ନୂଆଦିଲ୍ଲୀ: ଦୀପାବଳି ପରେ ଦିଲ୍ଲୀ-ଏନ୍ସିଆର୍ରେ ପୁଣିଥରେ ପ୍ରଦୂଷଣ ବିପଜ୍ଜନକ ସ୍ତରରେ ପହଞ୍ଚିଛି । ଏଆଇକ୍ୟୁ ‘ଗମ୍ଭୀର’ ଶ୍ରେଣୀ ଛୁଇଁବା ପରେ ଦିଲ୍ଲୀରେ ଆହୁରି ପ୍ରତିବନ୍ଧକ ଲାଗୁ କରାଯାଇଛି । ସେହିପରି ଗ୍ରେଡେଡ୍ ରେସ୍ପନ୍ସ ଆକ୍ସନ୍ ପ୍ଲାନ୍ (ଜିଆର୍ଏପି)ର ତୃତୀୟ ଚରଣ ଲାଗୁ ହୋଇଛି । ଫଳରେ ଆବଶ୍ୟକ ପରିଯୋଜନାକୁ ଛାଡ଼ି ସବୁ ପ୍ରକାର ନିର୍ମାଣ ଏବଂ ବିଧ୍ୱଂସ ଗତିବିଧି ଉପରେ ସମ୍ପୂର୍ଣ୍ଣ ଭାବେ ରୋକ୍ ଲଗାଯାଇଛି । ଏହା ବ୍ୟତୀତ ଇଟାଭାଟି, ମାଇନିଂ ଏବଂ ଏଥି ସହିତ ସମ୍ବନ୍ଧିତ ସମସ୍ତ ଗତିବିଧି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ଜାତୀୟ ରାଜଧାନୀ କ୍ଷେତ୍ରରେ ବିଗିଡୁଥିବା ବାୟୁ ଗୁଣବତ୍ତାକୁ ଦୃଷ୍ଟିରେ ରଖି ବାୟୁ ଗୁଣବତ୍ତା ପ୍ରବନ୍ଧନ କମିଶନ୍ଙ୍କ ଗ୍ରେଡେଡ୍ ଆକ୍ସନ୍ ପ୍ଲାନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ଉପ-ସମିତିର ଆଜି ଏକ ଜରୁରୀକାଳୀଣ ବୈଠକ ହୋଇଥିଲା ।
ବୈଠକ ଅବସରରେ କମିଶନ ସମଗ୍ର ବାୟୁ ଗୁଣବତ୍ତା ମାନକର ସମୀକ୍ଷା କରି କହିଛନ୍ତି, ପବନର ମନ୍ଥର ଗତି ସହିତ ପ୍ରତିକୂଳ ପାଣିପାଗ ସମ୍ବନ୍ଧିତ ପରିସ୍ଥିତି ଏବଂ ବିଲରେ ପରାଳି ଜଳାଇବା ଘଟଣା ଅନାଚକ ବୃଦ୍ଧି ପାଇବା କାରଣରୁ ଜିଆର୍ଏପିର ଚରଣ ୩ ସାରା ଏନ୍ସିଆର୍ରେ ତତ୍କାଳ ଲାଗୁ କରିବା ଆବଶ୍ୟକ ହୋଇପଡ଼ିଛି । ଅନ୍ୟପକ୍ଷରେ ଦିଲ୍ଲୀରେ ଜିଆର୍ଏପି ଲାଗୁ ସମ୍ପର୍କିତ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଆସନ୍ତାକାଲି ଅପରାହ୍ଣ ୧୨ଟା ବେଳେ ତାଙ୍କ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ମିଟିଂ ଡକାଇଛନ୍ତି । ଏହି ମିଟିଂରେ ପରିବେଶ ବିଭାଗ ଏବଂ ଅନ୍ୟ ସମ୍ବନ୍ଧିତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିବେ ।