ମାର୍ସାଇଲ: ଭାରତକୁ ପ୍ରାଣଠାରୁ ଅଧିକ ଭଲ ପାଉଥିବା ଫରାସୀ ଔପନ୍ୟାସିକ ଡୋମିନିକ୍ ଲାପିଏରେଙ୍କର ରବିବାର ୯୧ ବର୍ଷ ବୟସରେ ପରଲୋକ ହୋଇଛି ବୋଲି ତାଙ୍କ ପତ୍ନୀ ଏକ ଫରାସୀ ସମ୍ବାଦପତ୍ରକୁ ସୂଚନା ଦେଇଛନ୍ତି । ୧୯୮୫ରେ କୋଲକାତା ସହରର ହାତଟଣା ରିକ୍ସାବାଲାଙ୍କ ଜୀବନଶୈଳୀକୁ ନେଇ ସେ ଲେଖିଥିବା ଉପନ୍ୟାସ ‘ସିଟି ଅଫ୍ ଜୟ’ ବେଶ ଲୋକପ୍ରିୟତା ହାସଲ କରିଥିଲା । ଏହି ଉପନ୍ୟାସର ବିଷୟବସ୍ତୁକୁ ଆଧାର କରି ୧୯୯୨ରେ ଇଂରାଜୀ ଭାଷାରେ ଚଳଚ୍ଚିତ୍ର ନିର୍ମିତ ହୋଇଥିଲା । ପ୍ୟାଟ୍ରିକ୍ ସ୍ୱେଏଜ୍ ଓ ପୌଲିନ୍ କଲିନ୍ସଙ୍କ ଭଳି ପ୍ରତିଷ୍ଠିତ ଅଭିନେତାଙ୍କ ସହ ବଲିଉଡ୍ର ଓମ୍ ପୁରୀ ଓ ଶାବନା ଆଜ୍ମୀ ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ ।
ପରବର୍ତ୍ତୀ ସମୟରେ ଆମେରିକୀୟ ଲେଖକ ଲ୍ୟାରି କଲିନ୍ସଙ୍କ ସହ ମିଶି ଲାପିଏରେ ୬ଟି ଲୋକପ୍ରିୟ ଉପନ୍ୟାସ ରଚନା କରିଥିଲେ । ଏଗୁଡିକ ମଧ୍ୟରେ ‘ଇଜ୍ ପ୍ୟାରିସ ବର୍ଣ୍ଣଙ୍ଗ୍’ (୧୯୬୫), ‘ଅର୍ ଆଇ ୱିଲ ଡ୍ରେସ୍ ୟୁ ଇନ୍ ମୋର୍ଣ୍ଣିଂ’ (୧୯୬୮), ‘ଓ ଜେରୁଜେଲମ’ (୧୯୭୨), ‘ପ୍ରିଡମ ଏଟ୍ ମିଡ୍ନାଇଟ୍’ (୧୯୭୫), ‘ଦି ଫିପ୍ଥ୍ ହର୍ଷମ୍ୟାନ୍’ (୧୯୮୦)ଏବଂ ‘ଇଜ୍ ନ୍ୟୁୟର୍କ ବର୍ଣ୍ଣିଙ୍ଗ୍’ ସାମିଲ । ‘ସିଟି ଅଫ୍ ଜୟ’ ଉପନ୍ୟାସରୁ ମିଳିଥିବା ରୟାଲଟିର ଅଧିକାଂଶ ଅର୍ଥକୁ ଲାପିଏରେ ଭାରତରେ କାର୍ଯ୍ୟ କରୁଥିବା ବିଭିନ୍ନ ଜନହିତକର ପ୍ରକଳ୍ପ ପାଇଁ ଦାନ କରିଥିଲେ । ୧୯୮୮ରେ ଲାପିଏରେଙ୍କୁ ଭାରତର ତୃତୀୟ ସର୍ବୋଚ୍ଚ ବେସାମରିକ ପୁରସ୍କାର ‘ପଦ୍ମଭୂଷଣ’ରେ ସମ୍ମାନିତ କରାଯାଇଥିଲା । ସୂଚନାଯୋଗ୍ୟ ଉଭୟ ଲାପିଏରେ ଓ କଲିନ୍ସ ପ୍ରଥମେ ନିଜ ଦେଶର ସେନାବାହିନୀରେ କାର୍ଯ୍ୟ କରୁଥିବାବେଳେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା । ସେନାରୁ ସେବାନିବୃତ୍ତ ହେବାପରେ ଏ ଦୁହେଁ ଉପନ୍ୟାସ ଲେଖାରେ ମନୋନିବେଶ କରି ଲୋକପ୍ରିୟତା ହାସଲ କରିଥିଲେ । ଏମାନଙ୍କ ଦ୍ୱାରା ରଚିତ ୬ଟି ଉପନ୍ୟାସର ପ୍ରାୟ ୬ କୋଟି କପି ବିଶ୍ୱର ବିଭିନ୍ନ ପ୍ରାନ୍ତରେ ବିକ୍ରି ହୋଇଥିବା ଜଣାପଡିଛି ।