ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ରାଜଧାନୀ ସିଓଲର ଇଟାୱନରେ ଶନିବାର ହାଲୋୱିନ ସମୟରେ ବଡ଼ ଅଘଟଣ ଘଟିଥିଲା । ଦଳାଚକଟାରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟପଟେ ଏବେ ସାଉଦିରୁ କିଛି ଫଟୋ ସାମନାକୁ ଆସିଛି, ଯେଉଁଥିରେ ସାଉଦିର ଲୋକମାନେ ହାଲୋୱିନ ପାଳନ କରୁଥିବା ଦେଖିବାକୁ ମିଳୁଛି । ଉଲ୍ଲେଖଯୋଗ୍ୟ ଯେ, ସାଉଦି ଆରବକୁ ଦୁନିଆର ସେଣ୍ଟର ଅଫ୍ ଇସଲାମ କୁହାଯାଏ । ଏପରିସ୍ଥିତିରେ ସେଠାରେ ହାଲୋୱିନ ରଙ୍ଗରେ ଲୋକେ ରଙ୍ଗୀନ ହେବା ଏକ ନୂଆ ବିବାଦକୁ ଜନ୍ମ ଦେଇଛି । ଉଲ୍ଲେଖଯୋଗ୍ୟ, ଇସଲାମରେ ଏହିପରି ଯେକୌଣସି ଆୟୋଜନକୁ ଅପରାଧ ବୋଲି ଧରାଯାଏ । ଇସଲାମ ସହ ଜଡିତ ବ୍ୟକ୍ତିବିଶେଷ ଏହା ଉପରେ ଅନେକ ପ୍ରତିକ୍ରିୟା ଦେବା ଆରମ୍ଭ କରିଛନ୍ତି ।
ହାଲୋୱିନ ପ୍ରତିବର୍ଷ ଅକ୍ଟୋବର ୩୧ରେ ଆୟୋଜନ କରାଯାଏ, ଏହା ନଭେମ୍ୱର ୧ରେ ପାଶ୍ଚାତ୍ୟ ଖ୍ରୀଷ୍ଟଆନ ପର୍ବ ଅଲ ହେଲୋଜ ଡେର ପୂର୍ବ ସଂଧ୍ୟାକୁ ଚିହ୍ନିତ କରିଥାଏ । ଏହା ଖ୍ରୀଷ୍ଟ ଧର୍ମାବଲମ୍ୱୀଙ୍କ ଏକ ପର୍ବ । ଖ୍ରୀଷ୍ଟ ଧର୍ମରେ ଅନେକ ପ୍ରକାର ପର୍ବ ପାଳନ କରାଯାଏ । ଏଥିରେ କ୍ରିସମସ, ଗୁଡ ପ୍ରାଇଡେ, ଇଷ୍ଟର ଏବଂ ହାଲୋୱିନ ରହିଛି ।
ଉଲ୍ଲେଖଯୋଗ୍ୟ ଯେ, ସାଉଦି ଆବରକୁ ସାରା ଦୁନିଆରେ ଇସଲାମ ଜଗତର କେନ୍ଦ୍ର ଧରାଯାଏ । ଏଠାରେ ମୁସଲିମ ଲୋକଙ୍କ ସବୁଠୁ ପବିତ୍ର ସ୍ଥାନ ମକ୍କା ରହିଛି । କିଛି ବର୍ଷ ପୂର୍ବେ ସାଉଦି ଆବରରେ ଏହିପରି ଉତ୍ସବ ପାଳନକୁ ଅପରାଧ ଧରାଯାଉଥିଲା, କିନ୍ତୁ ମହମ୍ମଦ ବିନ ସଲମାନ କ୍ରାଉନ ପ୍ରିନ୍ସ ହେବା ପରେ ସାଉଦିରେ ଇସଲାମ ପରମ୍ପରାରେ ଆଧୁନିକ ପରିବର୍ତ୍ତନର ଚର୍ଚ୍ଚା ଆରମ୍ଭ ହୋଇଛି । ଚଳିତ ବର୍ଷର ହାଲୋୱିନ ତାଙ୍କର ଏହି ଆଧୁନିକ ଇସଲାମ ବିଚାରଧାର ପରିଣାମ ବୋଲି କୁହାଯାଉଛି ।