ବ୍ରହ୍ମପୁର: ପୁରୁଣା ବ୍ରହ୍ମପୁରରେ ପୈତୃକ ସମ୍ପତ୍ତିକୁ ନେଇ ୩ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ଘଟଣାରେ ଆଜି ବଡ଼ ବଜାର ପୁଲିସ ୬ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ପୁରୁଣା ବ୍ରହ୍ମପୁର ଅଞ୍ଚଳ ଝରଣା ନଗରର ଜଳନ୍ଦର ଦାସ ଓରଫ ଜଳ(୫୫), ଶିଶିର ଦାସ(୨୭), ଚିନ୍ମୟ ଦାସ ଓରଫ ଚିଙ୍କୁ(୨୧), ତଳମେଣ୍ଟୁ ଛକର ବଜରଙ୍ଗି ପାଢି ଓରଫ ଭାଉ(୨୫), ଲୋକନାଥ ଚୌଧୁରୀ(୨୪) ଓ ଜଗବନ୍ଧୁ ହୁଡ଼ା ସାହିର ରୋସନ ଖଟେଇ(୨୦) ବୋଲି ପୁଲିସ କହିଛି । ଅଭିଯୁକ୍ତଙ୍କୁ ନିକଟରୁ ପୁଲିସ ବିଭିନ୍ନ ମାରଣାସ୍ତ୍ର ସହ ୨ଟି ବୋମା ଓ ବାଉଁଶ ବାଡ଼ି ଜବତ କରିଛି । ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ଭୁବନେଶ୍ୱରରୁ ଗିରଫ କରିଥିବା ବେଳେ ଆଜି ସେମାନଙ୍କୁ କୋର୍ଟଚାଲାଣ କରିଛି । ସୂଚନାଯୋଗ୍ୟ ଯେପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଅକ୍ଟୋବର ୨୪ ତାରିଖ ରାତି ୧୧ଟା ସମୟରେ ଅଭିଯୁକ୍ତମାନେ ପୁରୁଣା ବ୍ରହ୍ମପୁର ଅଞ୍ଚଳ ଝରଣା ନଗରରେ ରହୁଥିବା ସସ୍ମିତା ଗୌଡଙ୍କ ଘରେ ପଶିଥିଲେ ।
ଘରେ ଥିବା ଆସବାବପତ୍ର ଭଙ୍ଗାରୂଜା କରିବା ସହ ଦୁଇଟି ସୁନା କାନ ଫୁଲ, ଗ୍ୟାସ ହାଣ୍ଡି ଓ ନଗଦ ଟଙ୍କା ଚୋରି କରିଥିବା ନେଇ ଯାଇଥିଲେ । ଏହା ସହ ତାଙ୍କୁ ଗାଳିଗୁଲଜ କରିବା ସହ ତାଙ୍କୁ ବିଭିନ୍ନ ପ୍ରକାର ଧମକଚମକ ଦେଇଥିଲେ । ଏନେଇ ସେ ବଡ଼ ବଜାର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ଆଜି ଏହି ମାମଲାରେ ଫେରାର ଥିବା ଉପରୋକ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବ୍ରହ୍ମପୁର ଏସ୍ପି ସବରଣା ବିବେକ ଏମ୍ ସୂଚନା ଦେଇଛନ୍ତି ।