ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ୨୦୧୩ରୁ ପଡ଼ିରହିଥିବା ଏକ ପିଟିସନ୍ ଉପରେ ଶୁଣାଣି ବନ୍ଦ କରିବାକୁ ଆଜି ଆଦେଶ ଦେଇଛନ୍ତି । ଏହି ପିଟିସନ୍ ବିଦେଶରେ ରହୁଥିବା ଭାରତୀୟ (ଏନ୍ଆର୍ଆଇ)ଙ୍କ ପକ୍ଷରୁ ଦାୟର ହୋଇଥିଲା ଏବଂ ବିନା ଭୌତିକ ଉପସ୍ଥିତିରେ ଭୋଟ୍ଦାନ ଅଧିକାର ପ୍ରଦାନ ପାଇଁ ଏଥିରେ ଦାବି କରାଯାଇଥିଲା । କୋର୍ଟ କହିଛନ୍ତି, ପିଟିସନ୍ରେ କରାଯାଇଥିବା ଦାବିକୁ ନେଇ ସରକାର ଏବଂ ନିର୍ବାଚନ କମିଶନ ସହମତ ଥିବାବେଳେ ସଂସଦରେ ମଧ୍ୟ ଏହାର ଉପରେ ବିଲ୍ ଉପସ୍ଥାପନ କରାଯାଇଛି । ଏନ୍ଆର୍ଆଇ ଭୋଟିଂ ଆରମ୍ଭ ପର୍ଯନ୍ତ ଶୁଣାଣି ଜାରି ରଖିବା ପାଇଁ ଆମେ ଅପେକ୍ଷା କରିପାରିବୁ ନାହିଁ ବୋଲି କୋର୍ଟ କହିଛନ୍ତି ।
କୋର୍ଟ କହିଛନ୍ତି ମାମଲାର ଫଇସଲା ସମ୍ବନ୍ଧରେ ସମସ୍ତ ପ୍ରକାର ପଦକ୍ଷେପ ନିଅଯିବ ବୋଲି ଆଟର୍ଣ୍ଣି ଜେନେରାଲ୍ଙ୍କ ଦ୍ୱାରା ଆଶ୍ୱାସନା ଦିଆଯାଇଛି । ବିଦେଶରେ ରହିଥିବା ବ୍ୟକ୍ତି ଏବଂ ପ୍ରବାସୀ ନିର୍ବାଚନ ପ୍ରକ୍ରିୟାର ଅଂଶବିଶେଷ ହୋଇଥିବା ବେଳେ ପୂରା ନିର୍ବାଚନ ପ୍ରକ୍ରିୟାର ଅଖଣ୍ଡତା ଏବଂ ଗୋପନିୟତା ସୁନିଶ୍ଚିତ କରିବା ନିମନ୍ତେ ପଦକ୍ଷେପ ନିଆଯିବ । ସୁପ୍ରିମକୋର୍ଟ କହିଛନ୍ତି, ୨୦୧୩ରେ ଏପରି ସମୟରେ ପିଟିସନ୍ ଦାୟର କରାଯାଇଥିଲା, ଯେତେବେଳେ ଏହି ଲୋକମାନଙ୍କ ଭୋଟ୍ଦାନ ପାଇଁ କିଛି କରାଯାଉନଥିଲା । ଆଜି କେବଳ ସଚେତନତା ବଢ଼ିନାହିଁ, ବରଂ ସଂସଦର ଗୋଟିଏ ସଦନରେ ମଧ୍ୟ ଏହି ମାମଲା ପହଞ୍ଚିସାରିଛି । ଯେଉଁ ଉଦ୍ଦେଶ୍ୟରେ ରିଟ୍ ଦାୟର କରାଯାଇଥିଲା, ତାହା ପୂରା କରାଯାଇଛି ବୋଲି କୋର୍ଟ କହିଛନ୍ତି ।