ଜୋହର୍: ଆଜିଠାରୁ ସୁଲତାନ ଅଫ୍ ଜୋହର୍ କପ୍ ହକି ଟୁର୍ଣ୍ଣାମେଣ୍ଟ୍ ଆରମ୍ଭ ହେଉଛି । ଏହି ଟୁର୍ଣ୍ଣାମେଣ୍ଟ୍ରେ ଭାରତ ରବିବାର ମାଲେସିଆ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ । ଦୁଇ ଥରର ଚାମ୍ପିଅନ୍ ଟିମ୍ ବିପକ୍ଷରେ ଲଢ଼େଇ ବେଳେ ମାଲେସିଆକୁ ସ୍ଥାନୀୟ ଦର୍ଶକଙ୍କ ସମର୍ଥନ ମିଳିବ । ଏହି ଟୁର୍ଣ୍ଣାମେଣ୍ଟ୍ରେ ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି ଉତ୍ତମ ସିଂହ ।
ଏହି ଦଳରେ ଗତବର୍ଷ ଖେଳାଯାଇଥିବା ଏଫ୍ଆଇଏଚ୍ ହକି ଜୁନିୟର୍ ବିଶ୍ୱକପ୍ର ଅଧିକାଂଶ ଖେଳାଳି ରହିଛନ୍ତି । ଟୁର୍ଣ୍ଣାମେଣ୍ଟ୍ ସମ୍ପର୍କରେ ଉତ୍ତମ କହିଛନ୍ତି ଯେ ସୁଲତାନ ଅଫ୍ ଜୋହର୍ କପ୍ ହକି କ୍ୟାଲେଣ୍ଡର୍ରେ ଏକ ମର୍ଯ୍ୟାଦାଜନକ ଟୁର୍ଣ୍ଣାମେଣ୍ଟ୍ ଓ ଏଥିସକାଶେ ଆମର ପ୍ରସ୍ତୁତି ବେଶ୍ ଜୋର୍ଦାର ରହିଛି ।ୂ ଏହି ଟୁର୍ଣ୍ଣାମେଣ୍ଟ୍ ମାଧ୍ୟମରେ ଆମେ ଆଗାମୀ ଏଫ୍ଆଇଏଚ୍ ହକି ଜୁନିୟର୍ ବିଶ୍ୱକପ୍ ସକାଶେ ପ୍ରସ୍ତୁତି ଲକ୍ଷ୍ୟ ରଖିଥିବାରୁ ଏଥିରେ ଆସିବାକୁ ଥିବା ସମସ୍ତ ଆହ୍ୱାନକୁ ଦୃଢ଼ ମନୋବଳ ସହ ମୁକାବିଲା କରିବୁ ବୋଲି ଉତ୍ତମ ମତ ଦେଇଛନ୍ତି । ଭାରତ ମାଲେସିଆ ବିପକ୍ଷରେ ତା’ର ପ୍ରଥମ ମ୍ୟାଚ୍ ଖେଳିବା ପରେ ୨୩ ତାରିଖରେ ସାଉଥ୍ ଆଫ୍ରିକାକୁ ଭେଟିବ । ପରେ ଦଳ ଆସନ୍ତା ୨୫ ତାରିଖରେ ଜାପାନ ବିପକ୍ଷରେ ମଇଦାନକୁ ଓହ୍ଲାଇବ । ସେହିପରି ଦଳ ୨୭ ତାରିଖରେ ଅଷ୍ଟ୍ରେଲିଆକୁ ଭେଟିବା ପରେ ୨୮ ତାରିଖରେ ଗ୍ରେଟ୍ ବ୍ରିଟେନ୍କୁ ଭେଟିବ ।
ସେହିପରି ଟୁର୍ଣ୍ଣାମେଣ୍ଟ୍ର ଫାଇନାଲ୍ ଆସନ୍ତା ୨୯ ତାରିଖରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟ୍ରେ ଦଳ ଭେଟିବାକୁ ଥିବା ପ୍ରତିପକ୍ଷଗୁଡ଼ିକ ସମ୍ପର୍କରେ ଉତ୍ତମ କହିଛନ୍ତି ଯେ ସମଗ୍ର ଟୁର୍ଣ୍ଣାମେଣ୍ଟ୍ର