ଅହମ୍ମଦାବା : ମୋର୍ବୀ ଝୁଲାପୋଲ ଦୁର୍ଘଟଣାର ମାମଲାରେ ଗୁଜରାଟ ହାଇକୋର୍ଟ ମନୋଭାବ କଠୋର କରିଛନ୍ତି । ଗୁରୁବାର ମାମଲାର ଶୁଣାଣି ବେଳେ ମୃତକଙ୍କ ପରିଜନଙ୍କୁ ଦିଆଯାଇଥିବା ୪ ଲକ୍ଷ ଟଙ୍କା କ୍ଷତିପୂରଣକୁ ନେଇ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କୋର୍ଟ କହିଛନ୍ତି, ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାରକୁ ବହୁ କମ୍ କ୍ଷତିପୂରଣ ପ୍ରଦାନ କରାଯାଇଛି, ଏହା ସଙ୍ଗତ ହେବା ଉଚିତ । ୩୦ରୁ ୪୦ ବର୍ଷ ବୟସର ବ୍ୟକ୍ତି ପ୍ରାଣ ହରାଇଛନ୍ତି । ସେମାନେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥାଇପାରନ୍ତି । ଏପରି କ୍ଷେତ୍ରରେ କ୍ଷତିପୂରଣ ଅତିକମ୍ରେ ୧୦ ଲକ୍ଷ ଟଙ୍କା ହେବା ଉଚିତ ବୋଲି କୋର୍ଟ କହିଛନ୍ତି । କୋର୍ଟ ଆହୁରି କହିଛନ୍ତି, ଅନାଥ ହୋଇଥିବା ପିଲାଙ୍କ ପାଇଁ ପ୍ରତି ମାସରେ ୩ ହଜାର ଟଙ୍କା ଆର୍ଥକ ସହାୟତା କିଛି ବି ନୁହେଁ । ଏହି ଅର୍ଥରେ ପିଲାଙ୍କ ଡ୍ରେସ୍ ଏବଂ ବହି ମଧ୍ୟ କିଣାଯାଇ ପାରିବ ନାହିଁ । ରାଜ୍ୟ ସରକାରଙ୍କୁ ଏହି କ୍ଷତିପୂରଣ ରାଣି ଦୁଇଗୁଣ କରିବା ଉଚିତ । ଉଲ୍ଲେଖଯୋଗ୍ୟ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉପରେ ନିର୍ଭରଶୀଳ ଲୋକଙ୍କ ପୂରା ବିବରଣୀ ପ୍ରସ୍ତୁତ କରିବା ନିମନ୍ତେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କହିଥିଲେ । ଅସନ୍ତୁଷ୍ଟ ହାଇକୋର୍ଟ ବିସ୍ତୃତ କ୍ଷତିପୂରଣ ନୀତିକୁ ନେଇ ଅତିଶୀଘ୍ର ଆଫିଡେଭିଟ୍ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ରାଜ୍ୟରେ ଥିବା ସମସ୍ତ ପୋଲର ସର୍ଭେ କରିବାକୁ ରାଜ୍ୟ ସରକାରଙ୍କୁ ଆଦେଶ ଦେବା ସହ ଜର୍ଜର ଏବଂ ଠିକ୍ ସ୍ଥିତିରେ ଥିବା ପୋଲର ସୂଚୀ ମଧ୍ୟ କୋର୍ଟ ମାଗିଛନ୍ତି । ଏହା ସହିତ ଭବିଷ୍ୟତରେ ଯେପରି ମୋର୍ବୀ ପରି ଘଟଣା ନଘଟେ ସେଥିପାଇଁ ଏକ ଟେକ୍ନିକ୍ର ବିକାଶ ପାଇଁ ଆଦେଶ ଦେଇଛନ୍ତି । ଏହା ବ୍ୟତୀତ ଓରେଭା ମ୍ୟାନେଜମେଣ୍ଟ୍ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ସମ୍ପର୍କରେ କୋର୍ଟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସେହିପରି ବିନା ବୁଝାମଣାରେ ଓରେଭା ଗ୍ରୁପ୍କୁ ସାଢ଼େ ପାଞ୍ଚବର୍ଷ ପାଇଁ ପୋଲର ବ୍ୟବହାର ପାଇଁ କାହିଁକି ଅନୁମତି ଦିଆଯାଇଥିଲା ବୋଲି ମଧ୍ୟ କୋର୍ଟ ମୋବୀ ମ୍ୟୁନିସିପାଲିଟିକୁ ପ୍ରଶ୍ନ କରିଛନ୍ତି । ଏସ୍ଆଟି ରିପୋର୍ଟ ସିଲ୍ବନ୍ଦ ଲଫାପାରେ କୋର୍ଟରେ ଦାଖଲ କରିବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି । ଏସ୍ଆଇଟି ତଦନ୍ତରେ ସନ୍ତୁଷ୍ଟ ନହେଲେ ତଦନ୍ତ ଦାୟିତ୍ୱ ହାଇକୋର୍ଟ ଅନ୍ୟ ଏଜେନ୍ସିକୁ ପ୍ରଦାନ କରିବେ ବୋଲି କହିଛନ୍ତି । ମୃତକଙ୍କ ଜାତି ସମ୍ପର୍କରେ ଲେଖିବାକୁ ନେଇ କୋର୍ଟ ଆପତ୍ତି ଦର୍ଶାଇଛନ୍ତି । ମୃତକଙ୍କ ନାମ ଆଗରେ ଜାତି ଉଲ୍ଲେଖ କରିବାର କ’ଣ ଆବ୍ୟକତା ରହିଛି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ସମସ୍ତ ମୃତକ ସମାନ ଭାବେ ଗଣାଯାଇଥାନ୍ତି ବୋଲି କୋର୍ଟ କହିଛନ୍ତି ।