29.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶଟ୍ୱିଟରରୁ ଓହରି ଯାଉଛନ୍ତି ନାମୀ ବିଜ୍ଞାପନଦାତା

ଟ୍ୱିଟରରୁ ଓହରି ଯାଉଛନ୍ତି ନାମୀ ବିଜ୍ଞାପନଦାତା

ୱାଶିଂଟନ: ଏଲନ୍ ମସ୍କ୍‌ଙ୍କ ହାତକୁ ମାଲିକାନା ସ୍ୱତ୍ୱ ଯିବାପରେ ଅଧିକାଂଶ ବିଜ୍ଞାପନ କମ୍ପାନୀ ଟ୍ୱିଟର ସହ ସମ୍ପାଦିତ ଚୁକ୍ତିରୁ ଓହରି ଯାଉଥିବା ଜଣାପଡିଛି । ମସ୍କ୍ ଇତିମଧ୍ୟରେ କମ୍ପାନୀର ଶତାଧିକ କର୍ମଚାରୀଙ୍କୁ ଛଟେଇ କରିସାରିଥିବାବେଳେ ଟ୍ୱିଟରର ନୀତିରେ ପରିବର୍ତ୍ତନ କରିବେ ବୋଲି ମଧ୍ୟ ସୂଚନା ଦେଇସାରିଛନ୍ତି । ଆଗକୁ ଏହି ସୋସିଆଲ ମାଇକ୍ରୋବ୍ଲଗିଙ୍ଗ୍ ସାଇଟ୍‌ରେ ଘୃଣ୍ୟ ଭାଷଣ ଏବଂ ଭିତ୍ତିହୀନ ସମ୍ବାଦ ପ୍ରସାରିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଏହି କମ୍ପାନୀଗୁଡିକ ଆଶଙ୍କାବ୍ୟକ୍ତ କରିଛନ୍ତି । ତେଣୁ ଟ୍ୱିଟର ସହ ବ୍ୟବସାୟିକ ସମ୍ପର୍କ ରଖିଲେ, ସେମାନଙ୍କର ସୁନାମରେ ଆଞ୍ଚ ଆସିପାରେ ବୋଲି ମଧ୍ୟ ସେମାନେ କହିଛନ୍ତି ।

ଏହି କମ୍ପାନୀଗୁଡିକ ମଧ୍ୟରେ ବିଶ୍ୱସ୍ତରୀୟ ଅଟୋମୋବାଇଲ କମ୍ପାନୀ ଯଥା ଜେନେରାଲ ମୋଟର୍ସ, ଭକ୍ସୱାଗନ, ଅଡି, ଲାମ୍ବରଗିନି, ବେଣ୍ଟ୍‌ଲେ ଓ ପର୍ସେ ଅନ୍ୟତମ । ଏହାବ୍ୟତୀତ ଡେନମାର୍କର କାର୍ଲସବର୍ଗ ଗ୍ରୁପ୍‌, ପୋଷାକ ନିର୍ମାତା ଆର୍‌ଇଆଇ ଓ ଗୁକ୍କି ମଧ୍ୟ ନିଜକୁ ଏହି ତାଲିକାରେ ସାମିଲ କରିଛନ୍ତି । ବିଜ୍ଞାପନଦାତାଙ୍କ ବ୍ରାଣ୍ଡ୍‌ନାମକୁ ସୁରକ୍ଷିତ ରଖିବାରେ ଟ୍ୱିଟର ନିଶ୍ଚିତଭାବେ ବିଫଳ ହେବ ବୋଲି ଏହି କମ୍ପାନୀ ଅନୁମାନ କରୁଛନ୍ତି । ତେଣୁ ଟ୍ୱିଟର ସହ ବ୍ୟବସାୟିକ ସମ୍ପର୍କ ଛିନ୍ନ କରିବାକୁ ସିଭିଲ ରାଇଟ୍‌ସ ଗ୍ରୁପ୍ ‘ଗ୍ଳାଡ୍‌’ ପକ୍ଷରୁ ଶୁକ୍ରବାର ଏକ ବୈଠକ ଅନୁଷ୍ଠିତ ହୋଇ ଏଭଳି ନିଷ୍ପତ୍ତି ନେବାକୁ ମଲ୍‌ଟିନ୍ୟାସନାଲ କମ୍ପାନୀଗୁଡିକୁ ପରାମର୍ଶ ଦେଇଥିବା ଜଣାପଡିଛି ।

ଅପରପକ୍ଷରେ ଏକାଧିକ ନାମୀ କମ୍ପାନୀ ବିଜ୍ଞାପନ ଦେଉନଥିବାରୁ ଟ୍ୱିଟରର ରାଜସ୍ୱ ହ୍ରାସ ପାଉଥିବା ମସ୍କ୍ ସୂଚନା ଦେଇଛନ୍ତି । ଏଥିପାଇଁ ସେ ସିଭିଲ ରାଇଟ୍‌ସ ଗ୍ରୁପ୍‌କୁ ଦୋଷାରୋପ କରିଛନ୍ତି । ଚଳିତବର୍ଷ ମେ’ ସୁଦ୍ଧା ୩୯୦୦ କମ୍ପାନୀ ଟ୍ୱିଟରରେ ବିଜ୍ଞାପନ ଦେଉଥିବାବେଳେ ଅଗଷ୍ଟରେ ଏମାନଙ୍କ ସଂଖ୍ୟା ୨୩୦୦କୁ ହ୍ରାସ ପାଇଛି । ଜେନେରାଲ ମୋଟର୍ସ ମାସକୁ ହାରାହାରି ୧.୭ ନିୟୁତ ଡଲାର ମୂଲ୍ୟର ବିଜ୍ଞାପନ ଟ୍ୱିଟରକୁ ଦେଇଥାଏ । ତେବେ ମସ୍କ୍ ଦାୟିତ୍ୱ ନେବାପରେ ଏହା ବିଜ୍ଞାପନ ଦେବାରୁ ନିଜକୁ ଦୂରେଇ ରଖିଛି । ଅପରପକ୍ଷରେ ଲକ୍ଷାଧିକ କମ୍ପାନୀର ବ୍ୟବସାୟିକ କାରବାର ଉପରେ ନଜର ରଖୁଥିବା ‘ମିଡିଆରେଡାର’ ସଂସ୍ଥାର ସୂଚନା ମୁତାବକ ଚଳିତବର୍ଷ ଜୁଲାଇ ପୂର୍ବରୁ ପ୍ରତିମାସରେ ୧୦୦୦ ନୂଆ ବିଜ୍ଞାପନଦାତା ଟ୍ୱିଟର ସହ ସମ୍ପର୍କ ସ୍ଥାପନ କରୁଥିଲେ । ତେବେ ଏହି ସଂଖ୍ୟା ବର୍ତ୍ତମାନ ୨୦୦କୁ ହ୍ରାସ ପାଇଲାଣି । ଟ୍ୱିଟରର ମାଲିକାନା ସ୍ୱତ୍ୱ ଏବଂ ଏହାର ବିଷୟବସ୍ତୁ (କଣ୍ଟେଣ୍ଟ୍‌)କୁ ନେଇ ଆଶଙ୍କା ପାଉଥିବାରୁ ଏଭଳି ସ୍ଥିତି ଉପୁଜିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking