ନୂଆଦିଲ୍ଲୀ : ଇତିହାସର ଦ୍ୱାହି ଦେଇ କେତେକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଘଟଣାର କଦର୍ଥ କରାଯାଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ବେଗ ପ୍ରକାଶ କରିଛନ୍ତି । ଏଭଳି ସଂକୀର୍ଣ୍ଣ ମାନସିକତାର ଊର୍ଦ୍ଧ୍ୱକୁ ଉଠି ବର୍ତ୍ତମାନ ସରକାର ବିଗତ ଦଶନ୍ଧିଗୁଡିକର ତ୍ରୁଟିକୁ ଅନେକାଂଶରେ ସଂଶୋଧନ କରିସାରିଲେଣି ବୋଲି ମୋଦୀ କହିଛନ୍ତି । ସୋମବାର ଏଠାରେ ଆୟୋଜିତ ପ୍ରଥମ ‘ବୀର ବାଲ୍ ଦିବସ’ ଉତ୍ସବରେ ଯୋଗଦେଇ ମୋଦୀ ଶିଖ୍ ସଂପ୍ରଦାୟଙ୍କ ଦଶମ ଗୁରୁ ଗୋବିନ୍ଦ ସିଂହଙ୍କ ଦୁଇ ପୁତ୍ର ଜୋରାୱର ସିଂହ ଓ ଫତେହ୍ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶିଖ୍ ସଂପ୍ରଦାୟର ସମ୍ମାନ ରକ୍ଷା କରିବାକୁ ଉଭୟ ଜୋରାୱର ଓ ଫତେହ୍ ସିଂହ ଯେଉଁ ବଳିଦାନ ଦେଇଥିଲେ, ତାହାକୁ ମୋଦୀ ଭୂୟସୀ ପ୍ରଶଂସା କରିଛନ୍ତି । ଗୋଟିଏପଟେ ଆତଙ୍କବାଦ ଥିବାବେଳେ ଅନ୍ୟପଟରେ ଥିଲା ଆଧ୍ୟାତ୍ମିକବାଦ ।
ଗୋଟିଏପଟେ ସାଂପ୍ରଦାୟିକ ହିଂସା ସ୍ଥାନ ପାଇଥିବାବେଳେ ଅନ୍ୟପଟରେ ଉଦାରବାଦ ରାଜୁତି କରୁଥିଲା । ଲକ୍ଷାଧିକ ମୋଗଲ ସୈନ୍ୟଙ୍କ ମୁକାବିଲା ଅସମ୍ଭବ ଜାଣି ସୁଦ୍ଧା ଏହି ଦୁଇ ବୀର ପୁତ୍ର ପ୍ରାଣବଳି ଦେବାକୁୁ ତିଳେମାତ୍ର କୁଣ୍ଠାବୋଧ କରିନଥିଲେ । ତତ୍କାଳୀନ ମୋଗଲ ଶାସକ ଆଉରଙ୍ଗଜେବ୍ ଯୁଦ୍ଧର ଧମକ ଦେଇ ଶିଖ୍ ସଂପ୍ରଦାୟର ସତ୍ତା ଲୋପ କରିବାକୁ ଉଦ୍ୟମ କରିଥିଲେ । ତେବେ ଅଖଣ୍ଡ ଭାରତର ସ୍ୱତନ୍ତ୍ରତାକୁ ନୂତନ ରୂପ ଦେବାକୁ ଆଉରଙ୍ଗ୍ଜେବ୍ ଯେଉଁ ହୀନ ଚକ୍ରାନ୍ତ କରିଥିଲେ, ତାହା ଏହି ଦୁଇ ବୀର ପୁତ୍ରଙ୍କ ସାହସିକତା ଆଗରେ ହାର୍ ମାନିଥିଲା ବୋଲି ମୋଦୀ କହିଛନ୍ତି । ପ୍ରବଳ ପ୍ରତାପୀ ମୋଗଲ ସମ୍ରାଟଙ୍କ କୌଣସି ଧମକ କାର୍ଯ୍ୟ କରିନଥିଲା । ଉଭୟ ଜୋରାୱର ଓ ଫତେହ୍ ସିଂହ ନିଜ ଧର୍ମର ସମ୍ମାନ ରକ୍ଷା କରିବାକୁ ସହିଦ ହେବାକୁ ଶ୍ରେୟସ୍କର ମନେ କରିଥିଲେ । ଏହି ଚିନ୍ତାଧାରା ଭାରତୀୟ ଯୁବପିଢିକୁ ନୂତନ ମାର୍ଗ ପ୍ରଦର୍ଶନ କରିବ ବୋଲି ମୋଦୀ ଆଶାବ୍ୟକ୍ତ କରିଛନ୍ତି ।
