ଦୋହା :କ୍ରିଷ୍ଟିଆନ୍ ପୁଲିସିଚ୍ଙ୍କ ୩୮ତମ ମିନିଟ୍ ଗୋଲ୍ ବଳରେ ଆମେରିକାର ୧-୦ ଗୋଲ୍ରେ ଇରାନ୍କୁ ହରାଇ ଚଳିତ ଫିଫା ବିଶ୍ୱକପ୍ର ନକ୍ଆଉଟ୍ ରାଉଣ୍ଡରେ ପ୍ରବେଶ କରିଛି । ମଙ୍ଗଳବାର ମଧ୍ୟରାତ୍ର ଖେଳାଯାଇଥିବା ଏହି ମ୍ୟାଚ୍ ଆମେରିକା ପାଇଁ ‘କର ବା ମର’ ଥିଲା । ଆରମ୍ଭରୁ ଟିମ୍ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ଗୋଲ୍ରେ କେତେକ ଆକ୍ରମଣ କରିଥିଲେ ମଧ୍ୟ ୩୮ତମ ମିନିଟ୍ରେ ସଫଳତା ମିଳିଥିଲା । ସର୍ଗିନୋ ଡେଷ୍ଟ୍ଙ୍କ ଉନ୍ନତ ପାସ୍କୁ ପୁଲିସିଚ୍ ଗୋଲ୍ପୋଷ୍ଟ୍ ମଧ୍ୟ ପଠାଇ ଦେଇଥିଲେ । ତେବେ ଏହି ସମୟରେ ତାଙ୍କ ମୁଣ୍ଡ ଗୋଲ୍କିପର୍ଙ୍କ ସହ ଧକ୍କା ଖାଇବା ଫଳରେ ସେ ତିନି ମିନିଟ୍ ଧରି ଗୋଲ୍ପୋଷ୍ଟ୍ ନିକଟରେ ପଡ଼ି ରହିଥିଲେ । ଡାକ୍ତରୀ ଟିମ୍ ଷ୍ଟାଫ୍ ତାଙ୍କର ଉପଚାର କରିଥିଲେ ଏବଂ କିଛି ସମୟରେ ପଡ଼ିଆରେ ରହିଥିଲେ । ମାତ୍ର ଦ୍ୱିତୀୟାର୍ଦ୍ଧରେ ତାଙ୍କ ସ୍ଥାନରେ ବଦଳ ଖେଳାଳିଙ୍କୁ ସାମିଲ କରାଯାଇଥିଲା । ଏହାପରେ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା ଏବଂ ମ୍ୟାଚ୍ ଶେଷ ହେବାର ଘଣ୍ଟାଏ ପରେ ‘ଫେସ୍ ଟାଇମ୍’ ଜରିଆରେ ସାଥୀ ଖେଳାଳିଙ୍କ ସହ ବିଜୟ ଉତ୍ସବ ପାଳନ କରିଥିଲେ । ଏହା ପୂର୍ବରୁ ରୁଷ୍ରେ ଖେଳାଯାଇଥିବା ୨୦୧୮ ବିଶ୍ୱକପ୍ର ନକ୍ଆଉଟ୍ ରାଉଣ୍ଡ୍କୁ ଆମେରିକା ଯୋଗ୍ୟତା ଅର୍ଜନ କରିପାରି ନଥିଲା । ଏହି ବିଜୟ ଫଳରେ ଆମେରିକା ଗ୍ରୁପ୍-ବି’ରେ ଇଂଲଣ୍ଡଠାରୁ ଦୁଇ ପଏଣ୍ଟ୍ ପଛରେ ପାଞ୍ଚ ପଏଣ୍ଟ୍ ସହ ଦ୍ୱିତୀୟ ସ୍ଥାନରେ ରହିଛି । ଏବେ ଟିମ୍ ୨୦୦୨ ପରେ ପ୍ରଥମ ଥର ପାଇଁ କ୍ୱାର୍ଟର୍ ଫାଇନାଲ୍ରେ ସ୍ଥାନ ହାସଲ ପାଇଁ ଶନିବାର ନେଦରଲାଣ୍ଡ୍ସକୁ ଭେଟିବ । ଇରାନ୍ ତିନି ପଏଣ୍ଟ୍ ସହ ତୃତୀୟ ସ୍ଥାନରେ ରହିଛି ଏବଂ ଖେଳିଥିବା ୬ଟି ବିଶ୍ୱକପ୍ର ପରବର୍ତ୍ତୀ ରାଉଣ୍ଡ୍ରେ ପହଞ୍ଚିବାରେ ବିଫଳ ହୋଇଛି ।