28.1 C
Bhubaneswar
Friday, November 22, 2024
Homeଓଡିଶାଗଣଶିକ୍ଷା ବିଭାଗ ପକ୍ଷରୁ ଜୁନିୟର କଲେଜରେ ଉପସ୍ଥାନ ବୃଦ୍ଧି ଲାଗି ଗୁରୁତ୍ୱ : ଶ୍ରେଣୀରେ ଉପସ୍ଥାନ...

ଗଣଶିକ୍ଷା ବିଭାଗ ପକ୍ଷରୁ ଜୁନିୟର କଲେଜରେ ଉପସ୍ଥାନ ବୃଦ୍ଧି ଲାଗି ଗୁରୁତ୍ୱ : ଶ୍ରେଣୀରେ ଉପସ୍ଥାନ କମିଲେ ଦାୟୀହେବେ ଅଧ୍ୟକ୍ଷ

ଭୁବନେଶ୍ୱର: କରୋନା ଲାଗି ରାଜ୍ୟରେ ପ୍ରାଥମିକସ୍ତରରୁ ମାଧ୍ୟମିକ ତଥା ଉଚ୍ଚଶିକ୍ଷା କ୍ଷେତ୍ରରେ ସମସ୍ତ ଅବ୍ୟବସ୍ଥାକୁ ବରଦାସ୍ତ କରାଯାଇଛି । କରୋନା ପରେ ସମସ୍ୟାର ସମାଧାନ ଘଟିଥିବାରୁ ଶିକ୍ଷାକ୍ଷେତ୍ରରେ ଅଧିକ ବିକାଶ ଆଣିବା ଲାଗି ଉଭୟ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆକ୍ସନପ୍ଲାନ ଆରମ୍ଭ ହୋଇଛି । ପ୍ରଥମ କରି ରାଜ୍ୟରେ ଉଭୟ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଲାଗି ନୁଆ ନିୟମ ଲାଗୁ ହେବାକୁ ଯାଉଛି । ଆସନ୍ତାଶିକ୍ଷା ବର୍ଷରୁ ଏହି ନିୟମ ଅନୁଯାୟୀ ଯଦି ଶ୍ରେଣୀ କକ୍ଷରେ ଛାତ୍ରଛାତ୍ରୀଙ୍କର ଉପସ୍ଥାନ ଶତପ୍ରତିଶତ ନରହେ ତେବେ ସମ୍ପୃକ୍ତ ଜୁନିୟର କଲେଜର ଅଧ୍ୟକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

