ନୂଆଦିଲ୍ଲୀ; ହିମାଚଳ ପ୍ରଦେଶରେ କାମ କରିନପାରେ ବିଜେପିର ମାଷ୍ଟର ପ୍ଲାନ । କାରଣ ଭୋଟ ଗଣତି ଆରମ୍ଭ ହେବାର ତିନି ଘଣ୍ଟାରୁ ଅଧିକ ସମୟ ପରେ ମଧ୍ୟ ବିଜେପି ପଛରେ ପଡିଥିବା ଜଣାପଡିଛି । କଂଗ୍ରେସ ଭଲ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି । ମାତ୍ର ଗଣତିର ଟ୍ରେଣ୍ଡ ଅନୁସାରେ ବିଜେପି ସେତେ ପଛରେ ନଥିଲେ ମଧ୍ୟ ପରାଜୟ ସ୍ୱାଦ ଚାଖିପାରେ ବୋଲି ଏବେଠୁ ଚର୍ଚ୍ଚା ଆରମ୍ଭ ହେଲାଣି ।
କାରଣ ବର୍ତ୍ତମାନର ଗଣତି ରାଉଣ୍ଡ ଅନୁସାରେ କଂଗ୍ରେସ ୩୮ଟି ଆସନରେ ଆଗୁଆ ରହିଛି । ବିଜେପି ମଧ୍ୟ ୨୭ଟି ଆସନରେ ଲିଡ୍ କରୁଥିବା ଜଣାପଡ଼ିଛି । ସେହିପରି ଆପ୍ ୬ଟି ଆସନରେ ଆଗୁଆ ରହିଥିବା ବେଳେ ସ୍ୱାଧୀନ ୪ଟି ଆସନରେ ଆଗୁଆ ରହିଛି । ସେପଟେ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ମାଣ୍ଡି ଆସନରୁ ୨୪,୩୦୦ ଭୋଟରେ ବିଜୟୀ ହୋଇଛନ୍ତି । ଠାକୁର ୩୩,୨୫୬ ଭୋଟ୍ (୭୬.୯୭%) ଭୋଟ୍ ଦେଇଥିବାବେଳେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଚେତ ରାମ ୮,୯୫୬ ଭୋଟ୍ (୨୦.୭୩%) ଭୋଟ ପାଇଛନ୍ତି । ସୁନ୍ଦରନଗରରେ ବିଜେପିର ରାକେଶ କୁମାର କଂଗ୍ରେସର ସୋହାନ ଲାଲଙ୍କୁ ୮,୧୨୫ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ଶିମଲା ଜିଲ୍ଲାର ଆଠଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ପାଞ୍ଚଟିରେ କଂଗ୍ରେସ ଆଗୁଆ ରହିଛି।
ହେଲେ କ୍ରମଶଃ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି । କେତେବେଳେ ବିଜେପି ଆଗକୁ ଯାଉଛି ତ କେତେବେଳେ କଂଗ୍ରେସ କିଛି ଆସନରେ ଆଗୁଆ ରହୁଥିବା ଦେଖିବାକୁ ମିଳୁଛି । ଅଧିକାଂଶ ଏକଜିଟ୍ ପୋଲ୍ କଡ଼ା ଟକ୍କର ହେବାନେଇ ପୂର୍ବାନୁମାନ କରିଥିବାବେଳେ ବିଜେପି କଂଗ୍ରେସ ମଧ୍ୟରେ ସମାନ ସ୍ଥିତି ଦେଖିବାକୁ ମିଳୁଛି । ତେବେ ଏଯାଏଁ ହିମାଚଳ ପ୍ରଦେଶରେ କିଏ ସରକାର ଗଢ଼ିବ ସ୍ପଷ୍ଟ ହୋଇନାହିଁ ।