ହାଇଦ୍ରାବାଦ: ପ୍ରାଚୀନ କାଳରୁ ଭାରତକୁ ଦୁର୍ଗ ଏବଂ ସ୍ମାରକୀ ଦେଶ ଭାବରେ ଜଣାଯାଇଥାଏ । ଏହା ଏଥିପାଇଁ କୁହାଯାଉଛି, କାରଣ ଆମ ଦେଶରେ ବ୍ରିଟିଶମାନଙ୍କ ପୂର୍ବରୁ ବିଭିନ୍ନ ଅଞ୍ଚଳରେ ଅନେକ ରାଜା ଶାସନ କରୁଥିଲେ । ଆଉ ଏହି ସମୟ ମଧ୍ୟରେ ସେମାନେ ଅନେକ ଦୁର୍ଗ ନିର୍ମାଣ କରିଥିଲେ । ସେଥିପାଇଁ ଆଜି ଆମେ ଏମିତି ଏକ ଦୁର୍ଗ ବିଷୟରେ କହିବାକୁ ଯାଉଛୁ, ଯାହା ଏପର୍ଯ୍ୟନ୍ତ ରହସ୍ୟରେ ପରିପୂର୍ଣ୍ଣ ହୋଇ ରହିଛି ଏବଂ ଏହି ଦୁର୍ଗର ନାମ ହେଉଛି ଗୋଲକୋଣ୍ଡା ଦୁର୍ଗ ।
ବାସ୍ତବରେ ଗୋଲକୋଣ୍ଡା ଦୁର୍ଗର ନିର୍ମାଣ ଓ୍ବାରାଙ୍ଗଲର ରାଜାଙ୍କ ଦ୍ବାରା ଚତୁର୍ଦ୍ଦଶ ଶତାବ୍ଦୀରେ ହୋଇଥିଲା । ଏହି ଦୁର୍ଗ ଗ୍ରାନାଇଟ୍ ପାହାଡ ଉପରେ ନିର୍ମିତ ହୋଇଥିଲା । ମୋଟ ଆଠଟି ଦ୍ବାର ସହିତ ଏହି ଦୁର୍ଗଟି ତିନି ମାଇଲ ଲମ୍ବା ପଥରର ପ୍ରାଚୀର ଦ୍ୱାରା ଆବଦ୍ଧ ହୋଇ ରହିଛି । ଏହି ଦୁର୍ଗ ଦେଶର ବୃହତ୍ତମ ମାନବ ନିର୍ମିତ ହ୍ରଦ ହୁସେନ୍ ସାଗର ଠାରୁ ପ୍ରାୟ ନଅ କିଲୋମିଟର ଦୂରରେ ଅବସ୍ଥିତ । ଏହି ଦୁର୍ଗର ନିର୍ମାଣ ୧୬ ଶହ ଦଶକରେ ଶେଷ ହୋଇଥିଲା, କିନ୍ତୁ ଏହାର ନିର୍ମାଣ ଆରମ୍ଭ ୧୩ ଶତାବ୍ଦୀରେ ଆରମ୍ଭ ହୋଇଥିଲା ।
ଭାରତରେ ଏହି ଦୁର୍ଗ ପ୍ରସିଦ୍ଧ, କାରଣ ପ୍ରାଚୀନ କାଳରେ ଏଠାରେ ବହୁ ପରିମାଣରେ କପା ଚାଷ କରାଯାଉଥିଲା । ଏହା ମାଧ୍ୟମରେ କପା ତିଆରି ପୋଷାକ ବିଦେଶରେ ବିକ୍ରି ହେଉଥିଲା, ଯେଉଁଥିପାଇଁ ହାଇଦ୍ରାବାଦର ଗୋଲକୋଣ୍ଡା ଦୁର୍ଗ ପ୍ରାଚୀନ କାଳରେ ଦେଶର ଅର୍ଥନୀତିରେ ଏକ ପ୍ରମୁଖ ଅବଦାନ ଥିଲା । ଏହି ଦୁର୍ଗ ଆଜି ବି ଏହାର ସ୍ଥାପତ୍ୟ, ପୁରାଣ କଥା, ଇତିହାସ ଏବଂ ରହସ୍ୟ ପାଇଁ ଜଣାଶୁଣା ରହିଛି । ଏହି ଦୁର୍ଗ ଦେଶରେ ଏପର୍ଯ୍ୟନ୍ତ ପ୍ରସିଦ୍ଧ କାରଣ ଦୁନିଆର ସବୁଠାରୁ ମୂଲ୍ୟବାନ ହୀରା ଏଠାରୁ ମିଳିଥିଲା ।
ଏହି ଦୁର୍ଗର ସବୁଠାରୁ ବଡ ରହସ୍ୟ ହେଉଛି, ଏହା ଏପରି ଭାବରେ ନିର୍ମାଣ କରାଯାଇଛି ଯେ, ଯେତେବେଳେ କେହି ଦୁର୍ଗର ତଳ ଭାଗରେ ତାଳି ମାରନ୍ତି, ଏହାର ଶବ୍ଦ ବାଲା ହିସାର ଫାଟକରୁ ପ୍ରତିଧ୍ୱନିତ ହୁଏ ଏବଂ ସାରା ଦୁର୍ଗରେ ଶୁଣାଯାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଆମର କୋହିନୂର ହୀରା ଯାହା ଆଜି ବ୍ରିଟିଶମାନଙ୍କ ପାଖରେ ଅଛି, ସେମାନେ ଏହାକୁ ହାଇଦ୍ରାବାଦର ଗୋଲକୋଣ୍ଡା ଠାରୁ ପାଇଛନ୍ତି । ବିଶ୍ବର ଲୋକପ୍ରିୟ ହୀରା କୋହି-ଏ-ନୁର, ଦରିଆ-ଏ-ନୁର, ନୁର-ଉଲ-ଏନ ହୀରା, ହୋପ ଡାଇମଣ୍ଡ ଏବଂ ରିଜେଣ୍ଟ ଡାଇମଣ୍ଡ ଗୋଲକୋଣ୍ଡାରୁ ଖନନ କରାଯାଇଥିଲା ।
ଗୋଲକୋଣ୍ଡା ଦୁର୍ଗ ଏହାର ଅତୀତର ମୁକ ସାକ୍ଷୀ ହେବା ପାଇଁ ଏକ ପଥର ପରି ଛିଡା ହୋଇଛି । ଯଦିଓ ଦୁର୍ଗର ଚାରିପାଖରେ ଅନେକ ଜିନିଷ ଧ୍ୱଂସ ହୋଇଯାଇଛି, କିନ୍ତୁ ଆଜି ମଧ୍ୟ ଯେତେବେଳେ ଲୋକମାନେ ହାଇଦ୍ରାବାଦ ପରିଦର୍ଶନ କରିବାକୁ ଯାଆନ୍ତି, ସେମାନେ ଗୋଲକୋଣ୍ଡା ଦୁର୍ଗ ପରିଦର୍ଶନ କରିବାକୁ ଭୁଲନ୍ତି ନାହିଁ ।