18.1 C
Bhubaneswar
Tuesday, November 26, 2024
Homeଓଡିଶାଆସୁଛି ବାତ୍ୟା: ଆଜି ଲଘୁଚାପରେ ପରିଣତ, ୭ଜିଲ୍ଲାପାଳଙ୍କୁ ସଜାଗ ଲାଗି ନିର୍ଦ୍ଦେଶ

ଆସୁଛି ବାତ୍ୟା: ଆଜି ଲଘୁଚାପରେ ପରିଣତ, ୭ଜିଲ୍ଲାପାଳଙ୍କୁ ସଜାଗ ଲାଗି ନିର୍ଦ୍ଦେଶ

ଭୁବନେଶ୍ୱର: ଆଜି ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ । ଉତ୍ତର ଆଣ୍ଡାମାନ ସାଗର ଏବଂ ତତ୍‌ସଂଲଗ୍ନ ଅଞ୍ଚଳ ଉପରେ ମଙ୍ଗଳବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବୁଧବାର ସକାଳ ୮ଟା ୩୦ ମଧ୍ୟରେ ଉତ୍ତର ଆଣ୍ଡାମାନ ସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ବାୟୁମଣ୍ଡଳର ମଧ୍ୟଭାଗ ଯାଏ ବ୍ୟାପିଥିଲା । ତେବେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଧୀରେଧୀରେ ଘନିଭୂତ ହେବାରେ ଲାଗିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଦକ୍ଷିଣ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବ । ଏହା କ୍ରମଶଃ ପଶ୍ଚିମ ଉତ୍ତର-ପଶ୍ଚିମ ଆଡ଼କୁ ଗତିକରି ଅକ୍ଟୋବର ୨୨ତାରିଖ ସକାଳ ସୁଦ୍ଧା ଅବପାତରେ ପରିଣତ ହେବ । ଏହାର ୪୮ଘଣ୍ଟା ପରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ବାତ୍ୟା ରୂପ ନେବ ।

ତେବେ ଆସନ୍ତା ୨୪ତାରିଖ ସକାଳୁ ବାତ୍ୟା ‘ସିତ୍ରାଙ୍ଗ’ର ପ୍ରଭାବ ଦେଖିବାକୁ ମିଳିବ ବୋଲି ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ସୂଚନାରେ କୁହାଯାଇଛି । ତେବେ ୨୩ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ପାଣିପାଗରେ କୌଣସି ବଡ଼ ଧରଣରର ପରିବର୍ତ୍ତନ ବା ବଡ଼ ବର୍ଷାର ସମ୍ଭାବନା ନାହିଁ । କିନ୍ତୁ ଏହାର ପ୍ରଭାବରେ ୨୨ ଅକ୍ଟୋବରରୁ ଉତ୍ତର ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଗଭୀର ସମୁଦ୍ର ଅଞ୍ଚଳରେ ଘଣ୍ଟାପ୍ରତି ୪୫ ରୁ ୫୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ଅଞ୍ଚଳକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଗଭୀର ସମୁଦ୍ର ଅଞ୍ଚଳରେ ଥିବା ମତ୍ସ୍ୟଜୀବୀମାନଙ୍କୁ ୨୨ ଅକ୍ଟୋବର ସୁଦ୍ଧା ଉପକୂଳକୁ ଫେରିବାକୁ ପରାମର୍ଶ ଦିଆଯାଇଛି ।

ଏଥର ଥାଇଲାଣ୍ଡ ପକ୍ଷରୁ ଏହି ବାତ୍ୟାର ନାମକରଣ ‘ସିତ୍ରାଙ୍ଗ’ ରଖାଯାଇଛି । ତେବେ ବର୍ତ୍ତମାନସୁଦ୍ଧା ବାତ୍ୟାର ଚିତ୍ର ସ୍ପଷ୍ଟ ହୋଇପାରି ନ ଥିବା ବେଳେ ଏହା କେଉଁ ଦିଗରେ ଗତି କରିବ, ତାହାର ତୀବ୍ରତା କେତେ ରହିବ, କେଉଁଠି ଲ୍ୟାଣ୍ଡଫଲ୍ କରିବ ତାହା ସ୍ପଷ୍ଟ ହୋଇପାରିନି । ଆସନ୍ତା ୨୪ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏହା ସମ୍ଭାବ୍ୟ ବାତ୍ୟା ରୂପ ନେବା ଆକଳନ କରାଯାଇଛି । ସେପଟେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏନେଇ ଗତକାଲି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି । ସମ୍ଭାବ୍ୟ ବାତ୍ୟା ଦ୍ୱାରା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଥିବା ବେଳେ ବୁଧବାର ସମ୍ଭାବ୍ୟ ବାତ୍ୟା କ୍ଷୟକ୍ଷତିର ମୁକାବିଲା ପାଇଁ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ବିଭାଗ ଦ୍ୱାରା କରାଯାଉଥିବା ସମସ୍ତ ପ୍ରକାର ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା । ବିଶେଷ ଭାବେ ଆବଶ୍ୟକ ଯନ୍ତ୍ରପାତି ଓ ସାଜସରଞ୍ଜାମ ଠୁଳ କରିବା ଏବଂ ମାନବଶକ୍ତି ପରିଚାଳନା କରିବା ଅତ୍ୟନ୍ତ ଜରୁରୀ ଥିବାରୁ ମନ୍ତ୍ରୀ ଶ୍ରୀ ଦେବ ଏହି କାର୍ଯ୍ୟକୁ ଆଗୁଆ ଭାବେ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦେଇଥିଲେ । ସତର୍କତାମୂଳକ କାର୍ଯ୍ୟ ଭାବେ ଗଛଡ଼ାଳ କଟା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ ବାତ୍ୟା ପ୍ରଭାବିତ ଆଶଙ୍କା ଥିବା ସ୍ଥାନ ଚିହ୍ନଟ କରି ସେଠାରେ ଆଗୁଆ ଭାବେ କର୍ମଚାରୀ ମୁତୟନ କରିବାକୁ ସେ କହିଥିଲେ । ଶକ୍ତି ବିଭାଗ ଦ୍ୱାରା ପୂର୍ବରୁ ବାତ୍ୟା ମୁକାବିଲା ନିମନ୍ତେ ପ୍ରସ୍ତୁତ ମାର୍ଗଦର୍ଶିକାକୁ ଅନୁସରଣ କରିବା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ମନ୍ତ୍ରୀ ତିନୋଟି ବିଦ୍ୟୁତ ବିତରଣ କମ୍ପାନୀ ମୁଖ୍ୟଙ୍କ ସହ ବ୍ୟକ୍ତିଗତ ଭାବେ ଏ ସଂକ୍ରାନ୍ତରେ ବାର୍ତ୍ତାଳାପ କରି ବାତ୍ୟା ମୁକାବିଲା ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଶକ୍ତି ବିଭାଗ ତରଫରୁ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ମାର୍ଗଦର୍ଶିକା ଅନୁପାଳନ କରିବାକୁ ପତ୍ର ମାଧ୍ୟମରେ ଜଣାଇ ଦିଆଯାଇଥିବା ବୈଠକରେ ପ୍ରକାଶ କରାଯାଇଥିଲା । ବାତ୍ୟାରେ ବିଶେଷ କିଛି ହେବାର ଆଶଙ୍କା ନଥିଲେ ହେଁ ଯଦି କୌଣସି ପ୍ରକାର କ୍ଷୟକ୍ଷତି ହୁଏ ତେବେ ବିଭାଗ ତରଫରୁ ତାକୁ ତତ୍‌କ୍ଷଣାତ୍ ମରାମତି କରାଯାଇ ସ୍ୱାଭାବିକ କରାଯିବ ବୋଲି କୁହାଯାଇଛି । ଏହି ବୈଠକରେ ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳ, ଓପିଟିସିଏଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଂଜୟ ମିଶ୍ର, ଗ୍ରୀଡ୍‌କୋ ପ୍ରତିନିଧି ଗଗନ ସ୍ୱାଇଁ, ନିର୍ଦ୍ଦେଶକ (ପ୍ରକଳ୍ପ) ଉପେନ୍ଦ୍ର କୁମାର ପତି ଓ ଟିପିସିଓଡିଏଲ୍‌ର ମୁଖ୍ୟ ନିର୍ବାହୀ ଅଧିକାରୀ ଏମ୍ ସେନ୍‌ବାଗମ୍ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking