ନୂଆଦିଲ୍ଲୀ: ଅକ୍ସଫୋର୍ଡ ଇଂଲିଶ ଡିକ୍ସନାରୀ (ଶବ୍ଦକୋଷ) ତରଫରୁ ‘ଗୋବ୍ଲିନ୍ ମୋଡ୍’କୁ ଚଳିତବର୍ଷର ସବୁଠାରୁ ଚର୍ଚ୍ଚିତ ଶବ୍ଦଭାବେ ମାନ୍ୟତା ପ୍ରଦାନ କରାଯାଇଛି । ଜନସାଧାରଣଙ୍କ ଭୋଟିଂକୁ ଆଧାର କରି ‘ଗୋବ୍ଲିନ୍ ମୋଡ୍’କୁ ଚର୍ଚ୍ଚିତ ଶବ୍ଦଭାବେ ଗ୍ରହଣ କରାଯାଇଛି । ଏହା ପ୍ରକୃତରେ ଗାଳି ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବା ଏକ ଶବ୍ଦ । ଜଣେ ଅଳସୁଆ, ଲୋଭୀ ଏବଂ ସାମାଜିକ ଆଶା ଆକାଂକ୍ଷାଠାରୁ ବହୁତ ଦୂରରେ ରହୁଥିବା ବ୍ୟକ୍ତିଙ୍କ ପ୍ରତି ଏହି ଶବ୍ଦ ବ୍ୟବହାର କରାଯାଇଥାଏ । ପ୍ରଥମ ଥର ପାଇଁ ଅକ୍ସଫୋର୍ଡ ଡିକ୍ସନାରୀ ପକ୍ଷରୁ ଜନମତକୁ ଆଧାର କରି ଶ୍ରେଷ୍ଠ ଶବ୍ଦକୁ ମନୋନୀତ କରାଯାଇଛି । ଚୂଡାନ୍ତ ସଂକ୍ଷିପ୍ତ ତାଲିକାରେ ୩ଟି ଶବ୍ଦ ଯଥା ‘ମେଟାଭର୍ସ’, ‘ଆଇଷ୍ଟାଣ୍ଡ୍ୱିଥ୍’ ଏବଂ ‘ଗୋବ୍ଲିନ୍ ମୋଡ୍’ ସ୍ଥାନିତ କରାଯାଇଥିଲା । ବିଗତ ଦୁଇ ସପ୍ତାହ ଧରି ଅନ୍ଲାଇନରେ ଏହି ଶବ୍ଦକୁ ଲୋକଙ୍କ ଭୋଟିଂ ପାଇଁ ଅପ୍ଲୋଡ୍ କରାଯାଇଥିଲା । ୯୩ ପ୍ରତିଶତ ଭୋଟର ‘ଗୋବ୍ଲିନ୍ ମୋଡ୍’ ସପକ୍ଷରେ ଭୋଟ ଦେଇଥିବା ଜଣାପଡିଛି ।