ମୁମ୍ବାଇ : ମହାରାଷ୍ଟ୍ରର ଥାଣେ ଜିଲ୍ଲାର କଲ୍ୟାଣ ନିବାସୀ ଗୌତମ ରତନ ମୋରେ ନାମକ ଜଣେ ଯୁବକ ଶ୍ମଶାନ ଘାଟରେ ନିଜର ଜନ୍ମଦିନ ପାଳନ କରିଛନ୍ତି । ଅନ୍ଧବିଶ୍ୱାସ ଦୂର କରିବା ଉଦ୍ଦେଶ୍ୟରେ ଗୌତମ ଶ୍ମଶାନରେ ହିଁ ନିଜର ୪୪ତମ ଜନ୍ମଦିନର କେକ୍ କାଟିଛନ୍ତି । ନଭେମ୍ବର ୧୯ ତାରିଖରେ ୪୪ ବର୍ଷରେ ପଦାର୍ପଣ କରିଥିବା ଗୌତମ ଏହି ଅବସରରେ ଅତିଥିମାନଙ୍କୁ କେକ୍ ବ୍ୟତୀତ ବିରିୟାନୀରେ ମଧ୍ୟ ଆପ୍ୟାୟିତ କରିଥିଲେ । ପାର୍ଟି ପାଇଁ ସେ ରାତି ସମୟକୁ ବାଛିଥିଲେ ଏବଂ ଏଥିପାଇଁ ଫ୍ଲେକ୍ସ ବୋର୍ଡ ମଧ୍ୟ ପ୍ରସ୍ତୁତ କରିଥିଲେ । ଫ୍ଲେକ୍ସରେ ମରାଠୀରେ ତାଙ୍କ ପାଇଁ ଶୁଭକାମନା ବାର୍ତ୍ତା ଲେଖାଯାଇଥିଲା । ଯେଉଁଠାରେ ଚିତା ଜଳିଥାଏ ଲୋକମାନେ ସେଠାରେ ବସି ଖାଉଥିବା ଏକ ଫଟୋରୁ ଦେଖିବାକୁ ମିଳିଛି । ପାର୍ଟିକୁ ଆସିଥିବା ବ୍ୟକ୍ତି ବିନା କୌଣସି ଭୟରେ ଶ୍ମଶାନରେ ଛିଡ଼ା ହୋଇଥିବା ମଧ୍ୟ ଭାଇରାଲ୍ ଫଟୋରେ ଦେଖାଯାଇଛି । ଏହି ଜନ୍ମଦିନ ପାର୍ଟିରେ ୪୦ ମହିଳାଙ୍କ ସମେତ ୧୦୦ରୁ ଊର୍ଦ୍ଧ୍ୱ ଅତିଥି ଯୋଗ ଦେଇଥିଲେ । ମୋରେ କହିଛନ୍ତି, ତାଙ୍କୁ ଏହି ପ୍ରେରଣା ପ୍ରସିଦ୍ଧ ସୋସିଆଲ୍ ଆକ୍ଟିଭିଷ୍ଟ୍ ସିନ୍ଧୁତାଇ ସପକାଲ ଏବଂ ରେସନାଲିଷ୍ଟ୍ ନରେନ୍ଦ୍ର ଦାଭୋଲକରଙ୍କ ଠାରୁ ମିଳିଛି । ସେମାନେ ଅନ୍ଧବିଶ୍ୱାସ ଏବଂ କଳାଜାଦୁ ବିରୋଧରେ ଅଭିଯାନ ଚଳାଇଥିଲେ । ଶ୍ମଶାନ ଘାଟ ଏବଂ ଏହିପରି ସ୍ଥାନରେ ଭୂତ ପ୍ରେତ ନଥାନ୍ତି ବୋଲି ଗୌତମ ଏହା ମାଧ୍ୟମରେ ଲୋକଙ୍କୁ ବାର୍ତ୍ତା ଦେବାକୁ ଚାହାନ୍ତି ।