ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାର ତଦନ୍ତ ଦାୟିତ୍ୱ ସିବିଆଇ ଉପରେ ନ୍ୟସ୍ତ କରାଯାଇଛି । ଏହି ମାମଲାରେ ଆପ୍ ନେତା ତଥା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଶ ସିସୋଦିଆଙ୍କ ସମେତ ଏଗାର ଜଣଙ୍କୁ ଅଭିଯୁକ୍ତ ତାଲିକାରେ ସାମିଲ କରାଯାଇଛି । ତେବେ ଏହି ମାମଲାରେ ସିସୋଦିଆଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା ଦିନେଶ ଆରୋରାଙ୍କୁ ରାଜସାକ୍ଷୀ କରାଯିବ ବୋଲି ଜଣାପଡିଛି ।
ସିବିଆଇ ପକ୍ଷରୁ ସୋମବାର ସ୍ଥାନୀୟ ଏକ ଅଦାଲତରେ ଦାଖଲ କରାଯାଇଥିବା ପିଟିସନରେ ଏହା ଉଳ୍ଲେଖ କରାଯାଇଛି । ଗତ ସପ୍ତାହରେ ଅଦାଲତ ଦିନେଶଙ୍କୁ ଜାମିନ ପ୍ରଦାନ କରିଥିବାବେଳେ ସିବିଆଇ ଓକିଲ ଏହାକୁ ବିରୋଧ କରିନଥିଲେ । ଜେରା ସମୟରେ ଦିନେଶ ସହଯୋଗ କରିଥିବାବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିବା ସିବିଆଇ ପକ୍ଷରୁ କୁହାଯାଇଛି । ତେଣୁ ତାଙ୍କୁ ରାଜସାକ୍ଷୀ କରାଗଲେ, ପ୍ରକୃତ ତଥ୍ୟ ସାମନାକୁ ଆସିବ ବୋଲି ସିବିଆଇ ଆଶାବ୍ୟକ୍ତ କରିଛି ।