ନୂଆପଡ଼ା: ଧାନ ବିଲରୁ ନାବାଳିକାର କଙ୍କାଳ ଉଦ୍ଧାର ଘଟଣାରେ ଚାଞ୍ଚଲ୍ୟକର ଖୁଲାସା ହୋଇଛି । ନୂଆପଡ଼ା ସଦର ଥାନା ଅଞ୍ଚଳରେ ଧାନ ବିଲରୁ ଜଣେ ନାବାଳିକାର କଙ୍କାଳ ଉଦ୍ଧାର ଘଟଣା ଉପରୁ ପରଦା ହଟିଛି । ନାବାଳିକାକୁ ହତ୍ୟା କରାଯାଇଥିବା ବେଳେ ହତ୍ୟାକାଣ୍ଡ ପଛରେ ପ୍ରେମ ଓ ପରେ ଶାରୀରିକ ସମ୍ପର୍କ ଥିବା ଜଣାପଡ଼ିଛି । ଏହି ହତ୍ୟା ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨ ନାବାଳକଙ୍କୁ ହେପାଜତକୁ ନେଇ କୋର୍ଟ ଚାଲାଣ କରିଛି ପୋଲିସ । ସୂଚନା ଅନୁଯାୟୀ, +୨ ପଢ଼ୁଥିବା ଛାତ୍ରୀ ସେହି ଗାଁର ପରମାନନ୍ଦ ସାହୁ ନାମକ ଜଣେ ଯୁବକଙ୍କୁ ଭଲ ପାଉଥିଲେ । ପ୍ରଥମେ ପ୍ରେମ ଓ ପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲା ।
ତେବେ ନାବାଳିକା ଜଣକ ୪ ମାସର ଗର୍ଭବତୀ ଥିବା ଜଣାପଡ଼ିବା ପରେ ଘଟଣା ପ୍ରଘଟ ହେବା ଭୟରେ ପରମାନନ୍ଦ ଓ ତା ସାଙ୍ଗଙ୍କ ସମେତ ମୋଟ ୬ ଜଣ ମିଶି ତାଙ୍କୁ ଗତ ଜାନୁଆରୀ ୩ ତାରିଖରେ ନାବାଳିକାକୁ ହତ୍ୟା କରିଥିବା ନୂଆପଡ଼ା ଅତିରିକ୍ତ ଏସପି ସୂଚନା ଦେଇଛନ୍ତି । ଘରୁ ଡାକି ନେଇ ନାବାଳିକାକୁ ହତ୍ୟା କରି ଅଭିଯୁକ୍ତମାନେ ଗାଁଠୁ ୨ କିଲୋମିଟର ଦୂରରେ ପୋତି ଦେଇଥିଲେ । ଘଟଣାର ୧୦ ମାସ ପରେ ମୃତ ନାବାଳିକାଙ୍କ ବାପାଙ୍କ ପାଖକୁ ଏକ ବେନାମୀ ଚିଠି ଆସିଥିଲା । ଏହି ଆଧାରରେ ପୋଲିସ ୬ ଜଣଙ୍କୁ ଅଟକ ରଖି ସିନ୍ ରିକ୍ରିଏସନ୍ ବେଳେ ଧାନ ବିଲରୁ ନର କଙ୍କାଳ ଉଦ୍ଧାର ହୋଇଥିଲା । ଏହି ମାମଲାରେ ପରମାନନ୍ଦ ସମେତ ୪ ଜଣଙ୍କୁ ଗିରଫ କରାଯିବା ସହ ୨ ନାବାଳକଙ୍କୁ ମଧ୍ୟ ହେପାଜତକୁ ନେଇ କୋର୍ଟ ଚାଲାଣ କରିଛି ପୋଲିସ ।