18.1 C
Bhubaneswar
Monday, November 25, 2024
Homeଦେଶ ବିଦେଶକୁଖ୍ୟାତ ଠକ ସୁକେଶ ଚନ୍ଦ୍ରଶେଖରର ଚାଞ୍ଚଲ୍ୟକର ବୟାନ: ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ଦେଇଛି ୧୦ କୋଟି ପ୍ରୋଟେକ୍ସନ୍...

କୁଖ୍ୟାତ ଠକ ସୁକେଶ ଚନ୍ଦ୍ରଶେଖରର ଚାଞ୍ଚଲ୍ୟକର ବୟାନ: ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ଦେଇଛି ୧୦ କୋଟି ପ୍ରୋଟେକ୍ସନ୍ ମନି

ଆପ୍‌କୁ ୫୦ କୋଟିରୁ ଊର୍ଦ୍ଧ୍ୱ ଚାନ୍ଦା
ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଜେଲ୍‌ରେ ବନ୍ଦ ଥିବା କୁଖ୍ୟାତ ଠକ ସୁକେଶ ଚନ୍ଦ୍ରଶେଖର ପ୍ରୋଟେକ୍ସନ୍ ମନି ବାବଦରେ ଜେଲ୍‌ରେ ଥିବା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ଜେଲ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ୧୦ କୋଟି ଟଙ୍କା ଦେଇଥିବା ଦାବି କରିଛି । ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କୁ ଏକ ପତ୍ର ଲେଖି ଜୈନ୍‌ଙ୍କ ବିରୋଧରେ ସେ ଗୁରୁତର ଅଭିଯୋଗ କରିବା ସହ ମାମଲାର ତଦନ୍ତ କରାଇବା ପାଇଁ ଦାବି କରିଛି । ସୁକେଶ ପତ୍ରରେ ଲେଖିଛି, ସତ୍ୟେନ୍ଦ୍ର ଜୈନ ଅର୍ଥ ପ୍ରଦାନ ପାଇଁ ଲଗାତାର ମୋତେ ବାଧ୍ୟ କରିଆସୁଥିଲେ । ଚାପ ସୃଷ୍ଟିକରି ଦୁଇ-ତିନି ମାସ ଅନ୍ତରାଳରେ ମୋ’ ଠାରୁ ୧୦ କୋଟି ଟଙ୍କା ଅସୁଲ କରିନେଇଛନ୍ତି । ସୁକେଶ ଦାବି କରିଛି, ଏହି ୧୦ କୋଟି ଟଙ୍କା ସତ୍ୟେନ୍ଦ୍ର ଜୈନ୍‌ଙ୍କ ନିକଟତମ ସହଯୋଗୀ ଚତୁର୍ବେଦୀ କୋଲ୍‌କାତାରେ ନେଇଛନ୍ତି ।

ଗତ କିଛିମାସ ଧରି ତିହାର ଜେଲ୍‌ରେ ବନ୍ଦ ଥିବା ଜୈନ୍ ଜେଲ୍ ଡିଜି ସନ୍ଦୀପ ଗୋୟଲ୍ ଏବଂ ଜେଲ୍ ପ୍ରଶାସନ ଦ୍ୱାରା ତାକୁ ଧମକ ଦେଉଥିବା ମଧ୍ୟ ସୁକେଶ ଅଭିଯୋଗ କରିଛି । ହାଇକୋର୍ଟରେ ଦାୟର ଅଭିଯୋଗ ପ୍ରତ୍ୟାହାର କରିନେବା ପାଇଁ ମୋ ଉପରେ ଚାପ ପକାଯାଉଥିବା ବେଳେ ଜେଲ୍‌ରେ ମୋତେ ହଇରାଣ କରାଯିବା ସହ ଧମକ ଦିଆଯାଉଛି ବୋଲି ସୁକେଶ କହିଛି । ସୁକେଶ କହିଛି, ୨୦୧୭ରେ ଗିରଫ ହେବା ପରେ ତିହାର ଜେଲ୍‌ରେ ଥିଲି । ସେତେବେଳେ ଜେଲ୍ ମନ୍ତ୍ରୀ ଥିବା ସତ୍ୟେନ୍ଦ ଜୈନ୍ ବହୁବାର ତିହାର ଆସିବା ସହ ତଦନ୍ତକାରୀ ଏଜେନ୍ସି ନିକଟରେ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌)କୁ ଦେଇଥିବା ଚାନ୍ଦା ସମ୍ପର୍କରେ ମୁହଁ ନଖୋଲିବାକୁ କହିଥିଲେ । ଉପରାଜ୍ୟପାଳଙ୍କୁ ଲେଖିଥିବା ପତ୍ରରେ ସୁକେଶ କହିଛି, ୨୦୧୯ରେ ଜୈନ୍ ନିଜ ସଚିବ ଏବଂ ବନ୍ଧୁ ସୁଶୀଲଙ୍କ ସହିତ ପୁଣିଥରେ ଜେଲ୍‌କୁ ଆସି ପ୍ରୋଟେକ୍ସନ୍ ମନି ବାବଦରେ ପ୍ରତି ମାସରେ ୨ କୋଟି ଟଙ୍କା ଚାନ୍ଦା ମାଗିଥିଲେ ।

