ଓଡ଼ଗାଁ : ନିଜ ସ୍ୱାମୀକୁ ହତ୍ୟା ଯୋଜନାକରି ସୁପାରିକିଲରକୁ ଟଙ୍କାଦେବା ଅଭିଯୋଗରେ ସ୍ତ୍ରୀ ସମେତ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଓଡ଼ଗାଁ ପୁଲିସ ।ଗିରଫ ଯୁବକଙ୍କ ଜଣଙ୍କ ବାଙ୍କି ଅଞ୍ଚଳର ବିକ୍ରମ ବେହେରା ହୋଇଥିବାବେଳେ ସ୍ତ୍ରୀ ଛବି ନାଏକ ହେଉଛନ୍ତି ଓଡ଼ଗାଁ ଆଦର୍ଶ ଥାନା ବାହାଡ଼ଝୋଲା ଫାଣ୍ଡି ଅନ୍ତର୍ଗତ ଗୁମି ଗ୍ରାମର ।ସୂଚନା ଅନୁଯାୟୀ ଗୁମି ଅଞ୍ଚଳର ଗୋଲେଖ ନାଏକ ଭୁବନେଶ୍ୱରରେ ରହି ପରିବାର ପ୍ରତିପୋଷଣ କରୁଛନ୍ତି ।ସ୍ୱାମୀଙ୍କ ଅନୁପସ୍ଥିତିରେ ସ୍ତ୍ରୀ ଛବି ଙ୍କର ବାଙ୍କି ଅଞ୍ଚଳର ଜଣେ ପୁରୁଷଙ୍କ ସହିତ ପ୍ରେମସମ୍ପର୍କ ଗଢି ଉଠିଥିଲା ।ଦୀର୍ଘଦିନ ଧରି ପ୍ରେମସମ୍ପର୍କ ଗଢିଉଠିବାପରେ ସ୍ୱାମୀଙ୍କୁ ରାସ୍ତାରୁ ହଟାଇବାପାଇଁ ଯୋଜନା କରିଥିଲା ସ୍ତ୍ରୀ । ପରକ୍ରିୟାପ୍ରୀତିରେ ଅନ୍ଧହୋଇ ସ୍ୱାମୀଙ୍କୁ ହତ୍ୟାକରିବା ନିମନ୍ତେ ସମ୍ପୃକ୍ତ ଯୁବକଙ୍କୁ ୫ ଲକ୍ଷଟଙ୍କା ଦେଇଥିଲା ।
ଫଳରେ ଉକ୍ତ ଯୁବକ ଜଣଙ୍କ ଗୋଲେଖ ଘରେଥିବା ସମୟରେ ହତ୍ୟା ଉଦ୍ଦେଶ୍ୟରେ ହାତରେ ଏକ ଧାରୁଆ କଟୁରିଧରି ଆକ୍ରମଣ କରିଥିଲା ।ଗୋଲେଖ ଚିତ୍କାର କରିବାରୁ ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚି ବିକ୍ରମକୁ କାବୁ କରିବାରେ ସଫଳ ହୋଇଥିଲେ ।ଏବଂ ଏ ସଂକ୍ରାନ୍ତରେ ଥାନାକୁ ଖବର ଦେବାପରେ ଓଡ଼ଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିକ୍ରମ ସମେତ ଛବିଙ୍କୁ ଗିରଫ କରିବା ସହିତ ଗୋଲେଖର ଅଭିଯୋଗ ଆଧାରରେ ଏକ ମାମଲା ରୁଜୁକରି ଶନିବାର କୋର୍ଟଚାଲାଣ କରିଥିବା ଜଣାପଡ଼ିଛି । ସେଠାରେ ଉଭୟଙ୍କର ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଥିବା ଆଦର୍ଶ ଥାନା ପକ୍ଷରୁ ସୂଚନା ମିଳିଛି ।