ଆମର ମୁକାବିଲା ପ୍ରତିଭାଶାଳୀ ଖେଳାଳି ଓ କଡ଼ା ଚାଲେଞ୍ଜ୍ ଦେବା ଭଳି ଟିମ୍ ସହ ହେବ । ତେଣୁ ପଡ଼ିଆରେ ସମସ୍ତ ରଣକୌଶଳକୁ ସଠିକ୍ ଭାବେ ଉପଯୋଗ କରାଯିବାର ଆବଶ୍ୟକତା ରହିଛି । ନଚେତ୍ ପ୍ରତିପକ୍ଷ ଟିମ୍ ପରିସ୍ଥିତିର ଫାଇଦା ନେବ । ତେବେ ଯେଉଁ ଦଳ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବୁ, ଉକ୍ତ ଦଳକୁ କିପରି ମାତ୍ ଦେଇପାରିବୁ ଏହା ଆମର ପ୍ରମୁଖ ଲକ୍ଷ୍ୟ ରହିବ ବୋଲି ଅଧିନାୟକ କହିଛନ୍ତି । ପ୍ରତିଯୋଗିତାର ୨୦୧୧ ଓ ୨୦୧୬ ସଂସ୍କରଣକୁ ବାଦ୍ ଦେଲେ ଭାରତର ପ୍ରଦର୍ଶନ ଅନ୍ୟାନ୍ୟ ସଂସ୍କରଣଗୁଡ଼ିକରେ ବେଶ୍ ଚିତ୍ତାକର୍ଷକ ରହିଛି । ଅନ୍ୟାନ୍ୟ ସମସ୍ତ ସଂସ୍କରଣରେ ଦଳ ପଦକ ଜିତିବାରେ ସକ୍ଷମ ହୋଇଛି । ୨୦୧୯ରେ ପ୍ରତିଯୋଗିତାର ଅନ୍ତିମ ସଂସ୍କରଣ ଅନୁଷ୍ଠିତ ହୋଇଥିବା ବେେଳେ ଏଥିରେ ଭାରତ ରୌପ୍ୟ ପଦକ ହାସଲ କରିଥିଲା । ଟୁର୍ଣ୍ଣାମେଣ୍ଟ୍ ସମ୍ପର୍କରେ ଭାରତୀୟ ଦଳର ମୁଖ୍ୟ କୋଚ୍ ସିଆର୍ କୁମାର କହିଛନ୍ତି ଯେ ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ଭାରତୀୟ ଟିମ୍ରେ ଉତ୍ତମ ସମନ୍ୱୟ ଘଟିଛି ଓ ଖେଳାଳିମାନେ ତାଙ୍କୁ ଆଦୌ ନିରାଶ କରିବେ ନାହିଁ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ରହିଛି । ଟୁର୍ଣ୍ଣାମେଣ୍ଟ୍ରେ ଦଳ ଗୋଟିଏ ମାତ୍ର ଆଶା ନେଇ ପଡ଼ିଆକୁ ଓହ୍ଲାଇବ ଓ ତାହା ବିଜୟ ବୋଲି ମୁଖ୍ୟ କୋଚ୍ କହିଛନ୍ତି । ସେହିପରି ଦଳରେ ୭ ଜଣ ଏପରି ଖେଳାଳି ଅଛନ୍ତି ଯେଉଁମାନଙ୍କ ପାଖରେ ଗତ ବର୍ଷର ଜୁନିୟର୍ ବିଶ୍ୱକପ୍ ଖେଳିବା ସହ ସିନିୟର୍ ଟିମ୍ ସହ ଖେଳିବାର ଅଭିଜ୍ଞତା ମଧ୍ୟ ରହିଛି ଓ ସେମାନେ ନିଶ୍ଚିତ ଭାବେ ଏଠାରେ ତା’ର ପୂର୍ଣ୍ଣ ଫାଇଦା ଉଠାଇପାରିବେ ବୋଲି କୁମାର ଆଶା ପ୍ରକାଶ କରିଛନ୍ତି ।