡେଟ୍ ନଥାଇ ଚାଲୁଥିବା ଗାଡିକୁ ଧରିବାକୁ ପରିବହନ ବିଭାଗ ପକ୍ଷରୁ ଏପରି ବ୍ୟବସ୍ଥା କରାଯାଇଛି । ଇ-ଡିଟେକ୍ସନ ପୋର୍ଟାଲ ଦ୍ୱାରା ଫାଷ୍ଟଟ୍ୟାଗ୍ ଓ ଟୋଲଗେଟରୁ ତଥ୍ୟ ସଂଗ୍ରହ କରି ଇ-ଚାଲାଣ କଟାଯିବ । ପରିବହନ ବିଭାଗର ନିୟମ ଅନୁସାରେ ଏକ ଯାନ ସର୍ବସାଧାରଣ ରାସ୍ତାରେ ଯିବା ପାଇଁ ପଞ୍ଜୀକରଣ ପ୍ରମାଣପତ୍ର, ଫିଟନେସ୍ ସାର୍ଟିଫିକେଟ୍ ଏବଂ ଅନୁମତି ଭଳି ବୈଧ ଦଲିଲର ରହିବା ବାଧ୍ୟତାମୂଳକ ।
ସେହିପରି ପରିବହନ ଯାନ ଲାଗି ବୀମା, ପଲ୍ୟୁସନ ସାର୍ଟିଫିକେଟ୍ ଏବଂ ଡ୍ରାଇଭିଂ ଲାଇସେନ୍ସ ସମସ୍ତ ଡ୍ରାଇଭରଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି । ଜାତୀୟ ରାଜପଥରେ ଅବସ୍ଥିତ ଟୋଲ୍ ଫାଟକରୁ ସଂଗୃହିତ ନମୁନା ତଥ୍ୟ ଅନୁଯାୟୀ, ବୈଧ ଦଲିଲ ବିନା ବହୁ ସଂଖ୍ୟକ ଯାନବାହାନ ଚଳାଚଳ କରୁଛି। ଓଡ଼ିଶାର ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥ ଦେଇ ଯାଉଥିବା ଏଭଳି ଯାନଗୁଡ଼ିକୁ ଚିହ୍ନଟ କରିବା ପାଇଁ ପରିବହନ ବିଭାଗ ଇ-ଡିଟେକ୍ସନ ପୋର୍ଟାଲ ପ୍ରସ୍ତୁତ କରୁଛି । ପ୍ରଥମ ପର୍ଯ୍ୟାୟରେ ‘ଏନ୍ଏଚ୍ଏଆଇ’ର ଟୋଲ୍ ଗେଟ୍ ଗୁଡିକ ପୋର୍ଟାଲ୍ ସହିତ ଏକୀଭୂତ ହୋଇଛି ।
ପରବର୍ତ୍ତୀ ସମୟରେ ଖଣି ଏବଂ ଶିଳ୍ପ କ୍ଷେତ୍ରରୁ ମଧ୍ୟ ତଥ୍ୟ ସଂଗ୍ରହ କରାଯିବ । ବାହାନ ପୋର୍ଟାଲରେ ସବିଶେଷ ତଥ୍ୟ ସହିତ ବିଶ୍ଳେଷଣ କରାଯିବ ଏବଂ ବୈଧ ଡକ୍ୟୁମେଣ୍ଟ ବିନା ଚାଲୁଥିବା ଯାନଗୁଡ଼ିକ ପାଇଁ ସ୍ୱୟଂଚାଳିତ ଭାବରେ ଚାଲାଣ ସୃଷ୍ଟି ହେବ । ଫାଷ୍ଟଟାଗ୍ ମାଧ୍ୟମରେ ଅଣାଯାଇଥିବା ତଥ୍ୟ ଏବଂ ଏକ ଗାଡି ଟୋଲ୍ ଗେଟ୍ ଦେଇ ଯିବାବେଳେ କଏଦ ହୋଇଥିବା ଚିତ୍ର ଅନୁଯାୟୀ ତଥ୍ୟ ସଂଗ୍ରହ କରାଯିବ । ତୁରନ୍ତ ସୂଚନା ଗାଡି ମାଲିକମାନଙ୍କୁ ସଚେତନ କରିବ ଏବଂ ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁହାର ହ୍ରାସ କରିବାରେ ସାହାଯ୍ୟ କରିବ । ଯଦି କୌଣସି ଅପ୍ରତ୍ୟାଶିତ ଘଟଣା କିମ୍ବା ଦୁର୍ଘଟଣା ଘଟେ ତେବେ ସମ୍ପୃକ୍ତ ଗାଡ଼ିର ବୈଧ ଦଲିଲ ନଥିଲେ ଗାଡ଼ି ମାଲିକ କିମ୍ବା ପୀଡିତ କୌଣସି ବୀମା ଦାବି କରିପାରିବେ ନାହିଁ । ଦୁର୍ଘଟଣାକୁ ରୋକିବା ପାଇଁ ସମସ୍ତ ଗାଡି ମାଲିକଙ୍କ ପାଇଁ ମୋଟର ଯାନ ଅଧିନିୟମ ୧୯୮୮ରେ ଧାର୍ଯ୍ୟ କରାଯାଇଥିବା ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।