କାଠମାଣ୍ଡୁ : ଚଳିତମାସ ୨୦ରେ ନେପାଳରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ନେପାଳ ସରକାରଙ୍କ ଅନୁରୋଧ ରକ୍ଷାକରି ଭାରତ ପକ୍ଷରୁ ୨୦୦ ଯାନ ଉପହାର ସ୍ୱରୂପ ସେଠାକୁ ପଠାଯାଇଛି । ନେପାଳ ଅର୍ଥ ମନ୍ତ୍ରଣାଳୟ ପରିସରରେ ମଙ୍ଗଳବାର ଆୟୋଜିତ ଉତ୍ସବରେ କାଠମାଣ୍ଡୁରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବ ୨୦୦ ଯାନର ଚାବି ନେପାଳ ଅର୍ଥମନ୍ତ୍ରୀ ଜନାର୍ଦ୍ଦନ ଶର୍ମାଙ୍କୁ ହସ୍ତାନ୍ତର କରିଛନ୍ତି ।
୨୦୦ ମଧ୍ୟରୁ ୧୨୦ଟି ଯାନ ସୁରକ୍ଷାକର୍ମୀଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ଅବଶିଷ୍ଟ ୮୦ଟି ଯାନ ନିର୍ବାଚନ କମିଶନ ବ୍ୟବହାର କରିବେ ବୋଲି ଜଣାପଡିଛି । ସଫଳ ନିର୍ବାଚନ ପାଇଁ ଭାରତ ପକ୍ଷରୁ ନେପାଳକୁ ଶୁଭକାମନା କରାଯାଇଛି । ସୂଚନାଯୋଗ୍ୟ ନେପାଳରେ ଅନୁଷ୍ଠିତ ପୂର୍ବ ନିର୍ବାଚନଗୁଡିକରେ ମଧ୍ୟ ଭାରତ ପକ୍ଷରୁ ସହସ୍ରାଧିକ ଯାନ ପ୍ରଦାନ କରାଯାଇସାରିଛି ।