ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ସରକାରଙ୍କୁ ଶୁକ୍ରବାର ସୁପ୍ରିମ୍କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । ସର୍ବୋଚ୍ଚ କୋର୍ଟ ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇବା ସହ ସରକାରୀ ଚାକିରିରେ ମହିଳାଙ୍କ ପାଇଁ ୩୦ ପ୍ରତିଶତ ସଂରକ୍ଷଣକୁ ଜାରି ରଖିଛନ୍ତି । ସୂଚନାଯୋଗ୍ୟ, ଉତ୍ତରାଖଣ୍ଡ ହାଇକୋର୍ଟ ରାଜ୍ୟର ମୂଳ ନିବାସୀ ମହିଳାଙ୍କ ପାଇଁ ସରକାରୀ ଚାକିରିରେ ୩୦% ସଂରକ୍ଷଣ ଉପରେ ରୋକ୍ ଲଗାଇଥିଲେ। ରାଜ୍ୟ ସରକାର ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ସୁପ୍ରିମ୍କୋର୍ଟରେ ଚାଲେଞ୍ଜ୍ କରିଥିଲେ ।
ନୈନିତାଲ ହାଇକୋର୍ଟ ରାଜ୍ୟ ଲୋକସେବା ଆୟୋଗଙ୍କ ରାଜ୍ୟ (ସିଭିଲ୍) ଅପର ସବଅର୍ଡିନେଟ୍ ପରୀକ୍ଷାରେ ଉତ୍ତରାଖଣ୍ଡ ମୂଳ ନିବାସୀ ମହିଳା ପ୍ରାର୍ଥୀଙ୍କୁ ୩୦ ପ୍ରତିଶତ ଆଞ୍ଚଳିକ ସଂରକ୍ଷଣ ପ୍ରଦାନ କରିଥିବା ରାଜ୍ୟ ସରକାର ୨୦୦୬ ଆଦେଶ ଉପରେ ରୋକ୍ ଲଗାଇ ଦେଇଥିଲେ । ହାଇକୋର୍ଟଙ୍କ ରୋକ୍ ପରେ ରାଜ୍ୟରେ ବିଭିନ୍ନ ପଦବୀ ପାଇଁ ଚାଲିଥିବା ନିଯୁକ୍ତିରେ ଆଞ୍ଚଳିକ ସଂରକ୍ଷଣକୁ ନେଇ ଅସମଞ୍ଜସ ସ୍ଥିତି ଉତ୍ପନ୍ନ ହୋଇଥିଲା ।