ଭଞ୍ଜନଗର: ଜଣେ ଗୁରୁତର ମେଲେରିଆ ରୋଗୀଙ୍କ ପାଇଁ ରକ୍ତ ଯୋଗାଡ କରାଇ ଦେବାକୁ କହି ତାଙ୍କ ପରିବାର ଲୋକଙ୍କ ଠାରୁ ୪୫୦୦ ଟଙ୍କା ଜୋର ଜବରଦସ୍ତ ମାଗିବା ଘଟଣାରେ ଭଞ୍ଜନଗର ପୁଲିସ ଜଣେ ଦଲାଲକୁ ଧରିଥିବା ଜଣାପଡିଛି । ଏ ସଂପର୍କରେ ଭଞ୍ଜନଗର ଥାନା ଅଧିକାରୀ ଧୀରେଶ ଦାସ ସ୍ପଷ୍ଟ ସୂଚନା ଦେଇଛନ୍ତି । ତେବେ ଘଟଣାର ଅନୁସନ୍ଧାନ ଚାଲିଛି । ପୁଲିସ ସଂପୃକ୍ତ ଦଲାଲଙ୍କ ସଂପର୍କରେ ଅଧିକ ତଥ୍ୟ ହାସଲ ପାଇଁ ଛାନଭିନ୍ ଚଳାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ପ୍ରକାଶଥାଉକି ଭଞ୍ଜନଗର ମେଡିକାଲରେ ଗତ କିଛି ଦିନ ହେଲା ଜଣେ ମେଲେରିଆ ରୋଗୀ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ପାଇଁ ରକ୍ତ ଆବଶ୍ୟକ ପଡ଼ିଥିଲା । ଏସଂପର୍କରେ ଜାଣିବା ପରେ ସ୍ଥାନୀୟ ବିପଦର ବନ୍ଧୁ ଅନୁଷ୍ଠାନ ପକ୍ଷରୁ ସଂପୃକ୍ତ ରୋଗୀଙ୍କୁ ପୂର୍ବରୁ ଗୋଟିଏ ୟୁନିଟ ରକ୍ତ ଦିଆଯାଇଥିଲା । ଆଜି ଆଉ ଏକ ୟୁନିଟ ରକ୍ତ ଦିଆଯିବାକୁ ଥିବାବେଳେ ଏସଂପର୍କରେ କୌଣସି ସୂତ୍ରରୁ ସୂଚନା ପାଇ ଜଣେ ଦଲାଲ ରକ୍ତ ଦେଇ ଟଙ୍କା ଆଦାୟ କରିବାକୁ ଉଦ୍ୟମ କରିଥିଲେ । ବିଶ୍ୱ ଏଡ୍ସ ଦିବସ ଅବସରରେ ବିପଦର ବନ୍ଧୁ ଅନୁଷ୍ଠାନ ସଦସ୍ୟମାନେ ତନରଡାଠାରେ ପୁଲିସ ବାଟାଲିୟନ କ୍ୟାମ୍ପରେ ବ୍ୟସ୍ତଥିବା ସୁଯୋଗ ନେଇ ଦଲାଲ ଜଣଙ୍କ ମେଲେରିଆ ରୋଗୀଙ୍କୁ ଏକ ୟୁନିଟ ରକ୍ତ ଦେଇ ୪୫୦୦ ଟଙ୍କା ଦେବାକୁ ଦାବି କରିଥିଲା ।
ତେବେ ଏଥିରେ ରୋଗୀଙ୍କ ସଂପର୍କୀୟଙ୍କ ସନ୍ଦେହ ଜାତ ହେବାରୁ ସେ ତୁରନ୍ତ ବିପଦର ବନ୍ଧୁ ଅନୁଷ୍ଠାନର କାର୍ଯ୍ୟକର୍ତ୍ତାଙ୍କ ସହ ଯୋଗାଯୋଗ କରିଥିଲେ । ଆଉ ରକ୍ତ ଦଲାଲ ସଂପର୍କରେ ଜଣାପଡିବା ପରେ ତୁରନ୍ତ ପୁଲିସରେ ସୂଚନା ଦିଆଯାଇଥିଲା । ପୁଲିସ ପହଞ୍ôଚ ସଂପୃକ୍ତ ଦଲାଲକୁ ଧରି ନେଇଥିବା ବେଳେ ଏଥିରେ ଅନ୍ୟ କାହାର ସଂପୃକ୍ତି ରହିଛି କି ନାହିଁ ତାହାର ଅଧିକ ତଦନ୍ତ ଚାଲିଥିବା ଥାନା ଅଧିକାରୀ ଧୀରେଶ ଦାସ ସୂଚନା ଦେଇଛନ୍ତି ।