ସିଡ୍ନୀ : ଚଳିତ ବିଗ୍ ବ୍ୟାଶ୍ ଲିଗ୍ (ବିବିଏଲ୍)ରେ ଶୁକ୍ରବାର ଘରୋଇ ସିଡ୍ନୀ ଥଣ୍ଡର୍ ନାଁରେ ଟି-୨୦ କ୍ରିକେଟ୍ର ଏକ ଅଲୋଡ଼ା ରେକର୍ଡ ଦରଜ ହୋଇଛି । ଏଠାକାର ସିଡ୍ନୀ ଶୋଗ୍ରାଉଣ୍ଡ୍ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଆଡିଲେଡ୍ ଷ୍ଟ୍ରାଇକର୍ସ ୯ ୱିକେଟ୍ ବିନିମୟରେ ୧୩୯ ରନ୍ କରିଥିଲା । ଏହାର ଜବାବ ଦେବାକୁ ଯାଇ ଜେସନ୍ ସାଙ୍ଗାଙ୍କ ନେତୃତ୍ୱାଧୀନ ଥଣ୍ଡର୍ ଦଳ ୫.୫ ଓଭର୍ରେ ମାତ୍ର ୧୫ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଟି-୨୦ ଇତିହାସରେ ଏହା ପୂର୍ବରୁ ୨୦୧୯ ଅଗଷ୍ଟରେ ତୁର୍କୀ ୮.୩ ଓଭର୍ରେ ୨୧ ରନ୍ କରି ଅଲ୍ଆଉଟ୍ ହୋଇଥିଲା । ସେହିପରି ଏହା ମଧ୍ୟ ବିବିଏଲ୍ରେ ସର୍ବନିମ୍ନ ସ୍କୋର୍ । ପୂର୍ବରୁ ୨୦୧୫ ଜାନୁଆରୀରେ ମେଲ୍ବର୍ଣ୍ଣ ରେନିଗେଡ୍ସ ମେଲ୍ବର୍ଣ୍ଣ ଷ୍ଟାର୍ସ ବିପକ୍ଷରେ ୧୨.୪ ଓଭର୍ରେ ୫୭ ରନ୍ କରିଥିଲା ।
ସେହିପରି ବିବିଏଲ୍ରେ ଗତ ୭ଟି ସିଜନ୍ ପରେ ଏହା ଥଣ୍ଡର୍ ଦଳର ସର୍ବନିମ୍ନ ସ୍କୋର୍ । ୨୦୧୪ ଜାନୁଆରୀରେ ଦଳ ୧୬.୪ ଓଭର୍ରେ ୯୪ ରନ୍ କରି ଅଲ୍ଆଉଟ୍ ହୋଇଥିଲା, ଯାହାକି ଶୁକ୍ରବାର ପର୍ଯ୍ୟନ୍ତ ସର୍ବନିମ୍ନ ଥିଲା । ଶୁକ୍ରବାର ମ୍ୟାଚ୍ରେ ଷ୍ଟ୍ରାଇକର୍ସ ପକ୍ଷରୁ କ୍ରିସ୍ ଲିନ୍ ୩୬ ଓ କଲିନ୍ ଡି’ ଗ୍ରାଣ୍ଡ୍ହୋମ୍ ୩୩ ରନ୍ କରିଥିବା ବେଳେ ଥଣ୍ଡର୍ ପକ୍ଷରୁ ଫଜଲହକ୍ ଫାରୁକୀ ୩ଟି ଏବଂ ଗୁରିନ୍ଦର ସାନ୍ଧୁ, ଡାନିଏଲ୍ ସାମ୍ସ ଓ ବ୍ରେଣ୍ଡନ୍ ଡଗେଟ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ସେହିପରି ଷ୍ଟ୍ରାଇକର୍ସ ପକ୍ଷରୁ ହେନ୍ରି ଥର୍ଣ୍ଣଟନ୍ ୨.୫ ଓଭର୍ରେ ମାତ୍ର ୩ ରନ୍ ଦେଇ ୫ଟି ଏବଂ ୱେସ୍ ଆଗର୍ ୨ ଓଭର୍ରେ ୬ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ । ୧୫ଟି ଡଟ୍ ବଲ୍ ପକାଇଥିବା ଥର୍ଣ୍ଣଟନ୍ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।