ବାଲି: ଜି-୨୦ ସମ୍ମିଳନୀ ଅବସରରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ୍ ରାଷ୍ଟ୍ରପତି ସିି ଜିନ୍ପିଙ୍ଗ୍ ପରସ୍ପର ସହ କରମର୍ଦ୍ଦନ କରିଥିଲେ ସୁଦ୍ଧା କଥାବାର୍ତ୍ତା ହୋଇନଥିବା ଜଣାପଡିଛି । ଏସିଆର ଦୁଇ ବୃହତ ରାଷ୍ଟ୍ର ଭାରତ ଓ ଚୀନ୍ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ସମଗ୍ର ବିଶ୍ୱ ଚାତକ ଭଳି ଅନାଇ ବସିଥିବାବେଳେ ଏହି ଦୁଇ ନେତାଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ନହେବା ପ୍ରସଙ୍ଗ କୂଟନୈତିକ ମହଲକୁ ବିସ୍ମିତ କରିଛି । ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡଙ୍କ ତରଫରୁ ନୈଶ୍ୟଭୋଜି ଆୟୋଜିତ ହୋଇଥିବାବେଳେ ମୋଦୀ ଓ ଜିନ୍ପିଙ୍ଗ୍ ପରସ୍ପରର ନିକଟବର୍ତ୍ତୀ ହୋଇଛନ୍ତି ।
ସୂଚନାଯୋଗ୍ୟ ୨୦୨୦ ଗଲୱାନ ସଂଘର୍ଷ ପରଠାରୁ ମୋଦୀ ଓ ଜିନ୍ପିଙ୍ଗ୍ ପରସ୍ପରକୁ ପ୍ରଥମ ଥର ଭେଟିଛନ୍ତି । ଅବଶ୍ୟ ଚଳିତବର୍ଷ ସେପ୍ଟେମ୍ବରରେ ଉଜ୍ବେକିସ୍ତାନର ସମରକନ୍ଦରେ ଆୟୋଜିତ ସାଂଘାଇ ସହଯୋଗ ସଂଗଠନ ବୈଠକରେ ଦୁଇ ନେତା ଯୋଗଦେଇଥିଲେ ସୁଦ୍ଧା କେହି କାହାରିକୁ ସ୍ୱାଗତ ସମ୍ଭାଷଣ କିମ୍ବା କରମର୍ଦ୍ଦନ କରିନଥିଲେ । ବୁଧବାର ଜି-୨୦ ସମ୍ମିଳନୀର ଦ୍ୱିତୀୟ ତଥା ଅନ୍ତିମ ଦିବସରେ ୧୦ ଜଣ ରାଷ୍ଟ୍ରନେତାଙ୍କୁ ମୋଦୀ ଭେଟିବାର କାର୍ଯ୍ୟକ୍ରମ ଥିବାବେଳେ ଏହି ତାଲିକାରେ ଜିନ୍ପିଙ୍ଗ୍୍ଙ୍କ ନାମ ସ୍ଥାନ ପାଇନଥିବା ଜଣାପଡିଛି ।