ନ୍ୟୁୟର୍କ : ଆମେରିକାର ଖ୍ୟାତନାମା ‘ଫୋର୍ବସ’ ପତ୍ରିକା ପକ୍ଷରୁ ଚଳିତବର୍ଷର ୧୦୦ ଜଣ ପ୍ରଭାବଶାଳୀ ମହିଳାଙ୍କ ତାଲିକା ପ୍ରକାଶ କରାଯାଇଥିବାବେଳେ ତାଲିକାରେ ଭାରତର ୬ ଜଣ ସ୍ଥାନ ପାଇଛନ୍ତି । ଏମାନଙ୍କ ମଧ୍ୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବାଓକନ୍ ଅଧ୍ୟକ୍ଷା କିରଣ ମଜୁମଦାର ସ’, ‘ନାୟିକା’ କମ୍ପାନୀର ପ୍ରତିଷ୍ଠାତା ଫାଲଗୁନୀ ନାୟାର, ଏଚ୍ସିଏଲ ଟେକ୍ ଅଧ୍ୟକ୍ଷା ରୋଶନୀ ନାଦର ମାଲହୋତ୍ରା, ସେବି (ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ ବୋର୍ଡ) ଅଧ୍ୟକ୍ଷା ମାଧବୀ ପୁରି ବୁଚ୍ ଏବଂ ଷ୍ଟିଲ ଅଥରିଟୀ ଅଫ୍ ଇଣ୍ଡିଆ ଅଧ୍ୟକ୍ଷା ସୋମା ମଣ୍ଡଳ ଅନ୍ୟତମ । କ୍ରମାଗତ ଚତୁର୍ଥ ଥର ତାଲିକାରେ ସ୍ଥାନ ପାଇଥିବା ନିର୍ମଳା ଏଥର ୩୬ତମ ସ୍ଥାନ ଅଧିକାର କରିଛନ୍ତି । ନିର୍ମଳା ୨୦୧୯ରେ ୩୪ତମ, ୨୦୨୦ରେ ୪୧ତମ ଏବଂ ୨୦୨୧ରେ ୩୭ତମ ସ୍ଥାନରେ ରହିଥିଲେ । ସେହିପରି ରୋଶନୀ ତାଲିକାର ୫୩ତମ ସ୍ଥାନରେ ଥିବାବେଳେ ମାଧବୀ ୫୪ତମ, ସୋମା ୬୭ତମ, କିରଣ ୭୨ତମ ଏବଂ ଫାଲଗୁନୀ ୮୯ତମ ସ୍ଥାନ ଅଧିକାର କରିଛନ୍ତି । ଏହି ତାଲିକାରେ ୧୦ ଜଣ ରାଷ୍ଟ୍ରମୁଖ୍ୟ, ୧୧ ଜଣ ଅରବପତି ଏବଂ ୩୯ ଜଣ ସିଇଓ ସାମିଲ ହୋଇଥିବା ପ୍ରକାଶ । ‘ନାୟିକା’ର ପ୍ରତିଷ୍ଠାତା ୫୯ ବର୍ଷୀୟା ଫାଲେଗୁନୀ ଦୁଇ ଦଶନ୍ଧି ଧରି ଇନ୍ଭେଷ୍ଟମେଣ୍ଟ୍ ବ୍ୟାଙ୍କରଭାବେ କାର୍ଯ୍ୟ କରିଥିବାବେଳେ ୨୦୧୨ରେ ନିଜସ୍ୱ ପାଣ୍ଠି (ପ୍ରାୟ ୨ ନିୟୁତ ଆମେରିକୀୟ ଡଲାର) ବିନିଯୋଗ କରି ପ୍ରସାଧନ ସାମଗ୍ରୀ କମ୍ପାନୀ ‘ନାୟିକା’ ପ୍ରତିଷ୍ଠା କରିଥିଲେ । ୨୦୨୧ରେ ସେ ଭାରତର ସବୁଠାରୁ ଧନୀ ମହିଳାଙ୍କ ମାନ୍ୟତାଲାଭ କରିଥିଲେ । ଫୋର୍ବସ ୱେବ୍ସାଇଟ୍ ଅନୁଯାୟୀ ୪୧ ବର୍ଷୀୟା ରୋଶନୀ ନାଦର ମାଲହୋତ୍ରା ୧୨ ବିଲିୟନ ଡଲାର ମୂଲ୍ୟର ଏଚ୍ସିଏଲ କମ୍ପାନୀକୁ ଦେଶର ଅନ୍ୟତମ ଅଗ୍ରଣୀ ଆଇଟି କମ୍ପାନୀରେ ପରିଣତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ୫୬ ବର୍ଷୀୟା ମାଧବୀ ପୁରି ବୁଚ୍ ଚଳିତବର୍ଷ ମାର୍ଚ୍ଚରେ ସେବିର ପ୍ରଥମ ମହିଳା ଅଧ୍ୟକ୍ଷାଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଭାରତର ୩ ଟ୍ରିଲିୟନ ଡଲାର ଷ୍ଟକ୍ ମାର୍କେଟକୁ ସେବି ନିୟନ୍ତ୍ରଣ କରୁଛି । ଅପରପକ୍ଷରେ ୫୯ ବର୍ଷୀୟା ସୋମା ୨୦୨୧ ଜାନୁଆରୀରେ ଷ୍ଟିଲ ଅଥରିଟୀର ପ୍ରଥମ ମହିଳା ଅଧ୍ୟକ୍ଷା ନିଯୁକ୍ତ ହୋଇଥିଲେ । ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଷ୍ଟିଲ ଅଥରିଟୀ ରେକର୍ଡ ପରିମାଣର ଲାଭ କରୁଥିବା ଜଣାପଡିଛି । ଫୋର୍ବସ ପକ୍ଷରୁ ୬୯ ବର୍ଷୀୟା କିରଣଙ୍କର ସଫଳତାକୁ ଭୂୟସୀ ପ୍ରଶଂସା କରାଯାଇଛି । ତାଙ୍କ ନେତୃତ୍ୱାଧୀନ ବାଓକନ୍ ଆମେରିକା ମାର୍କେଟରେ ଭଲ ବ୍ୟବସାୟ କରୁଥିବାବେଳେ ଏସିଆର ସର୍ବବୃହତ ଇନ୍ସୁଲିନ୍ ପ୍ରସ୍ତୁତକାରୀ କମ୍ପାନୀଭାବେ ଖ୍ୟାତିଲାଭ କରିଛି । ଅପରପକ୍ଷରେ ୟୁରୋପିଆନ୍ କମିଶନ ସଭାପତି ଉର୍ସୁଲା ଭନ୍ ଡେର୍ ଲେୟେନ୍ ତାଲିକାର ଶୀର୍ଷରେ ଥିବାବେଳେ ୟୁରୋପିଆନ ସେଣ୍ଟ୍ରାଲ ବ୍ୟାଙ୍କ ସଭାପତି ଖ୍ରିଷ୍ଟିନ୍ ଲାଗାର୍ଡେ ୨ୟ ଏବଂ ଆମେରିକା ଉପରାଷ୍ଟ୍ରପତି କମଳା ହାରିସ ୩ୟ ସ୍ଥାନ ଅଧିକାର କରିଛନ୍ତି ।