ଜମ୍ମୁ: ଜମ୍ମୁର ସାମ୍ବା ଜିଲ୍ଲାରେ ଗୁରୁବାର ସକାଳେ ପୁଲିସକୁ ଏକ ସିଲ୍ ପ୍ୟାକେଟ୍ ମିଳିଛି । ଏଥିରୁ ବିସ୍ଫୋରକ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଏବଂ ବହୁ ମାତ୍ରାରେ କ୍ୟାଶ୍ ଜବତ ହୋଇଛି । ଏହି ପ୍ୟାକେଟ୍ ପାକିସ୍ତାନୀ ଡ୍ରୋନ୍ରୁ ପକାଯାଇଥିବା ପୁଲିସ ଆଶଙ୍କା କରୁଛୁ । ସାମ୍ବା ଏସ୍ଏସ୍ପି ଅଭିଷେକ ମହାଜନ କହିଛନ୍ତି, କୌଣସି ଏକ ବଡ଼ ଘଟଣାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଏହାକୁ ପକାଯାଇଥିଲା । ଆତଙ୍କବାଦୀଙ୍କ ଏହି ଷଡ଼ଯନ୍ତ୍ରକୁ ଆମ ଟିମ୍ ବିଫଳ କରିଛି । ବିଜୟପୁରର ସଭାଙ୍ଖା ଛକଠାରୁ କିଛି ଦୂରେ ଏକ ସିଲ୍ ପ୍ୟାକେଟ୍ ପଡ଼ିଥିବା ସକାଳ ୬ଟା ବେଳେ ଜଣେ ବ୍ୟକ୍ତି ପୁଲିସକୁ ସୂଚନା ଦେଇଥିଲେ । ସୂଚନା ମିଳିପା ପରେ ପୁଲିସ ଟିମ୍ ସେଠାରେ ପହଞ୍ଚି ପ୍ୟାକେଟ୍ରୁ ୫ ଲକ୍ଷ ଟଙ୍କା, ଦୁଇଟି ଚୀନ୍ ନିର୍ମିତ ପିସ୍ତଲ, ୪ ମ୍ୟାଗ୍ଜିନ୍, ଗୋଟିଏ ଷ୍ଟିଲ୍ ଇମ୍ପ୍ରୋଭାଇଡ୍ ଏକ୍ସପ୍ଲୋସିଭ୍ ଡିଭାଇସ୍ (ଆଇଇଡି) ଜବତ କରିଥିବା ଏସ୍ଏସ୍ପି କହିଛନ୍ତି ।