କରୋନା ଲାଗି ୨୦୨୦ରୁ ୨୦୨୨ପର୍ଯ୍ୟନ୍ତ ବାଦଦେଇ ଗତ ୫ବର୍ଷ ର ତଥ୍ୟ ଅନୁସାରେ ରାଜ୍ୟରେ ଯୁକ୍ତଦୁଇ ଶେଷବର୍ଷ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କ ଫର୍ମପୂରଣ ସମୟରେ ସରକାରୀ କଲେଜଗୁଡିକର ପ୍ରାୟ ୪୫ପ୍ରତିଶତ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୩୫ ପ୍ରତିଶତ ତଳକୁ ଥିବା ବେଳେ ଅନୁଦାନପ୍ରାପ୍ତ କଲେଜରେ ୭୦ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀଙ୍କ ଶ୍ରେଣୀରେ ଉପସ୍ଥାନ ୪୦ ପ୍ରତିଶତ ରହୁଛି । ପରୀକ୍ଷା ଫର୍ମ ପୂରଣ ଲାଗି ସର୍ବନିମ୍ନ ଶ୍ରେଣୀରେ ଉପସ୍ଥାନ ୭୫ପ୍ରତିଶତ ସରକାର ଧାର୍ଯ୍ୟ କରିଛନ୍ତି । ୭୫ପ୍ରତିଶତରୁ କମ୍ ଉପସ୍ଥାନ ଥିବା ପିଲାଙ୍କୁ ଫର୍ମ ପୂରଣରୁ ବାଦ୍ ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ମାତ୍ର ଶ୍ରେଣୀରେ ପିଲାଙ୍କର ଉପସ୍ଥାନ ଖବ୍ କମ୍ ରହୁଥିଲେ ହେଁ ପିଲାଙ୍କର ଭବିଷ୍ୟତକୁ ଗୁରୁତ୍ୱ ଦେଇ ସରକାର ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ ଫର୍ମ ପୂରଣ ଲାଗି ସୁଯୋଗ ଦେଉଛନ୍ତି । ମାତ୍ର ଏହି ଅବ୍ୟବସ୍ଥାକୁ ଆଉ ସରକାର ବରଦାସ୍ତ କରିବେ ନାହିଁ । ଆସନ୍ତା ଶିକ୍ଷାବର୍ଷରୁ ଶ୍ରେଣୀରେ ଉପସ୍ଥାନ ଶତପ୍ରତିଶତ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ୨୦୬୫ ଜୁନିୟର କଲେଜ ରହିଛି । କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକଶିକ୍ଷା ବିଭାଗର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ପ୍ରାକ୍ଟିକାଲ ଶ୍ରେଣୀରେ ଶତପ୍ରତିଶତ ଉପସ୍ଥାନ ଦେଉଥିବା ବେଳେ ଥିଓରୀ ଲାଗି ସର୍ବାଧିକ ୬୫ପ୍ରତିଶତ ଉପସ୍ଥାନ ରହୁଛି । ବିଶେଷକରି ସରକାରୀ କଲେଜ ଗୁଡିକରେ ବିଜ୍ଞାନ ବିଭାଗର ପିଲାଙ୍କ ଥିଓରୀ କ୍ଲାସରେ ଉପସ୍ଥାନ ସର୍ବାଧିକ ୮୫ ପ୍ରତିଶତ ରହୁଥିଲେ ହେଁ ବହୁ ଛାତ୍ରଛାତ୍ରୀ ବାହାରେ କୋଚିଂ ନେଉଥିବାରୁ ଶ୍ରେଣୀରେ ଅନୁପସ୍ଥିତ ରହୁଥିବା ଜଣାପଡ଼ିଛି । ସେହିପରି ଅନୁଦାନପ୍ରାପ୍ତ କଲେଜଗୁଡିକରେ ପ୍ରାୟ ୯୦ ପ୍ରତିଶତ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ପ୍ରାକ୍ଟିକାଲ ଲାଗି ଶତପ୍ରତିଶତ ଥିବା ବେଳେ ୧୦ପ୍ରତିଶତ ପିଲା ନିୟମିତ ପ୍ରାକ୍ଟିକାଲ କରିନଥାନ୍ତି । ସେହିପରି ପ୍ରାୟ ୪୦ପ୍ରତିଶତ ପିଲା ନିୟମିତ ଥିଓରୀ କ୍ଲାସରେ ଉପସ୍ଥିତ ଥିବା ବେଳେ ୬୦ପ୍ରତିଶତ ପିଲାଙ୍କର ଅନିୟମିତତା ରହିଥାଏ । ଟିଉସନ ଏବଂ ବିଭିନ୍ନ କୋଚିଂ ଲାଗି ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କର ଶ୍ରେଣୀରେ ଉପସ୍ଥାନ ଶତପ୍ରତିଶତ ହେଉନାହିଁ ।

