ମୁମ୍ବାଇ: ବିକାଶ ଖାନ୍ନାଙ୍କ କାହାଣୀର ନାୟିକା ସାଜିବେ ଅଭିନେତ୍ରୀ ଶବାନା ଆଜମୀ। ସିନେମାଟିର ନିର୍ଦ୍ଦେଶନା ଦେଉଥିବା ନିର୍ଦ୍ଦେଶକଙ୍କ ନାମ ମଧ୍ୟ ବିକାଶ ଖାନ୍ନା। ଏଥିରେ ଜଣେ ରୋଷେୟା ବା ସେଫ୍ ଭୂମିକାରେ ଅବତୀର୍ଣ୍ଣ ହେବେ ଶବାନା। ନ୍ୟୁୟର୍କରେ ଜଣେ ସେଫ୍ ଭାବେ କାମ କରୁଥିବା ଶବାନା କୁଆଡ଼େ ନିଜ ସେବା ଓ ଦକ୍ଷତାରେ ଫେଲ୍ ମାରିଲେ। ତେଣୁ ସେ ଭାରତ ଫେରିଆସିଲେ। ଜଣେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ନାମ କମାଇଥିବା ଅଭିନେତ୍ରୀ ଯେ ଜଣେ ସାଧାରଣ ସେଫ୍ ଭୂମିକାରେ ଅଭିନୟ କରିବେ, ଏକଥା ଶବାନାପ୍ରେମୀଙ୍କର ହଜମ ହେଉନାହିଁ। ବାସ୍ତବ ଜୀବନରେ ସେ ଜଣେ ନିୟମିତ ସେଫ୍ ହେଇ ନ ଥିବାରୁ ପ୍ରଥମେ ଏହି ଭୂମିକାରେ ଅଭିନୟ କରିବାକୁ ସେ ମନା କରିଥିଲେ। ପରେ କିନ୍ତୁ ସେ କହିଥିଲେ- ଏଇଟା ଯେହେତୁ ଅଭିନୟ, ତେଣୁ ମୁଁ କରିପାରିବି।
ମାଷ୍ଟର ସେଫ୍ ବିକାଶ ଖାନ୍ନାଙ୍କ ‘ଦ ଲାଷ୍ଟ କଲର’ ମୁଭିଟି ଗତବର୍ଷ ଦର୍ଶକଙ୍କୁ ବେଶ୍ ପ୍ରଭାବିତ କରିଥିଲା। ଏବେ ଶବାନାଙ୍କୁ ନେଇ ଏକ କଳାତ୍ମକ ସିନେମା କରିବାକୁ ପ୍ରୟାସ କରୁଛନ୍ତି। ୧୯୭୪ରୁ ବଡ଼ ପରଦାରେ ପାଦ ଦେଇଥିବା ଶବାନା ଅଙ୍କୁର, ପରିଣୟ, ଫକିରା, କାଦମ୍ବରୀ, ସତରଞ୍ଜ କେ ଖିଲାଡ଼ି, ଆଧା ଦିନ ଆଧି ରାତ, ଅମର ଆକବର ଆନ୍ଥୋନି, ଚୋର ସିପାହୀ, ହୀରା ଔର ପଥର, ଜାଲିୱାନାୱାଲା ବାଗ, କର୍ମ, ପରଭରିସ ଆଦି ଚଳଚ୍ଚିତ୍ରରେ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହେଇଥିଲେ। ଏହାପରେ ସ୍ବାମୀ, ବିଶ୍ବାସଘାତ, ଅତିଥି, ଦେବତା, ଜୁନୁନ୍, ସ୍ବର୍ଗ ନର୍କ, ଅମରଦୀପ, ଅପନେ ପ୍ୟାରେ, ସ୍ପର୍ଶ, ଜ୍ବାଲାମୁଖୀ, ସମୀରା, ଅର୍ଥ, ସୁରାଗ, ଅଶାନ୍ତି, ନମକିନ୍, ଅବତାର, ମାସୁମ୍, ଭାବନା, ଲୋରି, କାମୟାବ୍, ଖାମୋସ୍, ସର୍ତ୍ତ, ଇତିହାସ, ରଖୱାଲା, ସତୀ, ଦିଶା, ପତଙ୍ଗ, ଫାୟାର, ଆର୍ଥ, ଜାଜୱା, ନିରଜା, ଚକ୍ ଆଣ୍ଡ ଡଷ୍ଟର ଆଦି ଏକାଧିକ ସିନେମାରେ ଅଭିନୟ କରି ଦର୍ଶକଙ୍କୁ ବିଶେଷ ଭାବେ ପ୍ରଭାବିତ କରିଛନ୍ତି।
ଆଗକୁ ଆସୁଛି ଶବାନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ହ୍ବାଟସ ଲଭ ଗଟ୍ ଟୁ ଡୁ ଉଇଥ ଇଟ’ ଓ ‘ରକ୍କି ଓ ରାନୀ କୀ ପ୍ରେମ କହାନୀ’। ସବୁବେଳେ ବାସ୍ତବ କାହାଣୀରେ ଶବାନାଙ୍କ ଖୋଜାଯାଇଥାଏ। ଏଥିପାଇଁ ସ୍ବତନ୍ତ୍ର ଚରିତ୍ର ଓ ସ୍ବତନ୍ତ୍ର ଚେହେରା ତାଙ୍କୁ ଦିଆଯାଇଥାଏ। ଆଖିର ଆଶ୍ରୁରୁ ଓଠର ଫୁଲ ସବୁ ବୁଣିବାରେ ଶବାନା ମାହିର। କେବେ ଗହଳ କେଶ ତ ଆଉ କେବେ ନିଜ ଚରିତ୍ରକୁ ଯଥାର୍ଥ କରିବାକୁ ଯାଇ ସେ ଲଣ୍ଡା ହେଇଛନ୍ତି। ଏନ୍ଏସ୍ଡି ଛାତ୍ରୀ ତଥା ଜଣେ ନିପୁଣ ଥିଏଟର କଳାକାର ବୋଲି ସିନେମାରେ ତାଙ୍କୁ ସ୍ବତନ୍ତ୍ର ଭୂମିକାରେ ନିଆଯାଇଥାଏ। ଦେଖାଯାଉ ଏଥର ସେଫ୍ ଭୂମିକାରେ ସେ କ’ଣ ଯାଦୁ ଦେଖାଉଛନ୍ତି!