ଅଲ୍-ଖୋର୍ : ଚଳିତ ଫିଫା ବିଶ୍ୱକପ୍ରେ ଶୁକ୍ରବାର ବିଳମ୍ବିତ ରାତିରେ ଏଠାକାର ଅଲ୍ ବାୟଟ୍ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଗ୍ରୁପ୍-ବି’ର ଏକ ମ୍ୟାଚ୍ ବିନା ଗୋଲ୍ରେ ଶେଷ ହୋଇଛି । ଇଂଲଣ୍ଡ ଓ ଆମେରିକା ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍ରେ କୌଣସି ଦଳ ଗୋଲ୍ କରିବାରେ ସକ୍ଷମ ହୋଇ ନଥିଲେ । ଏଥିସହ ଇଂଲଣ୍ଡ ପ୍ରଥମ ଥର ପାଇଁ ପଏଣ୍ଟ୍ ବାଣ୍ଟି ଟେବଲ୍ରେ ଶୀର୍ଷ ସ୍ଥାନରେ କାଏମ ରହିଛି । ଅନ୍ୟପକ୍ଷରେ ଆମେରିକା କ୍ରମାଗତ ଦ୍ୱିତୀୟ ମ୍ୟାଚ୍ ଡ୍ର’ ରଖି ମୋଟ ୨ ପଏଣ୍ଟ୍ ସହ ତୃତୀୟ ସ୍ଥାନରେ ରହିଛି । ମ୍ୟାଚ୍ର ପ୍ରଥମାର୍ଦ୍ଧ ଓ ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳର ଖେଳାଳିମାନେ ଗୋଲ୍ ସ୍କୋର୍ କରିବା ସକାଶେ ଉଦ୍ୟମ କରିଥିଲେ ହେଁ କେହି ବି ସଫଳ ହୋଇପାରି ନଥିଲେ ।
ତେବେ ୮୭ତମ ମିନିଟ୍ରେ ଇଂଲଣ୍ଡ ପାଇଁ ମାର୍କସ୍ ରାଶ୍ଫୋର୍ଡ ଗୋଲ୍ ସ୍କୋର୍ କରିବାର ଏକ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଥିଲେ । ତେବେ ମାର୍କସ୍ଙ୍କ ଶଟ୍କୁ ରୋକି ଆମେରିକା ଗୋଲ୍କିପର୍ ମ୍ୟାଟ୍ ଟର୍ନର୍ ଇଂଲଣ୍ଡକୁ ଅଗ୍ରଣୀ ନେବାରୁ ବଞ୍ଚିତ କରିଥିଲେ । ପରେ ଷ୍ଟପେଜ୍ ଟାଇମ୍ରେ ତୃତୀୟ ମିନିଟ୍ରେ ଇଂଲିଶ୍ ଦଳର ଅଧିନାୟକ ହ୍ୟାରୀ କେନ୍ ଫ୍ରି କିକ୍କୁ ହେଡର୍ ମାଧ୍ୟମରେ ଗୋଲ୍ରେ ପରିଣତ ପାଇଁ ଉଦ୍ୟମ କରିଥିଲେ ହେଁ ତାଙ୍କ ଶଟ୍ ଗୋଲ୍ ପୋଷ୍ଟ୍ ବାହାରକୁ ଚାଲିଯାଇଥିଲା । ଏହା ପୂର୍ବରୁ ପ୍ରଥମାର୍ଦ୍ଧ ଖେଳର ଷ୍ଟପେଜ୍ ଟାଇମ୍ର ଅନ୍ତିମ ମିନିଟ୍ରେ ଟର୍ନର୍ ଡାହାଣପଟକୁ ଡାଇଭ୍ ମାରି ମାସନ୍ ମାଉଣ୍ଟ୍ଙ୍କ ଉଦ୍ୟମକୁ ପଣ୍ଡ କରିଦେଇଥିଲେ । ଏହି ମ୍ୟାଚ୍ରେ ଇଂଲଣ୍ଡର ହ୍ୟାରୀ ମାଗିର୍ ତାଙ୍କର ୫୦ତମ ମ୍ୟାଚ୍ ଖେଳିଥିଲେ ।