ଏହାର ପ୍ରତିଦାନରେ ମୋତେ ଜେଲ୍‌ରେ ସୁରକ୍ଷା ସହିତ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି କହିଥିଲେ । ସୁକେଶ ୨୦୧୫ରୁ ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ଜାଣିଥିବା ଦାବି କରିଛି । ତାକୁ ଦକ୍ଷିଣ ଭାରତରେ ପାର୍ଟିର ଗୁରୁତ୍ୱପୂର୍ଣ୍ଣ ପଦ ଦିଆଯିବ ବୋଲି ଆପ୍ କହିଥିଲା ଏବଂ ଏ ବାବଦରେ ସେ ପାର୍ଟିକୁ ୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମଧ୍ୟ ଚାନ୍ଦା ଦେଇଥିଲା । ତେବଳ ଏତିକି ନୁହେଁ ପାର୍ଟି ତାକୁ ରାଜ୍ୟସଭା ପଠାଇବାକୁ ସହାୟତା କରିବ ବୋଲି ଭରସା ମଧ୍ୟ ଦେଇଥିଲା ବୋଲି ସେ ଦାବି କରିଛି । ଏହି ମାମଲାରେ ବିଜେପି ମୁଖପାତ୍ର ସନ୍ଦୀପ ପାତ୍ର ଆମ୍ ଆଦ୍‌ମୀ ପାର୍ଟିକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଠକ ଘରେ ଠକେଇ ହୋଇଛି । ଠକ ଏବଂ ଠକ ଘରେ ଠକେଇ କରିଥିବା ନାମ ହେଲା ସୁକେଶ ଚନ୍ଦ୍ରଶେଖର ଏବଂ ଆମ୍ ଆଦ୍‌ମୀ ପାର୍ଟି ।

ଅନ୍ୟପକ୍ଷରେ ଆପ୍ ନେତା ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ୧୦ କୋଟି ଟଙ୍କା ଚାନ୍ଦା ଦେଇଥିବା ସୁକେଶ ଚନ୍ଦ୍ରଶେଖରର ଦାବିକୁ ଆପ୍ ସଂଯୋଜକ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ମିଥ୍ୟା ବୋଲି କହିଛନ୍ତି । କେଜରୀୱାଲ୍ କହିଛନ୍ତି, ବିଜେପି ମୋର୍ବି ଦୁର୍ଘଟଣାରୁ ଧ୍ୟାନ ହଟାଇବା ପାଇଁ ସୁକେଶ ଚନ୍ଦ୍ରଶେଖର କାହାଣୀ ସୃଷ୍ଟି କରିଛି । ବିଜେପି ସୁକେଶ କାନ୍ଧରେ ବନ୍ଧୁକ ରଖି ଚଳାଇବାକୁ ଉଦ୍ୟମ କରୁଛି । ପଞ୍ଜାବ ନିର୍ବାଚନ ପୂର୍ବରୁ ଏମାନେ କୁମାର ବିଶ୍ୱାସଙ୍କୁ ନେଇ ଆସିଥିଲେ ବୋଲି କେଜରିୱାଲ୍ କହିଛନ୍ତି । ସୂଚନାଯୋଗ୍ୟ ମହାଠକ ସୁକେଶ ଚନ୍ଦ୍ରଶେଖରଠାରୁ ଉପହାର ଗ୍ରହଣ କରି ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍ ଏବଂ ନୋରା ଫତେହି ମଧ୍ୟ ଇଡି ଜାଲରେ ଫସିଛନ୍ତି। ସେମାନଙ୍କ ବିଦେଶ ଯାତ୍ରା ଉପରେ କଟକଣା ଲାଗିଥିବା ବେଳେ ଏବେ ସେମାନେ କୋର୍ଟର ଚକ୍କର କାଟୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking