ବ୍ୟୁରୋ: କେରଳର ୪୪ ବର୍ଷୀୟ ପ୍ରିୟା ଏବଂ ତାଙ୍କ ସ୍ୱାମୀ ଅନିଲ କୁମାର ଗୁରୁବାର ତ୍ରୀସୁର ସ୍ଥିତ ଦୟା ହସ୍ପିଟାଲକୁ ଯାଇଥିଲେ ଚିକିତ୍ସା ପାଇଁ । ପ୍ରିୟାଙ୍କ ଗୋଡରେ ଯନ୍ତ୍ରଣା ହେଉଥିଲା । ସେଠାରେ ଭାସ୍କୁଲାର ସର୍ଜରୀ ବିଭାଗର ଡାକ୍ତର ରାୟ ଭର୍ଗିସଙ୍କୁ ଦେଖାଇଥିଲେ । ଡାକ୍ତର ପ୍ରିୟାଙ୍କୁ ଦେଖିବା ପରେ ଗୋଡ ଏକ୍ସ-ରେ କରିବା ପାଇଁ କହିଥିଲେ । ଏକ୍ସ-ରେ ରିପୋର୍ଟ ଦେଖିବା ପରେ ଆଉ ଜଣେ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ପ୍ରିୟା ଓ ତାଙ୍କ ସ୍ୱାମୀଙ୍କୁ କହିଥିଲେ । କଷ୍ଟ ଅଧିକ ହେଉଥିବାରୁ ପ୍ରିୟାଙ୍କୁ ନେଇ ଯିବା ସମ୍ଭବ ନୁହେଁ । ତେଣୁ ଯନ୍ତ୍ରଣା କମିବା ପାଇଁ କିଛି ଔଷଧ ଲେଖିଦେବାକୁ ପ୍ରିୟା ଓ ତାଙ୍କ ସ୍ୱାମୀ ଡାକ୍ତର ରାୟଙ୍କୁ ଅନୁନୟ ହୋଇ କହିଥିଲେ । ଡାକ୍ତର ଜଣକ ତୁରନ୍ତ ମେଡିସିନ ଲେଖିଦେଲେ ।
ହେଲେ ସେ ପ୍ରେସ୍କ୍ରିପ୍ସନ ପଢି ସ୍ୱାମୀ-ସ୍ତ୍ରୀଙ୍କର ହୋସ ଉଡିଗଲା । ଡାକ୍ତର ପ୍ରେସ୍କ୍ରିପ୍ସନରେ ଲେଖିଥିଲେ, ‘ ବିଶ୍ରାମ ମନା, ଯଦି ସମସ୍ୟା ହେଉଛି ତେବେ ସ୍ୱାମୀ ବାରକୁ ଯିବା ଉଚିତ୍’ । ଏପରି ପ୍ରେସ୍କ୍ରିପସନ ଦେଖି ଖାଲି ରାଗି ଯାଇ ନ ଥିଲେ ଅନିଲ ଓ ପ୍ରିୟା । ବରଂ ଅପମାନିତ ହୋଇଥିଲେ । ଏ ନେଇ ସେମାନେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ତାଙ୍କ ନାଁରେ ଅଭଯୋଗ ଆଣିବେ ବୋଲି କହିଛନ୍ତି । ତେବେ ମିଡିଆରେ ଏପରି ଖବର ଘୂରି ବୁଲିବା ପରେ ଉକ୍ତ ଡାକ୍ତରଙ୍କୁ ବିଭାଗ ପକ୍ଷରୁ ଜବାବ ତଲବ କରାଯାଇଥିଲା । ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଡାକ୍ତରଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ତଦନ୍ତ ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।