ମାତ୍ର କଳା, ବାଣିଜ୍ୟ ଏବଂ ଧନ୍ଦାମୂଳକଶିକ୍ଷା ବିଭାଗର ଛାତ୍ରଛାତ୍ରୀଙ୍କ ମଧ୍ୟରୁ କଳା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସର୍ବାଧିକ ୮୫ ପ୍ରତିଶତ ପିଲାଙ୍କର ଶ୍ରେଣୀରେ ନିୟମିତ ଉପସ୍ଥାନ ରହୁନାହିଁ । ବାଣିଜ୍ୟ ବିଭାଗର ପିଲାଙ୍କ ମଧ୍ୟରୁ ୬୫ ପ୍ରତିଶତ ଛାତ୍ରଛାତ୍ରୀ ମଧ୍ୟ ନିୟମିତ ଶ୍ରେଣୀରେ ଉପସ୍ଥିତ ନଥିବା ଜଣାପଡ଼ିଛି । ତେବେ ଧନ୍ଦାମୂଳକଶିକ୍ଷା ପିଲାଙ୍କ ଉପସ୍ଥାନ ୫୦% ପାର ହେଊନଥିବା ଜଣାପଡ଼ିଛି । ଏପରି ସମସ୍ୟା ଲାଗି ଶ୍ରେଣୀରେ ପାଠପଢ଼ାରେ ସମସ୍ୟା ହେଉଥିବା ବେଳେ କ୍ଲାସରେ ପିଲାଙ୍କ ଅନୁପସ୍ଥିତ ଲାଗି ଶିକ୍ଷାଦାନ ମଧ୍ୟ ଠିକ୍ ଭାବେ ହେଉନି ।

ଏପରି ସମସ୍ୟାର ସମାଧାନ ଲାଗି ପୂର୍ବରୁ କୋଚିଂ ଏବଂ ଟିଉସନ ଉପରେ ସରକାର ଅଙ୍କୁଶ ଲଗାଇଛନ୍ତି । କଲେଜ ସମୟରେ କୌଣସି କୋଚିଂ ସେଣ୍ଟରରେ ପାଠପଢ଼ା ହେବ ନାହିଁ । କଳା, ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀଙ୍କ ଲାଗି ଶ୍ରେଣୀରେ ଶତପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳ କରାଯାଇଛି । ତେଣୁ କଲେଜର ଅଧ୍ୟକ୍ଷ ଏ ଦିଗରେ ସର୍ବାଧିକ ଗୁରୁତ୍ୱ ଦେବା ସହ ଅନୁପସ୍ଥିତ ରହୁଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏଣିକି ଦୈନିକ କଲେଜ ଛୁଟି ହେବା ପରେ ସବୁ ବିଷୟର ଆଟେଣ୍ଡାନ୍ସକୁ ଅଧ୍ୟକ୍ଷ ଯାଞ୍ଚ କରିବେ ।

ଯେଉଁ ଛାତ୍ରଛାତ୍ରୀ କ୍ଲାସରେ ଅନୁପସ୍ଥିତ ଥିବେ ସେମାନଙ୍କୁ ଅନୁପସ୍ଥିତର କାରଣ ଦର୍ଶାଇବାକୁ ନିର୍ଦ୍ଧେଶ ଦିଆଯିବ । ଅନୁପସ୍ଥିତ ଥିବା ଛାତ୍ରଛାତ୍ରୀ ଯେଉଁ ଦସ୍ତଖତ ଦେବେ ସେଥିରେ ଉଭୟ ପିଲା ଏବଂ ସେମାନଙ୍କର ଅଭିଭାବକଙ୍କର ଦସ୍ତଖତ ମଧ୍ୟ ରହିବା ବାଧ୍ୟତାମୂଳକ ହୋଇଛି । ଗୋଟିଏ ମାସରେ ଯେଉଁ ଛାତ୍ରଛାତ୍ରୀ ସର୍ବାଧିକ ୧୦ଦିନରୁ ଅଧିକ ଛୁଟି ରହିବେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ । ସନ୍ତୋଷମୂଳକ କାରଣ ନଦର୍ଶାଇବା ପର୍ଯ୍ୟନ୍ତ ସେହି ପିଲାମାନେ କଲେଜ ଆସିଲେ ମଧ୍ୟ କୌଣସି କ୍ଲାସରେ ବସିପାରିବେ ନାହିଁ । ପୂର୍ବରୁ କୌଣସି ଦଣ୍ଡବିଧାନ ବା ନିୟମ ନଥିବାରୁ ଛାତ୍ରଛାତ୍ରୀମାନେ ନିଜ ଇଛାରେ କ୍ଲାସ କରିବା ସହ ସାଙ୍ଗମେଳିରେ ବାହାରେ ବୁଲୁଥିଲେ । ଫଳରେ ଅନେକ ସମସ୍ୟା ସୃଷ୍ଟି ହେଉଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking