ଭୁବନେଶ୍ୱର: ସାପ ବିଷ ରାକେଟ୍ର ଚେର ରାଜଧାନୀ ଭୁବନେଶ୍ୱରରୁ ବିଦେଶକୁ ଲମ୍ବିଛି । ଏହି ରାକେଟ୍ରେ ସଂପୃକ୍ତ ମାଷ୍ଟରମାଇଣ୍ଡଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ ଅଣ୍ଟା ଭିଡ଼ିଛି । ମାମଲା ରୁଜୁ ପରେ ମଙ୍ଗଳବାର ଏସ୍ଟିଏଫ ତଦନ୍ତକାରୀ ଅଧିକାରୀ ଖୋଳତାଡ ଆରମ୍ଭ କରିଛି । ଗିରଫ ଅଭିଯୁକ୍ତଙ୍କ ସମ୍ପର୍କରେ ତଥ୍ୟ ନେବା ପାଇଁ ବନ ଅଧିକାରୀ ଏବଂ ସ୍ନୋକ୍ ହେଲ୍ପଲାଇନ୍ ସଦସ୍ୟ ଶୁଭେନ୍ଦୁ ମଲ୍ଲିକଙ୍କୁ ପଚରାଉଚରା କରିଛି । ସେମାନଙ୍କ ଠାରୁ ପାଇଥିବା ତଥ୍ୟ ଆଧାରରେ ଏସ୍ଟିଏଫ ଏହି ରାକେଟ୍ର ମାଷ୍ଟରମାଇଣ୍ଡକୁ ଧରିବାରେ ସଫଳ ହେବ ବୋଲି ଆଶା ରଖିଛି । ରାଜଧାନୀରୁ ଏହି ସାପ ନିଶା କେଉଁଆଡକୁ ଯାଉଥିଲା, ଏହା ପଛରେ କେଉଁମାନଙ୍କ ହାତ ରହିଛି । ତାହାକୁ ତଦନ୍ତ କରୁଛନ୍ତି ଡିଏସ୍ପି ଇ କ୍ୟୁରୋ ।
ସେ କହିଛନ୍ତି ଯେ, ଦେଢ ବର୍ଷ ହେବ ଗିରଫ ଅଭିଯୁକ୍ତଙ୍କ ରାଜ୍ୟ ତଥା ଦେଶ ବାହାର ଲିଙ୍କ୍ ଥିବା ସନ୍ଦେହ କରାଯାଉଛି । ସେନେଇ ତଦନ୍ତ ଆରମ୍ଭ କରାଯାଇଛି । ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ପଚରାଉଚରା କରାଯିବ । ଅନ୍ୟପଟରେ ଏହି ମାମଲାରେ ଗିରଫ ହୋଇଥିବା ୬ ଅଭିଯୁକ୍ତ ଜାମିନ୍ରେ ଆସି ସେମାନେ ପୁଣି ଏହି ରାକେଟ୍ ଚଲାଉଥିବା ବିଶେଷ ସୁତ୍ରରୁ ଏସ୍ଟିଏଫ ସୂଚନା ମିଳିଛି । ତେଣୁ ସେମାନଙ୍କୁ ପୁଣି ଏସ୍ଟିଏଫ ଜେରା କରିବ ବୋଲି ଜଣାପଡ଼ିଛି । ସେମାନଙ୍କୁ ଏସ୍ଟିଏଫ ଅଫିସରେ ହାଜର ହେବାକୁ ନୋଟିସ୍ କରାଯିବ ବୋଲି ତଦନ୍ତ ଅଧିକାରୀ କହିଛନ୍ତି । ଯଦି ସେମାନେ ହାଜର ନହୁଅନ୍ତି, ସେମାନଙ୍କ ଜାମିନ୍କୁ ଖାରଜ କରିବା ପାଇଁ କୋର୍ଟରେ ଆବେଦନ କରାଯିବ ବୋଲି ସେ କହିଛନ୍ତି । ଅନ୍ୟପଟେ ସାପ ବିଷ ରାକେଟ୍ର ଚେର ବିଦେଶକୁ ଲମ୍ବିଛି । ବଲାଙ୍ଗିର ଅଭିଯୁକ୍ତ ବାପା,ପୁଅ ଓଡ଼ିଶାରେ ଏହି ରାକେଟ୍ ଚଳାଉଛନ୍ତି । ସେମାନେ ବିଭିନ୍ନ ଜିଲ୍ଲାରେ ଦଲାଲମାନଙ୍କୁ ରଖିଛନ୍ତି ।
ଏହି ଦଲାଲମାନେ ଏକାଧିକ ସାପୁଆ ଧରାଳିମାନଙ୍କୁ ଗ୍ୟାଙ୍ଗ୍ରେ ସାମିଲ୍ କରିଛନ୍ତି । ସେମାନେ ଓଡ଼ିଶାର ବିଭିନ୍ନ ଜଙ୍ଗଲରୁ ବିଶାକ୍ତ ସାପ ଧରି ସେମାନଙ୍କ ବିଷ କାଢୁଛନ୍ତି । ସୋସିଆଲ ମିଡ଼ିଆ ମାଧ୍ୟମରେ ଯୋଗାଯୋଗ କରି ଡିଲ କରୁଥିବା ଜଣାପଡିଛି । ଡିଲ ପରେ କୋରିଅର ଜରିଆରେ ସାପ ବିଷକୁ ପଠାଯାଉଥିବାରୁ ଅଭିଯୁକ୍ତ ଧରାପଡିବାର ସମ୍ଭାବନା ବହୁତ କମ ରହୁଛି । ସେହିପରି ସାପ ବିଷ ମାମଲାରେ ରାଜ୍ୟରେ ସଜାହାର ଶୂନ ପ୍ରତିଶତ ରହିିଛି । ଏହାର ମୁଖ୍ୟ କାରଣ ହେଲା ବନ ବିଭାଗ ହେଉ ଅବା ପୁଲିସ ସେମାନେ ଜବତ ବିଷକୁ ପରୀକ୍ଷା ପାଇଁ ରାଜ୍ୟ ବାହାକୁ ପଠାଇ ଥାନ୍ତି । ହେଲେ ସେଠାରୁ ରିପୋର୍ଟ ଆସିବାରେ ବିଳମ୍ବ ହୋଇଥାଏ । ଏଥିସହ ଜବତ ବିଷରେ କେତେ ପରିମାଣ ବିଭିନ୍ନ କେମିକାଲ ଅଛି, ତାହା ଦେଖାଇ ପାରୁନି ତଦନ୍ତ ଅଧିକାରୀ । ଯେଉଁଥି ପାଇଁ ଅଭିଯୁକ୍ତମାନେ ଜାମିନରେ ମୁକୁଳିଯିବା ସହ ପରବର୍ତ୍ତୀ ସମୟରେ ଅଭିଯୁକ୍ତ ନିର୍ଦ୍ଦେଶ ସାବ୍ୟସ୍ତ ହେଉଛନ୍ତି ।
ପ୍ରକାଶ ଥାଉକି ଗତ ବର୍ଷ ମାର୍ଚ୍ଚ ମାସରେ ଏୟାରପୋର୍ଟ ଛକରୁ ଧରାପଡ଼ିଥିବା ୧୦ କୋଟି ଟଙ୍କାର ସାପ ବିଷ ରାକେଟ୍ରେ ଗିରଫ ହୋଇଥିବା ୬ଜଣ ଅଭିଯୁକ୍ତ ସହଦେବ ଖୁଣ୍ଟାର ହୃଷିକେଶ ପଢୀୟାରୀ, ସୋହେଲାର ବିଶ୍ୱ ପ୍ରଧାନ, ବଲାଙ୍ଗୀର ଟାଉନ୍ର ସୁରଜ୍ କୁମାର ଦାଶ, ଜଳେଶ୍ୱରର ସଞ୍ଜୟ ମହାନ୍ତି,ଅନୁଗୁଳ ହୁଲୁରିସିଙ୍ଗାର ଶ୍ୟାମଳେନ୍ଦୁ ନାୟକ ଏବଂ ଜୟସ୍ମୀତା ନାୟକଙ୍କ ଜାମିନ୍ରେ ମୁକୁଳି ଯାଇଛନ୍ତି। କେବଳ ୬ଜଣ ନୁହେଁ ରାକେଟ୍ର ମାଷ୍ଟରମାଇଣ୍ଡ କୁହାଯାଉଥିବା ବଲାଙ୍ଗିର ଜଣେ ଅଭିଯୁକ୍ତ ଆଗୁଆ କୋର୍ଟରୁ ଜାମିନ୍ ଆଣିଥିଲେ । ଯାହାଫଳରେ ବନା ବିଭାଗ କିମ୍ବା ପୁଲିସ ତାକୁ ଗିରଫ କରିପାରିନଥିଲେ । ଯାହାଫଳରେ ବର୍ତ୍ତମାନ ପୁଅ ମିଶି ଏହି ସାପ ବିଷ ରାକେଟ୍ ଚଲାଉଛନ୍ତି । ତେବେ ଏସ୍ଟିଏଫର ଯାଞ୍ଚ ପରେ ସାପ ବିଷ କାରବାରରେ ସଂପୃକ୍ତ ମାଷ୍ଟରମାଇଣ୍ଡକୁ ପୁଲିସ ଗିରଫ କରିବା ସହ ବିଳୁପ୍ତପ୍ରାୟ ଜନ୍ତୁଙ୍କ ସୁରକ୍ଷା ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।