ଇତିହାସର ଉଦାହରଣ ଦେଇ ଲୋକଙ୍କ ମନରେ ହୀନମନ୍ୟତାର ବୀଜ ରୋପଣ କରାଯାଉଛି । ଯାହାଫଳରେ ଏହି ଲୋକମାନେ ସମାଜରେ ନିଜର ସ୍ଥିତିକୁ ଉପଲବ୍ଧ କରିପାରୁନାହାନ୍ତି । ସେମାନଙ୍କ ମନରେ ସବୁବେଳେ ସଂକୀର୍ଣ୍ଣତା ଭରି ରହିଥିବାରୁ ସେମାନେ ଜୀବନପଥରେ ଅଗ୍ରସର ହେବାକୁ କୁଣ୍ଠାବୋଧ କରୁଛନ୍ତି । ତେବେ ସମୟ ବଦଳି ଯାଇଛି । ସ୍ୱାଧୀନତାପ୍ରାପ୍ତିର ୭୫ ବର୍ଷ ଅବସରରେ ଭାରତ ଆଜି ‘ଅମୃତ କାଳ’ରେ ପହଞ୍ଚିଛି । ଆଗାମୀ ୨୫ ବର୍ଷ ମଧ୍ୟରେ ଦେଶକୁ ନୂତନ ଶିଖରରେ ପହଞ୍ଚାଇବାକୁ ସରକାର ପ୍ରତିଶ୍ରୁତିବଦ୍ଧ । ତେଣୁ ଆମକୁ ଆଗକୁ ବଢିବାକୁ ହେଲେ, ଅତୀତର ସବୁ ଗ୍ଲାନି, ହୀନମନ୍ୟତାକୁ କବର ଦେବାକୁ ପଡିବ ବୋଲି ମୋଦୀ ଆହ୍ୱାନ ଦେଇଛନ୍ତି । ଭାରତର ଇତିହାସ ଅତ୍ୟନ୍ତ ରୁଦ୍ଧିମନ୍ତ ।
ତେବେ ଭାରତୀୟ ଇତିହାସର ଶ୍ରେଷ୍ଠ ଘଟଣାବଳୀକୁ ସକରାତ୍ମକ ଭଙ୍ଗୀରେ ଗ୍ରହଣ କରିବା ପରିବର୍ତ୍ତେ କିଛି ଲୋକ ଏହାର କୁତ୍ସାରଟନା କରିବା ସହ ଏହାକୁ ବିଚିତ୍ର ଭଙ୍ଗୀରେ ଉପସ୍ଥାପନ କରୁଛନ୍ତି । ତେଣୁ ଏହି ପବିତ୍ର ‘ବୀର ବାଲ୍ ଦିବସ’ ଅବସରରେ ସବୁ ଭାରତୀୟ ଆମର ଗୌରବାଜ୍ଜ୍ୱଳ ଇତିହାସକୁ ମନେ ପକାଇବା ସହ ଏକ ଉତ୍ସାହମୂଳକ ଭବିଷ୍ୟତ ଗଠନ ଦିଗରେ କାର୍ଯ୍ୟ କରିବାକୁ ମୋଦୀ ଆହ୍ୱାନ ଦେଇଛନ୍ତି । ମାତ୍ର ତିନି ଶତାବ୍ଦୀ ପୂର୍ବେ ଭାରତ ମାଟିରେ ଘଟିଥିବା ଚମ୍କାଉଣ ଓ ସିରହିନ୍ଦ୍ ଯୁଦ୍ଧର ଫଳାଫଳକୁ ଭାରତୀୟମାନେ କଦାପି ଭୁଲିବା ଉଚିତ ନୁହେଁ ବୋଲି ମୋଦୀ କହିଛନ୍ତି । ଲକ୍ଷାଧିକ ମୋଗଲ ସୈନ୍ୟଙ୍କ ଉପସ୍ଥିତିକୁ ଭ୍ରୁକ୍ଷେପ ନକରି ଗୁରୁ ଗୋବିନ୍ଦ ସିଂହଙ୍କ ଦୁଇ ପୁତ୍ର ଯେଭଳି ସାହସିକତା ପ୍ରଦର୍ଶନ କରି ସହିଦ ହୋଇଥିଲେ, ତାହା ଭାରତୀୟ ଯୁବପିଢିକୁ ପ୍ରେରଣା ଯୋଗାଇବ ବୋଲି ମୋଦୀ କହିଛନ୍ତି ।