ମୟୂରଭଞ୍ଜ : ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ଵତନ୍ତ୍ର କୋର୍ଟରେ ବୁଧବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ଚୌଧୁରୀ ପ୍ରବୀର କୁମାର ଏହାର ବିଚାର କରି ଅଭିଯୁକ୍ତକୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୮ହଜାର ଟଙ୍କା ଜୋରିମାନା ଦେବାକୁ ରାୟ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୬ମାସର କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତ ଜଣକ ହେଲେ କପ୍ତିପଦା ଥାନା ଅନ୍ତର୍ଗତ ତଳପୋଖରୀଆ ଗ୍ରାମର ସୁଖବିନ୍ଦର୍ ସିଂ (୫୫)।
ସୁଖବିନ୍ଦର୍ ନିଜ ଘରେ ବେଆଇନ ଭାବେ ମଦ ପ୍ରସ୍ତୁତ କରୁଥିବା ନେଇ ପରିବାର ଲୋକେ ବିରୋଧ କରୁଥିଲେ। ଏହାକୁ ନେଇ ବାପା ରେଙ୍ଗା ସିଂ ଓ ଭାଇ ବାବୁ ସିଂଙ୍କ ସହିତ ପୂର୍ବରୁ ପାଟିତୁଣ୍ଡ ଲାଗି ରହିଥିଲା। ତେବେ ଗତ ୨୦୧୪ ଅକ୍ଟୋବର ୧୮ ତାରିଖ ସକାଳେ ବାପା ଓ ପୁଅ ମଧ୍ୟରେ ପାଟିତୁଣ୍ଡ ଉଗ୍ର ରୂପ ନେଇଥିଲା। ଯେଉଁଥିରେ ଉତ୍ତକ୍ଷିପ୍ତ ହୋଇ ପୁଅ ସୁଖବିନ୍ଦର୍ ସିଂ ଏକ ଟାଙ୍ଗିଆ ସାହାଯ୍ୟରେ ବାପା ରେଙ୍ଗା ସିଂ ଓ ଭାଇ ବାବୁ ସିଂକୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟ ଘଟିଥିଲା। ଏହାକୁ ନେଇ ବାବୁ ସିଂଙ୍କ ସ୍ତ୍ରୀ ଗାମା ସିଂ ସ୍ଥାନୀୟ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି କପ୍ତିପଦା ଥାନାରେ ମାମଲା ରୁଜୁ ହେବା ସହ ଅଭିଯୁକ୍ତ ସୁଖ ବିନ୍ଦର ସିଂକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ୧୪ଜଣଙ୍କ ସାକ୍ଷ୍ୟ ପ୍ରମାଣ, ମେଡ଼ିକାଲ ରିପୋର୍ଟ ଓ ବିଭିନ୍ନ ନଥି ପତ୍ରକୁ ଭିତ୍ତି କରି ବିଚାରପତି ଉପରୋକ୍ତ ରାୟ ଦେଇଛନ୍ତି। ମାମଲାକୁ ସରକାରୀ ଆଇନଜୀବୀ କୃଷ୍ଣଚନ୍ଦ୍ର ଦାସ ପରିଚାଳନା କରିଥିଲେ।