ନୂଆଦିଲ୍ଲୀ: ନିଜ ଲୋକଙ୍କ ଉପରେ ମିଆଁମାର ସେନାର ଏୟାର ଷ୍ଟ୍ରାଇକ୍ । ଆକ୍ରମଣରେ ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି । କାଚିନ ଜାତୀୟ ସଂଖ୍ୟାଲଘୁ ସମୁଦାୟର ବର୍ଷପୂର୍ତ୍ତି ସମାରୋହରେ ସମସ୍ତେ ସାମିଲ୍ ହୋଇଥିଲେ । ସମାରୋହ ସ୍ଥଳରେ ସେନାର ଏୟାରଷ୍ଟ୍ରାଇକରେ ୪ ବୋମା ନିକ୍ଷେପ କରାଯାଇଥିଲା । ଏହି ଆକ୍ରମଣ ସେହି ସମୟରେ ହୋଇଛି ଯେବେ ତିନି ଦିନ ପରେ ଦକ୍ଷିଣ ପୂର୍ବ ଏସିଆ ଦେଶମାନଙ୍କ ବୈଦେଶିକ ମନ୍ତ୍ରୀଙ୍କ ବୈଠକ ଇଣ୍ଡୋନେସିଆରେ ହେବାକୁ ଯାଉଛି । ଆଉ ଏହି ବୈଠକ ମିଆଁମାରରେ ବ୍ୟାପକ ହିଂସା ଉପରେ ଆଲୋଚନା ପାଇଁ ଡକାଯାଇଛି । ଗତ ବର୍ଷ ଫେବୃଆରୀରେ ସରକାରଙ୍କ ପତନ ପରେ ରବିବାର ସବୁଠୁ ବଡ ଆକ୍ରମଣରେ ଅଧିକ ସଂଖ୍ୟକ ଲୋକଙ୍କ ପ୍ରାଣହାନୀ ଘଟିଛି । ଘଟଣାରେ କାଚିନ ପ୍ରତି ସହାନୁଭୂତି ରଖୁଥିବା ଗଣମାଧ୍ୟମ ପକ୍ଷରୁ ଭୟାନକ ଦୃଶ୍ୟର ଭିଡିଓ ପ୍ରସାରଣ କରାଯାଇଛି ।
କିନ୍ତୁ ସୈନ୍ୟ ସରକାରଙ୍କ ସୂଚନା କାର୍ଯ୍ୟାଳୟ ଅନୁଯାୟୀ, କାଚିନ ଇଣ୍ଡିପେଣ୍ଡେନ୍ସ ଆର୍ମିର ୯ମ ବ୍ରିଗେଡର ମୁଖ୍ୟାଳୟ ଉପରେ ହୋଇଥିବା ଆକ୍ରମଣର ପ୍ରତିଜବାବରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେନା ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଖବରକୁ ଗୁଜବ ବୋଲି କହିଛି । ସଙ୍ଗୀତ କାର୍ଯ୍ୟକ୍ରମ ଉପରେ ବୋମାମାଡ ଏବଂ ପ୍ରାଣ ହରାଇଥିବା ଶ୍ରୋତାଙ୍କ ଖବରକୁ ସେନା କାର୍ଯ୍ୟାଳୟ ଅସ୍ୱୀକାର କରିଛି । ମିଆଁମାରରେ ମିଳିତ ଜାତିସଂଘ କାର୍ଯ୍ୟାଳୟ ସେନାର ଏୟାରଷ୍ଟ୍ରାଇକକୁ ଘୋର ନିନ୍ଦା କରିବା ସହ ଦୁଃଖ ପ୍ରକାଶ କରିଛି । ୟୁଏନ କହିଛି ଯେ, ସୁରକ୍ଷା ବଳ ପକ୍ଷରୁ ନାଗରିକଙ୍କ ବିରୋଧରେ ବଳ ପ୍ରୟୋଗ କରାଯିବାକୁ କଦାପି ସ୍ୱୀକାର କରାଯାଇ ପାରିବ ନାହିଁ । ଘଟଣାରେ ସାମିଲ ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ । କାଚିନ ସ୍ୱାଧୀନତା ସଂଗଠନର ପ୍ରତିଷ୍ଠାର ୬୨ତମ ବର୍ଷପୂର୍ତ୍ତି ଉତ୍ସବ ରବିବାର ବେଶ ଜାକଜମକର ସହ ଆୟୋଜନ କରାଯାଉଥିଲା । ଏହି ସମୟରେ ହିଁ ମିଆଁମାର ସେନାଙ୍କ ଦ୍ୱାରା ଏୟାରଷ୍ଟ୍ରାଇକ୍ କରାଯାଇଛି । କାଚିନ ମିଆଁମାରର ସବୁଠୁ ବଡ ସହର ୟାଙ୍ଗୁନଠୁ ପ୍ରାୟ ୯୫୦ କିମି ଦୂରରେ ଅବସ୍ଥିତ ।